Times of India
ଭୁବନେଶ୍ବର : ନୋଭେଲ କରୋନା ଭୂତାଣୁକୁ ନେଇ ରାଜ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏ ପର୍ଯ୍ୟନ୍ତ ୫ଜଣ ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଥିବା ବେଳେ ତହିଁରୁ ୪ଜଣଙ୍କ ନମୁନା ନେଗେଟିଭ୍ ରହିଛି। ତେବେ ବିଶ୍ବସ୍ତରରେ କରେନା ଭୂତାଣୁ ଦିନକୁ ଦିନ ବ୍ୟାପୁଥିବା ବେଳେ ଓଡ଼ିଶାରେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ତେଣୁ ସନ୍ଦିଗ୍ଧଙ୍କ ରକ୍ତ ଓ ସ୍ବାବ୍ ନମୁନା କିଭଳି ସଂଗ୍ରହ କରାଯିବ ସେ ସଂପର୍କରେ ଆଜି ରାଜଧାନୀ ଓ କଟକର ପ୍ରମୁଖ ସରକାରୀ ଓ ବେସରକାରୀ ଡାକ୍ତରଖାନାର ଅଧିକାରୀମାନଙ୍କୁ ଆରଏମ୍ଆରସିରେ ସ୍ବତନ୍ତ୍ର ଭାବେ ତାଲିମ ଦିଆଯାଇଛି।
କରୋନା ଭୂତାଣୁର ପରୀକ୍ଷା ପାଇଁ ଦେଶର ଏକମାତ୍ର ପରୀକ୍ଷାଗାର ରହିଛି। ପୁନେସ୍ଥିତ ଏନ୍ଆଇଭିରେ ଏହି ପରୀକ୍ଷା ହୋଇପାରିବ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହିଠାରେ ହିଁ ପରୀକ୍ଷା କରିବା ପାଇଁ ଘୋଷଣା ହୋଇଛି। ତେବେ ଦେଶବ୍ୟାପୀ ଯେଉଁଠାରେ ସନ୍ଦିଗ୍ଧମାନଙ୍କ ରକ୍ତ ଓ ସ୍ବାବ୍ ନମୁନା ସଂଗ୍ରହ ହେବ ତାହାକୁ ଆରଏମ୍ଆରସି ଜରିଆରେ ଏନ୍ଆଇଭିକୁ ପଠାଯିବ। ଆରଏମ୍ଆରସି ସିଧାସଳଖ ନମୁନା ସଂଗ୍ରହ କରିବ ନାହିଁ। ଏହି ନମୁନାକୁ କିଭଳି ସଂଗ୍ରହ କରାଯିବ ଓ କିପରି ପ୍ୟାକେଜିଂ କରାଯିବ ସେ ସଂପର୍କରେ ଆଜି ତାଲିମ୍ ପ୍ରଦାନ କରାଯାଇଛି। ଭୁବନେଶ୍ବର ଆରଏମ୍ଆରସିର ନିର୍ଦେଶକ ଡା.ସଂଘମିତ୍ରା ପତି ଏଥିରେ ଅଧ୍ୟକ୍ଷତା କରିଥିଲେ।
ସୂଚନା ଅନୁସାରେ, ନମୁନା ସଂଗ୍ରହ କରିବା ପରେ କିଭଳି ତ୍ରିସ୍ତରୀୟ ପ୍ୟାକେଜିଂ କରାଯିବ ଓ କିଭଳି ଠିକ୍ଭାବେ ଆରଏମ୍ଆରସିକୁ ପଠାଯିବ ତାହା ପ୍ରଦର୍ଶନ କରାଯାଇଥିଲା। ଏହାସହ ଡାକ୍ତରଖାନାର ଯେଉଁମାନେ ସନ୍ଦିଗ୍ଧମାନଙ୍କ ସଂସ୍ପର୍ଶରେ ଆସିବେ ସେମାନେ କିଭଳି ନିଜକୁ ସୁରକ୍ଷିତ ରଖିବେ ଓ ପିପିଇକୁ ଅନୁକରଣ କରିବେ ସେ ନେଇ ସୂଚନା ଦିଆଯାଇଥିଲା। ଏହାସହ କରୋନା ଭୂତାଣୁ କିଭଳି ଅଧିକରୁ ଅଧିକ ନ ବ୍ୟାପିବ ସେଥିପାଇଁ କାଶ କିମ୍ବା ଛିଙ୍କିବା ସମୟରେ ପାଟିରେ ରୁମାଲ ଦେବା ପାଇଁ ମଧ୍ୟ ସଚେତନ କରାଯାଇଥିଲା। ତେବେ ଲୋକମାନଙ୍କୁ କିଭଳି ଅଧିକରୁ ଅଧିକ ସଚେତନତା କରାଯିବ ସେ ସଂପର୍କରେ କାର୍ଯ୍ୟକ୍ରମରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦେଶକ ଡା.ଏସ୍.କେ କର, ଆରଏମ୍ଆରସିର ବୈଜ୍ଞାନିକ ଦେବଦତ୍ତ ଭଟ୍ଟାଚାର୍ଯ୍ୟ, ବୈଜ୍ଞାନିକ ଜ୍ୟୋର୍ତିମୟୀ ତୁରୁକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us