କୋଣାର୍କରେ ଅଭାବନୀୟ ଘଟଣା: ସଂସଦୀୟ କମିଟି ସଦସ୍ୟଙ୍କୁ ଛାଡ଼ି ପଳେଇଲା ଗାଡ଼ି

ଶନିବାର ଅପରାହ୍ଣରେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସି ସଂସଦୀୟ (ପାର୍ଲିଆମେଣ୍ଟାରି) କମିଟିର ସଦସ୍ୟମାନେ ହଟହଟା ହୋଇଛନ୍ତି। କମିଟିର ଜଣେ ସଦସ୍ୟଙ୍କୁ ଛାଡ଼ି ଗାଡ଼ି ପଳାଇଥିବା ବେଳେ ଆଉ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ।

konark

Photograph: (Mypuritour)

ପୁରୀ/କୋଣାର୍କ: ଶନିବାର ଅପରାହ୍ଣରେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସି ସଂସଦୀୟ (ପାର୍ଲିଆମେଣ୍ଟାରି) କମିଟିର ସଦସ୍ୟମାନେ ହଟହଟା ହୋଇଛନ୍ତି। କମିଟିର ଜଣେ ସଦସ୍ୟଙ୍କୁ ଛାଡ଼ି ଗାଡ଼ି ପଳାଇଥିବା ବେଳେ ଆଉ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ। ଏମିତିକି ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ମିଳିନଥିଲା। ଶେଷରେ ଗୋପରୁ ଆମ୍ବୁଲାନ୍ସ ଆସିବା ପରେ ତାଙ୍କୁ ଭୁବନେଶ୍ବର ନିଆଯାଇଥିଲା। ଦେଶର ନୀତି ନିର୍ଦ୍ଧାରକ କୁହାଯାଉଥିବା ସଂସଦୀୟ କମିଟିର ଓଡ଼ିଶା ପରିଦର୍ଶନ କାଳରେ ଏଭଳି ଅଘଟଣ ପ୍ରଥମ ଥର ପାଇଁ ଘଟିଥିବା ବେଳେ ଏହାକୁ ନେଇ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଛି। ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ନ ରହିବା ଏବଂ ଆତିଥ୍ୟତାରେ ଅବହେଳା କାରଣରୁ ଓଡ଼ିଶାକୁ ଅପବାଦ ମୁଣ୍ଡାଇବାକୁ ପଡ଼ିଛି।

ଅସୁସ୍ଥ ସଦସ୍ୟଙ୍କ ପାଇଁ ଆମ୍ବୁଲାନ୍ସ ବି ମିଳିଲାନି

ଆଜି ଅପରାହ୍ଣରେ ଏଆଇଏଡିଏମ୍‌କେ ରାଜ୍ୟସଭା ସାଂସଦ ମୁନିସାମୀ ଥମ୍ବିଦୁରାଇଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଟିମ୍‌ କୋଣାର୍କ ବୁଲିବା ପାଇଁ ଆସିଥିଲେ। ବୁଲି ସାରିବା ପରେ ସେମାନେ ଫେରି ଯାଇଥିଲେ। ହେଲେ ଜଣେ ସଦସ୍ୟଙ୍କୁ ଛାଡ଼ି ଗାଡ଼ି ଚାଲି ଯାଇଥିଲା। ସଦସ୍ୟ ଜଣଙ୍କ ମନ୍ଦିରରୁ ବାହାରିବା ପରେ ଗାଡ଼ି ନଥିବା ଦେଖି ବିସ୍ମିତ ହୋଇ ଯାଇଥିଲେ। ଅନ୍ୟ ଜଣେ ସଦସ୍ୟଙ୍କୁ ସେ ଫୋନ୍‌ ଯୋଗେ ଅବଗତ କରିବା ପରେ ପୁରୀ ଜିଲ୍ଲାପାଳ ଓ କୋଣାର୍କ ପୁଲିସ ପାଖରେ ଖବର ପହଞ୍ଚିଥିଲା। ଫଳରେ ପୁରୀ ଜିଲ୍ଲା ପ୍ରଶାସନରେ ଏକପ୍ରକାର କମ୍ପନ ସୃଷ୍ଟି ହୋଇଥିଲା। ପୂରା କୋଣାର୍କ ପୁଲିସ ତାଙ୍କୁ ଖୋଜିବାରେ ଲାଗିପଡ଼ିଥିଲା। ପୁଲିସ ପାଖାପାଖି ଏକଘଣ୍ଟା କାଳ ଖୋଜିବା ପରେ ବ୍ୟାଖ୍ୟାନ କେନ୍ଦ୍ର ମୁଖ୍ୟ ପ୍ରବେଶ ଫାଟକ ବିପରୀତ ପାର୍ଶ୍ବରେ ଥିବା ଏକ ହୋଟେଲ ପାଖରୁ ତାଙ୍କୁ ପାଇଥିଲା। ସେଠାରୁ ତାଙ୍କୁ ଏକ ସ୍ୱତନ୍ତ୍ର କାର୍‌ରେ ନିଆଯାଇଥିଲା। କେଉଁ ପରିସ୍ଥିତିରେ ସଦସ୍ୟ ଜଣଙ୍କ ରହିଗଲେ, ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ ଓ ପୁଲିସ କେମିତି ଜାଣି ପାରିଲେନି, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ଅନ୍ୟପଟେ ଆଉ ଏକ ଘଟଣାରେ ଅଭାବନୀୟ ଚିତ୍ର ସାମନାକୁ ଆସିଛି।

ହରିବଂଶ ନାରାୟଣ ସିଂଙ୍କ ନେତୃତ୍ବରେ ଆସିଥିବା ସଂସଦୀୟ କମିଟିର ଜଣେ ସଦସ୍ୟ ଚନ୍ଦନ ଚୌଧୁରୀ (୪୫) ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନେବାର ଆବଶ୍ୟକତା ପଡ଼ିଥିଲା। ହେଲେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ କୋଣାର୍କରେ ଆମ୍ବୁଲାନ୍ସଟିଏ ମିଳି ନଥିଲା। ଫଳରେ ଗୋପରୁ ଆମ୍ବୁଲାନ୍ସ ମଗାଯାଇଥିଲା। ଯେଉଁଠି ଆମ୍ବୁଲାନ୍ସ ମିଳୁନି ସେଠାରେ ଥିବା ଡାକ୍ତରଖାନାରେ କି ପ୍ରକାର ଚିକିତ୍ସା ସେବା ମିଳୁଥିବ ଭାବି ତାଙ୍କୁ ଆଉ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇ ନଥିଲା। ସିଧା ଭୁବନେଶ୍ବର ପଠାଯାଇଥିଲା। ଏବେ ସେ ସୁସ୍ଥ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe