ସମ୍ବଲପୁର ସହରରେ କର୍ଫ୍ୟୁ: ଟ୍ରେନ୍ ଚାଲିଛି, ବସ୍‌ ସେବା ପ୍ରଭାବିତ

ସମ୍ବଲପୁର ସହରରେ କର୍ଫ୍ୟୁ: ଟ୍ରେନ୍ ଚାଲିଛି, ବସ୍‌ ସେବା ପ୍ରଭାବିତ

The New Indian Express

ସମ୍ବଲପୁର: ସମ୍ବଲପୁର ସହରରେ କର୍ଫ୍ୟୁ କାରଣରୁ ବସ୍ ସେବା ଗୁରୁତର ପ୍ରଭାବିତ ହୋଇଛି। ଶୁକ୍ରବାର ମଧ୍ୟରାତ୍ରରେ କର୍ଫ୍ୟୁ ଘୋଷଣା ହୋଇଥିବାରୁ ଅନେକେ ଏ ସଂପର୍କରେ ଅବଗତ ନଥିଲେ। ତେଣୁ ବଡ଼ି ଭୋର୍ରୁ ଓ ସକାଳୁ ସହଳ ଛାଡ଼ୁଥିବା କିଛି ବସ୍ ନିଜ ଗନ୍ତବ୍ୟ ଅଭିମୁଖେ ବାହାରି ଯାଇଥିଲେ। କିନ୍ତୁ ଖବର ସଂପର୍କରେ ଅବଗତ ହେବା ପରେ ସମ୍ବଲପୁରର ଆଉ ପ୍ରାୟତଃ ଘରୋଇ ବସ୍ ଗଡ଼ି ନାହିଁ। ଯାତ୍ରୀ ନଥିବାରୁ ବି ବସ୍ ଚାଲି ନାହିଁ େବାଲି ସମ୍ବଲପୁର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କହାଯାଇଛି। ଅପରପକ୍ଷରେ ବରଗଡ଼, ଝାରସୁଗୁଡ଼ା ଆଦି ନିକଟବର୍ତ୍ତୀ ସହରର ବସ୍ ଗୁଡ଼ିକ ସମ୍ବଲପୁର ଆସିଥିଲା।

ହେଲେ ଯାତ୍ରୀ ନଥିବାରୁ ଅଧିକାଂଶ ଗାଡ଼ି ଖାଲି ଫେରିଥିଲା। ରାତିରେ କଟକ, ଭୁବନେଶ୍ବର ଓ ଅନ୍ୟ ଦୂର ସହରକୁ ଯାଉଥିବା ନାଇଟ୍ କୋଚ୍ ଗାଡ଼ି ଗୁଡ଼ିକ ବି ପ୍ରାୟତଃ ଚାଲିବ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କହାଯାଇଛି। ଯଦି କିଛି ଯାତ୍ରୀ ଆଗୁଆ ବୁକିଂ କରିଥିବେ ତା’ହେଲେ ସେମାନଙ୍କୁ ଗୋଟିଏ ବସ୍ରେ ପଠାଇବା ବ୍ୟବସ୍ଥା ହେବ ବା ଟ୍ରେନ୍ରେ ଯିବାକୁ ପରାମର୍ଶ ଦିଆଯିବ ବୋଲି ସଂଘ କର୍ମକର୍ତ୍ତାମାନେ କହିଛନ୍ତି। ସିଟି ବସ୍ ସେବା ସଂପୂର୍ଣ୍ଣ ବନ୍ଦ ରହିଛି। ଅପରପକ୍ଷରେ କର୍ଫ୍ୟୁ ସତ୍ତ୍ବେ ଟ୍ରେନ୍ ଚଳାଚଳ ସ୍ବାଭାବିକ ରହିଛି। ସମ୍ବଲପୁର ଦେଇ ଚାଲୁଥିବା ସମସ୍ତ ଟ୍ରେନ୍ ଯାତାୟତ କରିଛି। ହେଲେ ସମ୍ବଲପୁରରୁ ଯାତ୍ରୀ ସଂଖ୍ୟା କମ୍ ରହିଛି। ପୂର୍ବରୁ ଟିକଟ୍ କରିଥିବା ଦୂରଗାମୀ ଯାତ୍ରୀଙ୍କ ମଧ୍ୟରୁ ଜରୁରୀ ଥିବା ଲୋକେ କୌଣସି ପ୍ରକାରେ ଯାଇଥିବାବେଳେ ଅନେକେ ଟିକଟ୍ ବାତିଲ କରିଥିଲେ।

ସେହିପରି କାଉଣ୍ଟର୍ରେ ଅଣସଂରକ୍ଷିତ ଟିକଟ୍ କାଟି ରାଜ୍ୟ ଭିତରେ ଭୁବନେଶ୍ବର, ବଲାଙ୍ଗୀର, ରାଉରକେଲା, ଝାରସୁଗୁଡ଼ା ସମେତ ଆଖପାଖ ସହରକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା। ସ୍ବାଭାବିକ ଦିନ ଗୁଡ଼ିକ ତୁଳନାରେ ବହୁତ କମ୍ ଯାତ୍ରୀ ଯାତାୟତ କରିଥିଲେ। ଯେଉଁ ଯାତ୍ରୀମାନେ ସମ୍ବଲପୁରରେ ଓହ୍ଲାଇଥିଲେ କର୍ଫ୍ୟୁ କାରଣରୁ ନିଜ ଘରକୁ ଯିବା ପାଇଁ ସମସ୍ୟା ଭୋଗିଥିଲେ। ଅଟୋରିକ୍ସା ଆଦି ଚାଲି ନଥିଲା। ଷ୍ଟେସନ୍ରେ ଯେଉଁ କିଛି ଅଟୋ ଚାଳକ ଥିଲେ ସେମାନେ ଦୁଇଗୁଣା ଭଡ଼ା ଦାବି କରିଥିଲେ। ରେଳ ଓ ବିମାନ ଯାତ୍ରୀ ସୁବିଧାରେ ଯିବାଆସିବା ନେଇ ପୁଲିସ୍ ସଚେତନ ଅଛି ଓ ଯାତ୍ରା ଟିକଟ୍ ଦେଖାଇଲେ କେହି ସେମାନଙ୍କୁ ଅଟକାଇବେ ନାହିଁ ବୋଲି ସମ୍ବଲପୁର ଏସ୍ପି ବି. ଗଂଗାଧର କହିଛନ୍ତି। ତେବେ ଯାତ୍ରୀମାନେ ନିଜ ଟିକଟ୍ ଦେଖାଇବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି। ଯାତ୍ରୀଙ୍କୁ ଷ୍ଟେସନ୍ ବା ବିମାନବନ୍ଦର ଛାଡ଼ିବାକୁ ଯାଇଥିବା ତାଙ୍କ ଆତ୍ମୀୟ ଫେରିଲାବେଳେ ବି ଟିକଟ୍ର କପି ଦେଖାଇବେ ବୋଲି ପୁଲିସ୍ ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe