୨୫ ବର୍ଷ ଅପେକ୍ଷାର ଅନ୍ତ ହେବ, ପାରାଦୀପ-ହରିଦାସପୁର ମଧ୍ୟରେ ଗଡ଼ିବ ଟ୍ରେନ୍‌

Advertisment

ଚଳିତ ମାସରେ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ, ରାଜ୍ୟର ପ୍ରଥମ ଲେବଲ୍‌ କ୍ରସିଂ ବିହୀନ ରେଳ ଲାଇନ୍‌

ଚଳିତ ମାସରେ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ, ରାଜ୍ୟର ପ୍ରଥମ ଲେବଲ୍‌ କ୍ରସିଂ ବିହୀନ ରେଳ ଲାଇନ୍‌

ପାରଦୀପ-ହରିଦାସପୁର ମଧ୍ୟରେ ଯାତ୍ରୀସେବା ଆରମ୍ଭ କରିବାକୁ ଦାବି

OrissaPOST

ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ପାରାଦୀପ-ହରିଦାସପୁର ରେଳ ଲାଇନ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୮୨.୫୪୩ କିମି ବିଶିଷ୍ଟ ଏହି ରେଳ ଲାଇନ୍‌ରେ ଗତବର୍ଷ ପରୀକ୍ଷାମୂଳକ ଭାବେ ଇଞ୍ଜିନ୍‌ ଗଡ଼ିଥିଲା। ଏବେ କିନ୍ତୁ ସମ୍ପୂର୍ଣ୍ଣ ହୋଇଛି ରେଳପଥ ନିର୍ମାଣ। ‌ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହ ଆଡ଼କୁ ଏହି ଲାଇନ୍‌ରେ ଟ୍ରେନ୍‌ ଚାଲିବ। ଏହା କାର୍ଯ୍ୟକ୍ଷମ ହେବା ଦ୍ବାରା କେନ୍ଦ୍ରାପଡ଼ାକୁ ଟ୍ରେନ୍‌ ସଂଯୋଗ ହେବ। ଯାଜପୁର, କେନ୍ଦୁଝର ପ୍ରଭୃତି ଜିଲ୍ଲାରୁ ପାରାଦୀପକୁ ମାଲ୍‌ ପରିବହନ ସହଜ ହୋଇପାରିବ। ।

୮୨ କିଲୋମିଟର ରେଳପଥ ମଧ୍ୟରେ ରହିଛି ୧୧ ଷ୍ଟେସନ

୨୦୧୯ ଜୁନ୍‌ ୨୯ ତାରିଖରେ ପ୍ରଥମ ଥର ଲାଗି ପରୀକ୍ଷାମୂଳକ ଭାବେ କେନ୍ଦ୍ରାପଡ଼ାରେ ରେଳ ଇଞ୍ଜିନ୍‌ ଚାଲିଥିଲା। ହରିଦାସପୁରଠାରୁ ଗୋପ ପର୍ଯ୍ୟନ୍ତ ଇଞ୍ଜିନ୍‌ ଚାଲିଥିବାରୁ ଆଶା କରାଯାଉଥିଲା ଖୁବ୍‌ଶୀଘ୍ର ଯାତ୍ରୀବାହୀ ଟ୍ରେନ୍‌ ଚାଲିବ। ତେବେ ବିଭିନ୍ନ କାରଣ ଲାଗି ପୁଣି ଏଥିରେ ବିଳମ୍ବ ହୋଇଥିଲା। ଏମିତି କି ୨୦୨୦ ମାର୍ଚ୍ଚ ମାସରେ ଟ୍ରେନ୍‌ ଚଳାଚଳ କରିବା ନେଇ ଦିନ ଧାର୍ଯ୍ୟ ହୋଇ ସାରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା। ବରଂ କରୋନା ଏହି ପ୍ରକ୍ରିୟାକୁ ଆହୁରି ବିଳମ୍ବ କରିଦେଇଥିଲା। ଏବେ ସ୍ଥିତିରେ କିଛିଟା ସୁଧାର ଆସିଥିବାରୁ ଖୁବ୍‌ଶୀଘ୍ର ଏହି ରେଳପଥ କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର ହୋଇଛି। ସବୁଠାରୁ ବଡ଼ କଥା ହେଉଛି, ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ କୌଣସି ସ୍ଥାନରେ ଲେବଲ୍‌ କ୍ରସିଂ ନାହିଁ। ଲୋକଙ୍କ ଯିବା ଆସିବା ଲାଗି ୬୮ଟି ଅଣ୍ଡର ବ୍ରିଜ୍‌ କରାଯାଇଛି। ୮୨ କିମି ଏହି ଲାଇନ୍‌ ମଧ୍ୟରେ ୧୧ଟି ଷ୍ଟେସନ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ରେଳ ଲାଇନ୍‌ର ଅଧିକାଂଶ ଅଂଶ ଯାଇଥିବାରୁ ଏଠାରେ ଅଧିକ ସଂଖ୍ୟକ ଷ୍ଟେସନ କରାଯାଇଛି। ରେଳ ଲାଇନ୍‌ରେ ୨୦୮ଟି ପୋଲ ରହିଛି। ମହାନଦୀ ଓ ଲୁଣା ନଦୀ ଉପରେ ବଡ଼ ପୋଲ୍‌ ନିର୍ମାଣ ହୋଇଥିବା ବେଳେ ୨୯ଟି ପ୍ରମୁଖ ଓ ୧୭୭ଟି ଛୋଟ ପୋଲ ତିଆରି ହୋଇଛି। ଏହି ରେଳ ଲାଇନ୍‌ ଲାଗି ପ୍ରଥମ ପର୍ଯ୍ୟାୟରେ ୧୫୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେବେ ବର୍ଷ ଯେତିକି ଗଡ଼ିଥିଲା ଅର୍ଥ ମଧ୍ୟ ସେହି ଅନୁଯାୟୀ ବଢ଼ିଚାଲିଥିଲା। ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ ଲାଗି ୨୨୦୦ କୋଟି ଟଙ୍କାର ବ୍ୟୟ ହୋଇସାରିଲାଣି।

ସୂଚନା ଅନୁଯାୟୀ ୧୯୯୬-୯୭ ରେଳ ବଜେଟ୍‌ରେ ଏହି ପ୍ରକଳ୍ପ ମଞ୍ଜୁର ହୋଇଥିଲା ଏବଂ ୧୯୯୯ ଏପ୍ରିଲ ୧୪ରେ ଭିତ୍ତିପ୍ରସ୍ତର ପଡ଼ିଥିଲା। ୨୦୦୪ ମସିହାରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ଜମି ଅଧିଗ୍ରହଣ ସମେତ ବିଭିନ୍ନ ସମସ୍ୟା ଯୋଗୁଁ ଏହି ପ୍ରତୀକ୍ଷିତ ପ୍ରକଳ୍ପ ସମୟ ସୀମା ଗଡ଼ି ଚାଲିଥିଲା। ମୋଟ ୧୭୩୧.୧୬ ଏକର ଜମିରେ ଏହି ରେଳ ଲାଇନ୍‌ ଯାଇଛି। ସେଥିମଧ୍ୟରୁ ୧୪୯୧.୫୯୨ ଏକର ଘରୋଇ ଜମି ହୋଇଥିବା ବେଳେ ୨୩୩.୯୭୯ ଏକର ସରକାରୀ ଜମି ଓ ୫.୫୮୯ ଏକର ଜଙ୍ଗଲ ଜମି ରହିଛି। ଏହି ରେଳ ଲାଇନ୍‌ ଦ୍ବାରା କେନ୍ଦ୍ରାପଡ଼ାବାସୀ ବିଶେଷ ଉପକୃତ ହେବାକୁ ଥିବା ବେଳେ ହରିଦାସପୁରରୁ ପାରାଦୀପକୁ ଟ୍ରେନ୍‌ରେ ମାଲ୍‌ ପରିବହନ ସହଜ ହୋଇପାରିବ। ଏହି ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଅପେକ୍ଷା ଅଧିକ ସଂଖ୍ୟାରେ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe