ନବନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କ ପ୍ରଶିକ୍ଷଣ ଉଦ୍‌ଘାଟିତ: ନିଷ୍ଠାପରତା, ବୃତ୍ତିଗତ ସଫଳତା ପଥ ଅନୁସରଣ କରିବାକୁ ପରାମର୍ଶ

Advertisment
ନବନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କ ପ୍ରଶିକ୍ଷଣ ଉଦ୍‌ଘାଟିତ: ନିଷ୍ଠାପରତା, ବୃତ୍ତିଗତ ସଫଳତା ପଥ ଅନୁସରଣ କରିବାକୁ ପରାମର୍ଶ

ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବାର ନବନିଯୁକ୍ତ ଅଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋପବନ୍ଧୁ ପ୍ରଶାସନିକ ଏକାଡେମିରେ ବୁଧବାର ଦିନ ଉଦ୍‌ଘାଟିତ ହୋଇଛି। ପ୍ରଶିକ୍ଷାର୍ଥୀମାନଙ୍କୁ ନିଷ୍ଠାପରତା ତଥା ବୃତ୍ତିଗତ ସଫଳତାର ପଥ ଅନୁସରଣ ପାଇଁ ଅତିଥିମାନେ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ୍ ଓଡ଼ିଶାରେ ତାଙ୍କର ଦୀର୍ଘ ବୃତ୍ତିଗତ ଅଭିଜ୍ଞତା ଉପରେ ଆଲୋକପାତ କରିବା ସହିତ ଦେଶରେ ଏକ ଅଗ୍ରଣୀ ଓ ସଫଳ ରାଜ୍ୟ ଭାବେ ଓଡ଼ିଶା ଉଭା ହୋଇଛି କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତଥା ‌ବିବିଧ ମାନବ ସମ୍ବଳ ବିକାଶ ସୂଚକାଙ୍କଗୁଡ଼ିକରେ ଓଡ଼ିଶା ସଫଳତା ବହୁ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛି। ବିଶ୍ବକପ୍ ହକି ଓ ମେକ୍ ଇନ ଓଡ଼ିଶା ପରି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନରେ ୫-ଟି ନୀତି ସଫଳତା ଆଣିବାରେ ସାହାଯ୍ୟ କରିଛି ବୋଲି ସେ କହିଥିଲେ। ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଥିଲେ, ଶିକ୍ଷାନବିସମାନେ ସେମାନଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଗୁରୁତ୍ବ ଦେବା ଜରୁରୀ। ନିଜର ବିବେକ, ନିଷ୍ଠାପରତା, ସାଧୁତା ଓ ଅଙ୍ଗୀକାର ସହିତ କୌଣସି ପରିସ୍ଥିତିରେ ସାଲିସ ନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏକାଡେମିର ମହାନିର୍ଦେଶକ ରାଜକୁମାର ଶର୍ମା କହିଥିଲେ, ଶିକ୍ଷାନବିସମାନେ ଚରିତ୍ର, ଦକ୍ଷତା ଓ ସହାନୁଭୂତି ପରି ୩ଟି ସ୍ତମ୍ଭ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏହି ଅବସରରେ କାର୍ଯ୍ୟକ୍ରମରେ ଏକାଡେମିର ନୂଆ ଲୋଗୋ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ୩୧ଜଣ ଯୁବ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମେ’ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ଏକାଡେମିର ଅତିରିକ୍ତ କମିସନର ହିମାଂଶୁ ଭୂଷଣ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଉପ-ମହାନିର୍ଦେଶକ ପ୍ରତାପ ମିଶ୍ର ଧନ୍ୟବାଦ ଦେଇଥିଲେ। ଉପ-ନିର୍ଦେଶକ ମମତାରାଣୀ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଯୁଗ୍ମ ନିର୍ଦେଶକ କାନନବାଳା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe