ନୂତନ ଗୃହ ନିର୍ମାଣ ଆଳରେ ବନ୍ଦ କରିଦେଲେ ତାଲିମ କେନ୍ଦ୍ର ଓ ଛାତ୍ରୀନିବାସ!

Advertisment

ଭଡ଼ାଘରେ ପାଠପଢ଼ା, ପ୍ରାକ୍ଟିକାଲ୍‌ ପାଇଁ ଦହଗଞ୍ଜ

ଭଡ଼ାଘରେ ପାଠପଢ଼ା, ପ୍ରାକ୍ଟିକାଲ୍‌ ପାଇଁ ଦହଗଞ୍ଜ

ନୂତନ ଗୃହ ନିର୍ମାଣ ଆଳରେ ବନ୍ଦ କରିଦେଲେ ତାଲିମ କେନ୍ଦ୍ର ଓ ଛାତ୍ରୀନିବାସ!

ବାଲେଶ୍ବର: ବିଡ଼ମ୍ବିତ ବ୍ୟବସ୍ଥା! କିଛି ଶୁଣୁ ନଥିଲେ। ଛାତ୍ରୀଙ୍କ ପ୍ରତିବାଦ ପରେ ନିଦ ଭାଙ୍ଗିଲା। ତାଲିମ କେନ୍ଦ୍ର ଓ ଛାତ୍ରୀନିବାସକୁ କର୍ତ୍ତୃପକ୍ଷ ବନ୍ଦ କରିଦେଲେ। ହେଲେ ନୂତନ ଗୃହ ନିର୍ମାଣ ନେଇ ତତ୍ପରତା ପ୍ରକାଶ କରୁନାହାନ୍ତି। ଯାହାଫଳରେ ଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବାଲେଶ୍ବର ଫକୀରମୋହନ ମେଡିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌ ପରିସରରେ ଏକ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସହ ଛାତ୍ରୀନିବାସ ରହିଛି। ଯାହା ୧୯୫୯ ମସିହାରେ ସ୍ଥାପନ ହୋଇଥିଲା। ଏବେ ଗୃହଗୁଡ଼ିକର କାନ୍ଥ ଓ ଛାତ ଫାଟି ବିପଦସଂକୁଳ ଅବସ୍ଥାକୁ ଚାଲିଆସିଛି। ପାଠପଢ଼ିବା ଓ ରହିବାରେ ସମସ୍ୟା ଉପୁଜିବାରୁ ଛାତ୍ରୀମାନେ ନୂତନ ଗୃହ ନିର୍ମାଣ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରେ ବାରମ୍ବାର ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଗୃହ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥିଲେ। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ଼ବର୍ଷ ତଳେ ଭିଡିଓ କନ୍‌ଫରେନ୍‌ସିିଂ ମାଧ୍ୟମରେ ନୂତନ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଅନ୍ୟପଟେ ଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସହ ଛାତ୍ରୀନିବାସକୁ ବନ୍ଦ କରିଦିଆଯାଇଥିଲା। ଏପରି ସମୟରେ ତାଲିମ ନେଉଥିବା ରାଜ୍ୟର ୮୦ ଜଣ ଛାତ୍ରୀଙ୍କ ପାଇଁ ସହରର ମଠସାହିସ୍ଥିତ ଏକ ଭଡ଼ାଘରେ ପାଠପଢ଼ା ଓ ରହିବା ବ୍ୟବସ୍ଥା ହୋଇଛି। ସେଠାରେ ଛାତ୍ରୀମାନେ ଥିଓରି ପାଠ ପଢ଼ୁଥିବା ବେଳେ ପ୍ରାକ୍ଟିକାଲ୍‌ ପାଇଁ ଡାକ୍ତରଖାନା ଯାଉଛନ୍ତି। ଅବଶ୍ୟ ସେଥିପାଇଁ ବସ୍‌ର ବ୍ୟବସ୍ଥା ହୋଇଛି। କିନ୍ତୁ ବସ୍‌ ଖରାପ ହୋଇଗଲେ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ବସ୍‌ ନଗଲେ ଛାତ୍ରୀମାନେ ଚାଲିଚାଲି ଡାକ୍ତରଖାନା ଯାଉଛନ୍ତି।

ତେବେ ଦୁଃଖ ଓ ପରିତାପର କଥା; ଛାତ୍ରୀମାନେ ଏତେ ହଇରାଣ ହେଉଥିଲେ ବି କର୍ତ୍ତୃପକ୍ଷ ନୂତନ ଗୃହ‌ ନିର୍ମାଣ କାମ ଆରମ୍ଭ କରିବା ନେଇ ତତ୍ପରତା ପ୍ରକାଶ କରୁନାହାନ୍ତି। ଗୃହ ନିର୍ମାଣ ତ ହେଉନି, ସେନେଇ ଲାଗିଥିବା ସୂଚନାଫଳକୁ ବି ରହସ୍ୟଜନକ ଭାବେ ହଟାଇ ଦିଆଯାଇଛି।

ଗୃହ ନିର୍ମାଣ ପ୍ରସଙ୍ଗରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଦୁଲାଲ ସେନ ଜଗଦ୍ଦେବଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଜିଲ୍ଲାପାଳ ଗୃହ ନିର୍ମାଣ ନେଇ ଆବଶ୍ୟକ ନଥିପତ୍ର ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe