Image Courtesy of Indiablooms
ରାଜନଗର : ଗଭୀର ସମୁଦ୍ର ଭିତରେ ବୁଡ଼ିଗଲା ମାଛଧରା ଟ୍ରଲର୍। ଏହି ଟ୍ରଲ୍ର ଭିତରେ ଥିବା ୧୩ଜଣ ମତ୍ସ୍ୟଜୀବୀ ମୃତ୍ୟୁ ସହ ୨୦ ଘଣ୍ଟା ଧରି ଲଢ଼େଇ କରିଥିଲେ। ସେମାନଙ୍କୁ ୧୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଣେ ଏବେ ବି ନିଖୋଜ ରହିଛନ୍ତି। ଅନ୍ୟପକ୍ଷରେ, ବୁଡ଼ି ଯାଇଥିବା ଟ୍ରଲର୍କୁ ଖୋଜି ପାଇବାରେ କୋଷ୍ଟଗାର୍ଡ ପକ୍ଷରୁ ହେଲିକପ୍ଟର ନିୟୋଜିତ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ତାଳଚୁଆ ଅଞ୍ଚଳର ‘ଉପାସନା-୧’ ନାମକ ଟ୍ରଲର୍ ଗତ ୧୪ ତାରିଖ ଦିନ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲା। ଗଭୀର ସମୁଦ୍ରର ତେନ୍ତୁଳିଆରୁ ଦକ୍ଷିଣରେ ଟ୍ରଲରଟି ମାଛ ମାରୁଥିଲା। ଗତକାଲି ସମୁଦ୍ରରେ ଅତ୍ୟଧିକ ଲହଡ଼ି ହେବାରୁ ଲହଡ଼ି ମାଡ଼ରେ ଟ୍ରଲର୍ର ତଳପଟେ ଫାଟ ସୃଷ୍ଟି ହୋଇ ଭିତରେ ପାଣି ପଶିବା ଆରମ୍ଭ କରିଥିଲା। ଚାଳକ ଏ ନେଇ ମାଲିକ ଓ ଅନ୍ୟ ଦୁଇଟି ଟ୍ରଲର୍କୁ ଭିଏଚ୍ଏଫ୍ ଯୋଗେ ଜଣାଇଥିଲେ। ସେହି ଟ୍ରଲର୍ ଦୁଇଟି ଖବର ପାଇ ‘ଉପାସନା-୧’ ମାଛ ମାରୁଥିବା ସ୍ଥାନରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଟ୍ରଲର୍ କିମ୍ବା ମତ୍ସ୍ୟଜୀବୀଙ୍କୁ ପାଇ ନଥିଲେ। ସେମାନଙ୍କ ମୋବାଇଲ୍ ଲାଗୁ ନଥିବା ବେଳେ ଭିଏଚ୍ଏଫ୍ ମଧ୍ୟ କାମ କରୁ ନ ଥିଲା। ସେମାନେ ଏ ନେଇ ମାଲିକ ଅମଲ କୁମାର ପ୍ରଧାନଙ୍କୁ ଜଣାଇଥିଲେ।
/sambad/media/post_attachments/wp-content/uploads/2022/06/rajk-300x135.jpg)
ଶୁକ୍ରବାର ଭୋର୍ ୩ଟାରୁ ତାଳଚୁଆ ଅଂଚଳରୁ କିଛି ଟ୍ରଲର୍ ସମୁଦ୍ର ମଧ୍ୟକୁ ଯାଇ ମତ୍ସ୍ୟଜୀବୀ ଓ ଟ୍ରଲର୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କୋଷ୍ଟଗାର୍ଡ ମଧ୍ୟ ଗଭୀର ସମୁଦ୍ରରେ ନିଖୋଜ ଟ୍ରଲର୍କୁ ଖୋଜିବା ଜାରି ରଖିଥିଲା। ନିଖୋଜ ଟ୍ରଲର୍ରେ ୧୩ଜଣ ମତ୍ସ୍ୟଜୀବୀ ଥିବାବେଳେ ସେମାନଙ୍କୁ ଖୋଜିବା ପାଇଁ କୋଷ୍ଟଗାର୍ଡ ପକ୍ଷରୁ ହେଲିକପ୍ଟର ନିୟୋଜିତ କରାଯାଇଥିଲା। ଆଜି ସକାଳ ପ୍ରାୟ ୧୦ ଟାରେ ତେନ୍ତୁଳିଆରୁ ୫କିମି ଦୂରରେ ଭାସୁଥିବା ଅବସ୍ଥାରେ ୧୨ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ତାଳଚୁଆ ଅଂଚଳର ଗୋଟିଏ ଟ୍ରଲର ପଟ୍ଟାପାରିଆ ଗ୍ରାମର ମତ୍ସ୍ୟଜୀବୀ ସପନ ପରମାଣିକ ଓ ସାରାଜେନ୍ଦ୍ରପୁରର ନିତାଇ ଦାସଙ୍କୁ ଉଦ୍ଧାର କରି ତାଳଚୁଆ ଆଣିଥିଲା।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରେ ୨୦ଘଣ୍ଟା ଧରି ମୃତ୍ୟୁ ସହ ସଂଘର୍ଷ କରିଥିଲେ। ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ନିତାଇ ଦାସ ଓ ସପନ ପରମାଣିକ ଏ ସମ୍ପର୍କରେ କହିଛନ୍ତି, ‘ଡଲହରା ସେପଟେ ମାଛ ମାରୁଥିବା ବେଳେ ସମୁଦ୍ର ମଧ୍ୟରେ ଜୋରରେ ଲହଡି ଆମ ବୋଟରେ ପିଟି ହୋଇଥିଲା। ଲହଡ଼ି ବୋଟକୁ ଟେକି କଚାଡ଼ି ଦେଇଥିଲା। ଏହି ସମୟରେ ଟ୍ରଲରରେ ଫାଟ ସୃଷ୍ଟି ହୋଇଥିଲା। ଚାହୁଁ ଚାହୁଁ ଟ୍ରଲରଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା। ଟ୍ରଲର୍ ବୁଡିଯିବାପରେ ଆମେ ପାଣିରେ ଭାସିବା ଆରମ୍ଭ କରିଥିଲୁ। ସେଠାରେ ପଡ଼ିଥିବା ଅନ୍ୟ ଏକ ଜାଲରେ ଲାଗିଥିବା ବଡ଼ ଡ୍ରମ୍କୁ ଧରି ଜୀବନ ଧରି ରହିଥିଲୁ। ମୁହଁରେ ଲୁଣି ପାଣି ମାଡ ହେଉଥାଏ। ଦେହସାରା ମାଛ ବାଡ଼େଇ ହେବା ସହ କଣ୍ଟିଆ ମାଛ କାମୁଡ଼ି ପକାଉଥିଲେ। ଭୋକ ଉପାସରେ ଦୀର୍ଘ ୨୦ ଘଣ୍ଟା ମୃତ୍ୟୁର ସାମ୍ନା କରୁଥିଲୁ। ବଂଚିବୁ ବୋଲି ଆଶା କରି ନ ଥିଲୁ। ଭଗବାନ ଆମକୁ ନୂଆ ଜୀବନ ଦେଲେ।’
Follow Us