ଜାତୀୟ ରାଜପଥ ଅଚଳ, ଫସିରହିଲା ହଜାର ହଜାର ଗାଡ଼ି : ସ୍ବର୍ଗଦ୍ବାର ଯାଇ ନ ପାରି ଅଟକିଲା ମୃତଦେହ

ଜାତୀୟ ରାଜପଥ ଅଚଳ, ଫସିରହିଲା ହଜାର ହଜାର ଗାଡ଼ି : ସ୍ବର୍ଗଦ୍ବାର ଯାଇ ନ ପାରି ଅଟକିଲା ମୃତଦେହ

ପୁରୀ : ସୁନାବେଶରେ ଗୁରୁବାର ଦିନ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଟ୍ରାଫିକ ନିୟନ୍ତ୍ରଣରେ ବିଫଳତା ଯୋଗୁ ଆଜି ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ହଜାର ହଜାର ଗାଡ଼ି ଘଣ୍ଟାଘଣ୍ଟା ଧରି ଅଟକି ରହିଛି। ପୁରୀରୁ ବୀରଗୋବିନ୍ଦପୁର ପର୍ଯ୍ୟନ୍ତ ଚାରିଚକିଆ ଓ ଦୁଇଚକିଆ ଗାଡ଼ିର ଅସମ୍ଭାଳ ଭିଡ଼ ଓ ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ଉଦ୍‌ବେଗଜନକ ବିଷୟ ହେଉଛି, ଏକାଧିକ ମୃତଦେହ ସ୍ବର୍ଗଦ୍ବାରରେ ପହଞ୍ଚିପାରିନଥିବା ଖବର ମିଳିଛି।

ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ଜଗମୋହନ ମହାପାତ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ମୃତଦେହ ଗୁରୁବାର ଦିନ ସ୍ବର୍ଗଦ୍ବାର ଆଣୁଥିଲେ। ଅପରାହ୍ନ ୪ଟାରୁ ମୃତଦେହ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ଆସୁଥିଲେ ବି ବିଳମ୍ବିତ ରାତି ସୁଦ୍ଧା ପହଞ୍ଚି ପାରିନି। ଚନ୍ଦନପୁର ଓ ଏହା ପରେପରେ ରାସ୍ତାରେ ଯେଉଁଭଳି ଭିଡ଼ ରହିଥିଲା, ସେଥିରେ ମୃତଦେହ ଆଣୁଥିବା ଗାଡ଼ି ଆଗେଇ ପାରିନଥିଲା। ଶେଷ ଖବର ସୁଦ୍ଧା ୫ ଘଣ୍ଟା ପରେ ବି ମୃତଦେହ ସ୍ବର୍ଗଦ୍ବାରରେ ପହଞ୍ଚି ପାରିନଥିବା ଜଣାପଡ଼ିଛି।

publive-image

ସୂଚନା ଅନୁସାରେ, ଗୁରୁବାର ସକାଳୁ ସେତେଟା ଭିଡ଼ ନ ଥିଲେ ବି ଅପରାହ୍ନରେ ଗାଡ଼ିମୋଟର ଭିଡ଼ ପରିଲକ୍ଷିତ ହୋଇଥିଲା। ସୁନାବେଶ ଦର୍ଶନ ପାଇଁ ଭୁବନେଶ୍ବରରୁ ହଜାର ହଜାର ସଂଖ୍ୟାରେ ଗାଡ଼ି ପୁରୀ ଅଭିମୁଖେ ଆସିଥିଲେ। ଏମାନଙ୍କୁ ମାଳତୀପାଟପୁରରୁ ତାଳବଣିଆ ବସଷ୍ଟାଣ୍ଡକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ, ପୁଲିସ ଟ୍ରାଫିକ୍‌ ନିୟନ୍ତ୍ରଣରେ ବିଫଳ ହେବାରୁ ଗାଡ଼ିମୋଟର ଅତିକ୍ରମ କରିବାରେ ଅସୁବିଧା ହୋଇଥିଲା। ମାଳତୀପାଟପୁରଠାରେ ଗାଡ଼ିମୋଟର ନ ଯାଇ ପାରିବାରୁ ପଛକୁପଛ ହୋଇ ହଜାରହଜାର ଗାଡ଼ି ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଥିଲେ। ଏହାକୁ ନେଇ ଭୁବନେଶ୍ବର ଓ ଅନ୍ୟ ସ୍ଥାନରୁ ଆସିଥିବା ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ମଙ୍ଗଳାଘାଟ, ତାଳବଣିଆରେ ବି ଭିଡ଼ରେ ଫସି ଭକ୍ତ କଲବଲ ହୋଇଛନ୍ତି। ଦୁଇଚକିଆ, ଚାରିଚକିଆ ଗାଡ଼ି ଭିଡ଼ରେ ଫସି ବାହାରି ପାରିନାହାନ୍ତି। ଯେଉଁଥିପାଇଁ ଅପରାହ୍ନ ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ଅସମ୍ଭାଳ ଭିଡ଼ ରହିଥିବା ଦେଖିବାକୁ ମିଳିଛି।

ସେହିପରି, ଭିଡ଼ଯୋଗୁ ସୁନାବେଶ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଆଜି କଲବଲ ହୋଇଛନ୍ତି। ବାଟ ନ ପାଇ ଏ ଗଳି, ସେ ଗଳିରେ ପଶି ନର୍କ ଯନ୍ତ୍ରଣା ପାଇଛନ୍ତି। ଅନେକ ଭକ୍ତ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe