ଭୁବନେଶ୍ବର: ସାମ୍ନାକୁ ଆସିଛି ରାଜ୍ୟର ୫୫ତମ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ। ଭୁବନେଶ୍ବରର ବମିଖାଲର ବାସିନ୍ଦା ଥିବା ୩୫ ବର୍ଷୀୟ ଯୁବକ କିଭଳି କରୋନା ଆକ୍ରାନ୍ତ ହେଲେ, ତାହା ତାଙ୍କ ଗସ୍ତ ବିବରଣୀରୁ ସ୍ପଷ୍ଟ ହୋଇଛି। ସେ ଘରୁ ବାହାରକୁ ବାହାରି ନ ଥିଲେ ହେଁ କରୋନା ଭୂତାଣୁର କବଳିତ ହୋଇଛନ୍ତି। ଅସଲ କଥା ହେଲା, ବମିଖାଲ ଅଞ୍ଚଳର ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଛନ୍ତି। ସରକାର ଦେଇଥିବା ସୂଚନା ଅନୁଯାୟୀ ସେ ରାଜ୍ୟର ୭,୮,୨୨ ଓ ୩୯ତମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଆକ୍ରାନ୍ତ ଜୟଦୁର୍ଗା ନଗର ବାବିଲୋନ୍ ଆପାର୍ଟମେଣ୍ଟରେ ଥିବା ତାଙ୍କ ଘରେ ୨୨ ମାର୍ଚ୍ଚରୁ ୧୨ ଏପ୍ରିଲ୍ ପର୍ଯ୍ୟନ୍ତ ସଙ୍ଗରୋଧରେ ଥିଲେ। ଏ ସମୟରେ ସେ ବାହାରକୁ ବାହାରି ନାହାନ୍ତି। ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲେ ମଧ୍ୟ ୧୩ ତାରିଖରେ ତାଙ୍କର ନମୁନା ପଜିଟିଭ୍ ବାହାରିଛି। ଏହାପରେ ୧୩ ଏପ୍ରିଲରେ ତାଙ୍କୁ ଭୁବନେଶ୍ବର କିମ୍ସ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ଲାଗି ପଠାଇ ଦିଆଯାଇଛି।
ଅନ୍ୟପଟେ ଭୁବନେଶ୍ୱରର ସୁନ୍ଦରପଦା ଓ ଯଦୁପୁର-ବେଗୁନିଆ ଅଞ୍ଚଳରେ ଥିବା କଣ୍ଟେନମେଣ୍ଟ୍ ଜୋନକୁ ଭୁବନେଶ୍ବର ମହାନଗର ନିଗମ ଉଠାଇଦେଇଛି | ଏହି ଦୁଇ କଣ୍ଟେନମେଣ୍ଟ୍ ଜୋନ ବା ଅବରୋଧ ଅଞ୍ଚଳରେ ସରକାରୀ କର୍ମଚାରୀ ଘର ଘର ବୁଲି ସର୍ଭେ କରିବା ସହ ଲୋକଙ୍କ ସ୍ବାସ୍ଥ୍ୟ ସଂପର୍କିତ ରିପୋର୍ଟ ସଂଗ୍ରହ କରିଥିଲେ। ଏହି ରିପୋର୍ଟ ଅନୁସାରେ କନଟେନମେଣ୍ଟ ଜୋନ୍ ଉଠାଯାଇଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି | ତେବେ କନଟେନମେଣ୍ଟ ଜୋନ୍ ଉଠିବା ପରେ ବି ୭ ଦିନ ଯାଏଁ ଉକ୍ତ ଅଞ୍ଚଳକୁ ସେବା ଯୋଗାଇ ଦିଆଯିବ । ଦୁଇ ଅଞ୍ଚଳର ଲୋକେ ସରକାରଙ୍କୁ ସହଯୋଗ କରିଥିବାରୁ ବିଏମସି କମିଶନର ଧନ୍ୟବାଦ ଦେଇଛନ୍ତି |
Follow Us