train will run
ବାଲେଶ୍ବର/ଓଲମରା,: ବାଲେଶ୍ବରରୁ ଖଡ଼ଗପୁର ଅଭିମୁଖେ ଡାଉନ୍ ଲାଇନ୍ରେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ବର ଷ୍ଟେସନ୍ଠାରୁ ପ୍ରାୟ ୧୫ କିଲୋମିଟର ଦୂର ପଶ୍ଚିମବଙ୍ଗର ଦାନ୍ତୁନଠାରେ ଲାଇନ୍ଚ୍ୟୁତ ହୋଇଛି। ଫଳରେ ଟ୍ରେନ୍ର ୩ଟି ବଗି ପ୍ରଭାବିତ ହୋଇଥିବା ବେଳେ ଉକ୍ତ ରୁଟ୍ରେ ଅନ୍ୟ ଟ୍ରେନ୍ ଯାଇପାରିନାହିଁ। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଓଡ଼ିଶା ସୀମାନ୍ତ ଦାନ୍ତୁନ୍ଠାରେ ଟ୍ରେନ୍ଟି ଲାଇନ୍ଚ୍ୟୁତ୍ ହୋଇଥିଲା। ଫଳରେ ଗତକାଲିଠାରୁ ଆଜି ଦ୍ବି-ପ୍ରହର ପର୍ଯ୍ୟନ୍ତ; ଉକ୍ତ ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ବିଭିନ୍ନ ଷ୍ଟେସନ୍ରେ ଅପେକ୍ଷାରତ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଖବର ପାଇ ଖଡ଼ଗପୁର ରେଳ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାମ ଆରମ୍ଭ କରିଥିଲେ। ଫଳରେ ଆଜି ଦିନ ପ୍ରାୟ ୧ଟାରେ ସ୍ଥିତି ସ୍ବଭାବିକ ହୋଇଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଥିଲା, ସେନେଇ ସୂଚନା ନଥିବା ବେଳେ ରେଳ ବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା କୁହାଯାଇଛି।
Follow Us