ବିଦେଶୀ ପକ୍ଷୀଙ୍କଠାରେ ଲାଗିଲା ଟ୍ରାନ୍ସମିଟର୍‌: ୧୦ ମିନିଟ୍‌ ବ୍ୟବଧାନରେ ପକ୍ଷୀଙ୍କ ଉପସ୍ଥିତି ଜାଣିହେବ

Advertisment

ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ‌କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି।

ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ‌କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି।

ggg

ଭୁବନେଶ୍ବର: ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ‌କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି। ବାରମ୍ବାର ପ୍ରୟାସ କରାଯିବା ସତ୍ତ୍ବେ କିଛି ପକ୍ଷୀଙ୍କ ଆଗମନ ସ୍ଥଳ ସମ୍ପର୍କରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କୌଣସି ଖବର ପାଇପାରୁ ନାହିଁ। ଯେଉଁଥିପାଇଁ ବିଭାଗ ଏଥର ଅଭିନବ ପନ୍ଥା ଆପଣାଇଛି। ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ପାଲଟିଥିବା ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି। ଡେରାଡୁନ୍‌ସ୍ଥିତ ବନ୍ୟପ୍ରାଣୀ ସଙ୍ଗଠନ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଷୟିକ ସହାୟତାରେ ଜିଏସ୍‌ଏମ୍‌-ଜିପିଏସ୍‌ ସମ୍ବଳିତ ଟ୍ୟାଗିଂ ଅନୁସନ୍ଧାନ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଆର. ସୁରେଶ କୁମାରଙ୍କ ନେତୃତ୍ୱରେ ଏବଂ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ଗତ ୮ ଓ ୯ ତାରିଖରେ ଚିଲିକାର ନଳବଣରୁ ଦୁଇଟି ଗ୍ରେଟର ଫ୍ଲେମିଙ୍ଗୋକୁ ସଫଳତାର ସହ ଧରି ଟ୍ୟାଗ୍ କରାଯାଇଛି।

ଟ୍ରାକ୍ ହେବେ ଗ୍ରେଟର୍‌ ଫ୍ଲେମିଙ୍ଗୋ ପକ୍ଷୀ, ଓଡ଼ିଶାରେ ପ୍ରଥମ
୧୦ ମିନିଟ୍‌ ବ୍ୟବଧାନରେ ପକ୍ଷୀଙ୍କ ଉପସ୍ଥିତି ଜାଣିହେବ

ଫ୍ଲେମିଙ୍ଗୋ ଦ୍ବୟକୁ ୩୦ ଗ୍ରାମ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି, ଯାହାକି ପ୍ରତି ୧୦ ମିନିଟ୍‌ରେ ପକ୍ଷୀମାନଙ୍କ ଉପସ୍ଥିତି ରେକର୍ଡ କରିବ। ଏହି ଉପକରଣଟି ଶୀତ ଋତୁରେ ଫ୍ଲେମିଙ୍ଗୋଙ୍କର ଚିଲିକା ଜଳରାଶି ଆଭ୍ୟନ୍ତରୀଣ ଚଳପ୍ରଚଳ ଓ ବ୍ୟବହାରକୁ ବୁଝିବାରେ ସହାୟକ ହେବ। ବନ ବିଭାଗକୁ ଗ୍ରେଟର୍‌ ଫ୍ଲେମିଙ୍ଗୋଙ୍କ ବାସସ୍ଥାନ ପରିଚାଳନା ଏବଂ ସଂରକ୍ଷଣ ଉପରେ ପ୍ରମାଣ-ଭିତ୍ତିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଏହି ପକ୍ଷୀମାନେ କେଉଁଠାରୁ ଆସିଥାନ୍ତି ଏବଂ ଚିଲିକାରୁ ପ୍ରସ୍ଥାନ ସମୟରେ ସେମାନେ କେଉଁପଥ ଗ୍ରହଣ କରନ୍ତି ତାହାର ରହସ୍ୟ ମଧ୍ୟ ପ୍ରକାଶ କରିବ। ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ପାଳନ ଅବସରରେ ଚିଲିକାରୁ ଗ୍ରେଟର ଫ୍ଲେମିଙ୍ଗୋର ଟ୍ରାକିଙ୍ଗ ପ୍ରକ୍ରିୟା ରାଜ୍ୟରେ ପ୍ରଥମ ଥର ସମ୍ପାଦିତ ହୋଇଛି। ଏହାଦ୍ବାରା ଚିଲିକା ହ୍ରଦକୁ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ଆଗମନ ଓ ପ୍ରସ୍ଥାନ ସମ୍ପର୍କିତ ତଦାରଖ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହି ସହଯୋଗକୁ ଦୀର୍ଘମିଆଦୀ ଅନୁସନ୍ଧାନ ରୂପେ ଗ୍ରହଣ କରିବା ପାଇଁ ପକ୍ଷୀ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଏହି ପ୍ରବାସୀ ପକ୍ଷୀ ଶୀତଋତୁରେ ଉପକୂଳବର୍ତ୍ତୀ ଖାରିଆ ଜଳ ହ୍ରଦକୁ ଆସିଥାନ୍ତି। ଫିଲ୍ଟର-ଫିଡିଂ ପାଇଁ ଉପଯୋଗୀ ହୋଇଥିବା ଏହି ଚଢ଼େଇର ଅନନ୍ୟ ଥଣ୍ଟ ଓ ଲମ୍ବା ଗୋଡ ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ଭିନ୍ନ। ଯେଉଁଥିପାଇଁ ଏହି ପକ୍ଷୀମାନେ ଦେଖଣାହାରୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ପାଇଥାନ୍ତି। ପ୍ରତିବର୍ଷ ନଭେମ୍ବର-ଡିସେମ୍ବର ମାସରେ ସବୁ ବୟସ ଓ ବର୍ଗର ହଜାର ହଜାର ପକ୍ଷୀ ଚିଲିକାକୁ ଆସିଥାନ୍ତି। ଏପ୍ରିଲ ଓ ମେ’ ମାସରେ ସେମାନଙ୍କର ପ୍ରଜନନ ଅଞ୍ଚଳକୁ ଚାଲିଯାଆନ୍ତି। ତେବେ ଅଦ୍ୟାବଧି ଫ୍ଲେମିଙ୍ଗୋ କେଉଁଠାରୁ ଆସିଥା’ନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। କୁହାଯାଉଛି ଯେ ଗ୍ରେଟର ଫ୍ଲେମିଙ୍ଗୋ ଗୁଜୁରାଟ କଚ୍ଛର ରନ୍‌ରେ ‘ଫ୍ଲେମିଙ୍ଗୋ ସିଟି’ ଭାବରେ ପରିଚିତ ଏକ ଅଞ୍ଚଳରେ ପ୍ରଜନନ କରନ୍ତି। ଶୀତ ଦିନରେ ଆସୁଥିବା ଫ୍ଲେମିଙ୍ଗୋ ପକ୍ଷୀ ସମ୍ଭବତଃ ସେହି ଅଞ୍ଚଳରୁ ଆସୁଥାଇପାରନ୍ତି। ତଥାପି ସେମାନେ ଏସିଆ ମହାଦେଶର ଇରାନ, କାଜାଖ୍‌ସ୍ତାନ ଅଞ୍ଚଳରୁ ଆସିଥାଇ ପାରନ୍ତି ବୋଲି ବିଏନ୍‌ଏଚ୍‌ଏସ୍‌ର ପୂର୍ବ ଗବେଷଣାରୁ ଜଣାପଡିଛି। ତେଣୁ ଏହି ଗବେଷଣାରୁ ଲବ୍ଧ ତଥ୍ୟକୁ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ପରୀକ୍ଷା ଓ ପ୍ରମାଣିତ କରିବାକୁ ଚେଷ୍ଟା କରାଯାଉଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe