ପରିବହନ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ, ପ୍ରଭାବିତ ହେଲା ବସ୍ ସେବା

Advertisment
ପରିବହନ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ, ପ୍ରଭାବିତ ହେଲା ବସ୍ ସେବା

ବାରିପଦା : ଓଡ଼ିଶା ମୋଟର ପରିବହନ ସଂଘ, ମୟୂରଭଞ୍ଜ ପକ୍ଷରୁ ଆଜି ବିଭିନ୍ନ ଦାବିନେଇ ଆଜିଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ଜିଲ୍ଲା ସଦରମହକୁମା ବାରିପଦା ସହିତ ମୟୂରଭଞ୍ଜ ଜିଲ୍ଲାରେ ବସ ଚଳାଚଳ ଠପ୍ ହୋଇଯାଇଛି।

ଓଡ଼ିଶା ମୋଟର ପରିବହନ ସଂଘ, ମୟୂରଭଞ୍ଜ ସଭାପତି ରଘୁନାଥ ପଣ୍ଡାଙ୍କ କହିବା ଅନୁସାରେ, ବସ ସେବା ଆରମ୍ଭ ହେଲେ ବସ ଭିତରେ ସାମାଜିକ ଦୂରତା ରକ୍ଷା କରିବା ସମ୍ପୂର୍ଣ୍ଣ ଭାବେ ଅସମ୍ଭବ। ବିଭିନ୍ନ ରୁଟ୍‌ରେ ବସ ଚଳାଚଳ ସମୟରେ କରୋନା ସଂକ୍ରମିତମାନଙ୍କ ସଂସ୍ପର୍ଶରେ ପରିବହନ କର୍ମଚାରୀମାନେ ଆସି ନିଜର ଜୀବନକୁ ବିପନ୍ନ ମଧ୍ୟକୁ ଠେଲି ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ତଥାପି ଓଡ଼ିଶା ସରକାର ପରିବହନ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା, ବୀମା ଆଦିକୁ ନେଇ କୌଣସି ଘୋଷଣା କରୁନାହାନ୍ତି । ସରକାରଙ୍କର ପରିବହନ କର୍ମଚାରୀମାନଙ୍କ ନିମନ୍ତେ ଏହି ପ୍ରକାରର ବୈମାତୃକ ମନୋଭାବକୁ ବିରୋଧ ସହିତ ୫ଦଫା ଦାବିନେଇ ଆଜିଠାରୁ ସମସ୍ତ ପରିବହନ କର୍ମଚାରୀମାନେ ଧର୍ମଘଟରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

ଆଜିର ଏହି ଧର୍ମଘଟରେ ୟୁନିଅନର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ରବି ଗୋସ୍ୱାମୀ, ଅମଲ ଦେ, ସାଧାରଣ ସମ୍ପାଦକ ମନୋରଞ୍ଜନ ପରିଡ଼ା, ସମ୍ପାଦକ ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ଜୟନାରାୟଣ ଷଢ଼ଙ୍ଗୀ, ଦାଶରଥୀ ରାଉତ, ସୁବାଷ ଚନ୍ଦ୍ର ତ୍ରିପାଠୀ, ଜୀବନ କୁମାର ମହାକୁଡ଼ ପ୍ରମୁଖଙ୍କ ସମେତ ଶତାଧିକ କର୍ମଚାରୀ ଓ ଶ୍ରମିକ ଯୋଗ ଦେଇଥିଲେ । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଜିଲ୍ଲାର ଉଦଳା, ରାଇରଙ୍ଗପୁର, ଯଶୀପୁର ଓ କରଞ୍ଜିଆ ସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛି। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଧର୍ମଘଟ ଚାଲୁରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe