ଭୁବନେଶ୍ବରରେ ମାଲଗାଡ଼ି ଲାଇନ୍‌ଚ୍ୟୁତ, ଅଟକିଲା ୧୬ରୁ ଅଧିକ ଏକ୍ସପ୍ରେସ ଟ୍ରେନ୍‌

ଭୁବନେଶ୍ବରରେ ମାଲଗାଡ଼ି ଲାଇନ୍‌ଚ୍ୟୁତ, ଅଟକିଲା ୧୬ରୁ ଅଧିକ ଏକ୍ସପ୍ରେସ ଟ୍ରେନ୍‌

ଭୁବନେଶ୍ବର : ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ରାତିରେ ଲାଇନଚ୍ୟୁତ ହୋଇଛି। ଚକ୍ରଧରପୁର ଡିଭିଜନ୍‌ରୁ ବିଜୟନଗରମ୍‌ ଯାଉଥିବା(ଭୟା ଭୁବନେଶ୍ବର ଓ କଟକ) ସିମେଣ୍ଟ ବୋଝେଇ ଟ୍ରେନ୍‌ର ୫ଟି ୱାଗନ୍ ଲାଇନଚ୍ୟୁତ ହେବା ଯୋଗୁଁ ଦୁଇଟି ଲାଇନ୍ ବ୍ଲକ ହୋଇଛି। ଯେଉଁଥିପାଇଁ ଏହି ଲାଇନ୍‌ରେ ବହୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ଷ୍ଟେସନ ଓ ଏହାର ଆଖପାଖ‌ ରେଳ ଟ୍ରାକ୍‌ରେ ଏକାଧିକ ଯାତ୍ରୀବାହୀ ଟ୍ରେନ୍‌ ଅଟକି ରହିଛି। କିଛି ଟ୍ରେନ୍‌ ରାଜ୍ୟର ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ମଧ୍ୟ ଜଣାପଡ଼ିଛି। ରାତି ୧୨ଟା ସୁଦ୍ଧା ଲାଇନ୍‌ଚ୍ୟୁତ ହୋଇଥିବା ୫ଟି ବଗିରୁ ଟ୍ରେନ୍‌କୁ ସମ୍ପୂର୍ଣ୍ଣ ଅଲଗା କରାଯାଇ ମରାମତି କାର୍ଯ୍ୟ ଚାଲିଛି। ରିପୋର୍ଟ ଲେଖାହେଲା ବେଳକୁ ରେଳ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିବା ନେଇ ପୂର୍ବତନ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାର ତଦନ୍ତ କରିବାକୁ ରେଳପଥ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣା ପରେ ପ୍ଲାଟଫର୍ମରେ ଶହ ଶହ ଯାତ୍ରୀ ଅଟକି ରହିଛନ୍ତି।

ସିମେଣ୍ଟ ବୋଝେଇ ଏହି ଟ୍ରେନ୍‌ ରାତି ପ୍ରାୟ ୮ଟା ୩୫ ସମୟରେ ଭୁବନେଶ୍ବର ରେଳ ଷ୍ଟେସନର ଠିକ୍‌ ପୂର୍ବରୁ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଟ୍ରେନ୍‌ର ପଛ ପାର୍ଶ୍ବର ୫ଟି ୱାଗନ ଟ୍ରାକ୍‌ ବାହାରକୁ ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ଟ୍ରେନକୁ ସେଠାରେ ଅଟକା ଯାଇଥିଲା। ବ୍ୟସ୍ତବହୁଳ ଏହି ରୁଟ୍‌ରେ ଯିବା ଆସିବା କରିବାକୁ ଥିବା ଯାତ୍ରୀବାହୀ ଟ୍ରେନ୍‌ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଅଟକାଇ ରଖାଯାଇଥିଲା। ଖବର ପାଇ ଡିଆରଏମ୍, ଆରପିଏଫ୍‌, ଜିଆରଏମ୍, ଷ୍ଟେସନ୍ ନିର୍ଦେଶକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ରେଳ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଲାଇନ୍ କ୍ଲିୟର କରିବାକୁ ଚେଷ୍ଟା ଚଳାଇଛନ୍ତି। ଗୋଟିଏ ୱାଗନର ଦୁଇଟି ଚକା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଗୋଟିଏ ଚକା ଅନ୍ୟ ଏକ ଟ୍ରାକକୁ ପଳାଇ ଯାଇଛି।

ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଟ୍ରେନ୍‌ଟି ଟ୍ରାକ୍‌ ପରିବର୍ତନ କରିବା ସମୟରେ ଲାଇନ୍‌ଚ୍ୟୁତ ହୋଇଥିବା ଅନୁମାନ କରାଯାଇଛି। ମାଲବାହୀ ଟ୍ରେନ୍‌ ହୋଇଥିବାରୁ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ଲାଇନ୍‌ଚ୍ୟୁତ ହୋଇଥିବା ୱାଗନଗୁଡ଼ିକୁ ଖାଲି କରାଯିବା ସହ ଟ୍ରାକ୍‌ କଟାଯାଇ ମରାମତି କରାଯାଉଛି। ଟ୍ରେନ୍‌ ଚଳାଚଳ କିଭଳି ସ୍ବାଭାବିକ୍‌ ହୋଇପାରିବ ତାହା ଉପରେ ଏବେ ଆମେ ଗୁରୁତ୍ବ ଦେଉଛୁ। ରାତି ୨ଟା ସୁଦ୍ଧା ସ୍ବାଭାବିକ ସ୍ଥିତିକୁ ଫେରିଛି। ଅଘଟଣର କାରଣ ସମ୍ପର୍କରେ ଅନୁଧ୍ୟାନ ଲାଗି ତଦନ୍ତ ନିର୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

ରିପୋର୍ଟ ଲେଖାଯିବା ବେଳକୁ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍, ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍‌ ଭୁବନେଶ୍ବର ଷ୍ଟେସନଠାରୁ କିଛି ଦୂରରେ ଅଟକି ରହିଥିବା ବେଳେ ଅମୃତଶର-ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ୍‌ ମଞ୍ଚେଶ୍ବର ରେଳଷ୍ଟେସନରେ, ପାରାଦୀପ-ପୁରୀ ଏକ୍ସପ୍ରେସ୍‌ ମଞ୍ଚେଶ୍ବର ରେଳଷ୍ଟେସନ ପାଖରେ, ହାୱଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ କଟକଠାରେ, ଶ୍ରୀନଗର ଶିରିଡ଼ି-ପୁରୀ ଏକ୍ସପ୍ରେସ୍‌ ନରାଜଠାରେ, ହାୱଡା-କନ୍ୟାକୁମାରୀ ଏକ୍ସପ୍ରେସ୍‌ ନରାଜଠାରେ, ଟାଟା-ବିଶାଖାପାଟଣା ଏକ୍ସପ୍ରେସ୍‌ ହରିଦାସପୁର, ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍‌ ତାପଙ୍ଗଠାରେ, ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ଭୁବନେଶ୍ବରଠାରେ, ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍‌ ଖୋର୍ଧାରୋଡ୍‌ଠାରେ, ପୁରୀ-ହାୱଡା ଏକ୍ସପ୍ରେସ୍‌ ଖୋର୍ଧାରୋଡଠାରେ, ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସ୍‌ ମୋଟାରିଠାରେ, ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ବୀରପୁରୁଷୋତ୍ତମପୁରରେ ଅଟକି ରହିଥିଲା। ରାତି ପ୍ରାୟ ୧ଟା ସୁଦ୍ଧା ଗୋଟିଏ ଟ୍ରେନ୍‌ ଲାଇନ୍‌ ସ୍ବାଭାବିକ ହୋଇଛି। ତେଣୁ ସେହି ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍‌ ଓ ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ଯଥାକ୍ରମେ ସୁର୍ଲା ରୋଡ ଏବଂ ବ୍ରହ୍ମପୁର ଷ୍ଟେସନ ଛାଡ଼ିଥିବା ଜଣାପଡ଼ିଛି। ୫ଟି ଟ୍ରେନ୍‌ର ସମୟ ପରିବର୍ତନ କରାଯାଇଛି। ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌(୧୨୮୦୧), ପୁରୀ-ସାଲିମାର ଏକ୍ସପ୍ରେସ୍‌(୧୧୮୮୨), ପୁରୀ-ସାଲିମାର ଏକ୍ସପ୍ରେସ୍‌(୧୮୪୧୦), ପୁରୀ-ଆଜମୀର ଏକ୍ସପ୍ରେସ୍‌(୨୦୮୨୩), ଭୁବନେଶ୍ବର-ଜୁନାଗଡ଼ ରୋଡ ଏକ୍ସପ୍ରେସ୍‌ ୪ରୁ ୫ ଘଣ୍ଟା ବିଳମ୍ବରେ ଷ୍ଟେସନ ଛାଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe