ଲଦ୍‌ଲଦି ଜଂଗଲରେ ବ୍ୟାପକ ଗଛକଟା; ବନ ମାଫିଆ ସକ୍ରିୟ, ବିଭାଗ ଚୁପ

Advertisment
ଲଦ୍‌ଲଦି ଜଂଗଲରେ ବ୍ୟାପକ ଗଛକଟା; ବନ ମାଫିଆ ସକ୍ରିୟ, ବିଭାଗ ଚୁପ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଲଦ୍‌ଲଦି ଜଂଗଲରେ ମାତିଛନ୍ତି ଏବେ ବନ ମାଫିଆ। ମେସିନ୍ ସହାୟତାରେ ମାତ୍ର କିଛି ସମୟ ମଧ୍ୟରେ ଶହ ଶହ ଗଛ କାଟି ପକାଉଛନ୍ତି। ବନ ବିଭାଗର ଅବହେଳା ଯୋଗୁ ଯେଭଳି ଜଂଗଲ ଧ୍ବଂସ ଚାଲିଛି। ଗଛ କାଟିବା ପରେ ଅଧା କାଠ ଗଣ୍ଡି ନେଇଯାଇଥିବା ବେଳେ ଏବେ ବି ବହୁ ସଂଖ୍ୟାରେ ଗଛ ସେଠାରେ ପଡ଼ି ରହିଛି। ପରିବେଶପ୍ରେମୀମାନେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଯୁଯୁମୁରା ବ୍ଲକ ଅଚଂଳରେ ଘଞ୍ଚ ଜଂଗଲ ରହିଛି। ପଡ଼ିଆବାହାଲ ରେଂଜ ଅଧୀନରେ ଆସୁଥିବା ଲଦ୍‌ଲଦି ସଂରକ୍ଷିତ ଜଂଗଲରେ ଦିନଦ୍ବିପହରରେ ଗଛ କଟା ଚାଲିଛି। ଲଦ୍‌ଲଦି ସଂରକ୍ଷିତ ଜଂଗଲକୁ ବନ ମାଫିଆଙ୍କ ପ୍ରବେଶ ଉପରେ ଅଂକୁଶ ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଏକ ଗେଟ୍‌ ଲଗାଯାଇଛି। ବନ ବିଭାଗର କର୍ମଚାରୀମାନେ ସେଠାରେ ନିୟୋଜିତ ରହିଛନ୍ତି। ଏହା ସତ୍ତ୍ବେ ବନ ମାଫିଆମାନେ ଜଂଗଲକୁ ପ୍ରବେଶ କରି ମେସିନ୍ ସହାୟତାରେ ଗଛ କାଟିବା ପାଇଁ ଲୋକମାନଙ୍କୁ ନିୟୋଜିତ କରୁଛନ୍ତି। ଗଛ କାଟିବା ପରେ ସେଠାରେ ଛାଡ଼ି ଚାଲି ଆସୁଛନ୍ତି। ଅନେକ ଦିନ ପର୍ଯ୍ୟନ୍ତ ସେଠାରେ ଗଛ ପଡ଼ି ରହୁଛି। ଗଛ ଶୁଖିବା ପରେ ସେମାନେ ଗଣ୍ଡିଗୁଡ଼ିକୁ ଗାଡ଼ିରେ ନେଇ ଆସୁଛନ୍ତି। ବନ ମାଫିଆମାନେ ସମ୍ବଲପୁର ସହର ଓ ଆଖପାଖ ଅଂଚଳରରେ ଗଢ଼ି ଉଠିଥିବା ବେଆଇନ କରତକଳଗୁଡ଼ିକୁ ଏସବୁ ପଠାଉଥିବା ଜଣାପଡ଼ିଛି। କେତେକ ବନ କର୍ମଚାରୀଙ୍କ ଜ୍ଞାତସାରରେ ଏସବୁ ବେଆଇନ କାମ ଚାଲିଥିବା ଅଭିଯୋଗ ହେଉଛି।

କିଛି ବର୍ଷ ଆଗରୁ ବି ଏଭଳି ଗଛ କଟା ଚାଲିଥିଲା। ସମ୍ବାଦପତ୍ରରେ ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ଚେତିଥିଲା। ବନ ବିଭାର ତତ୍ପରତା ଯୋଗୁ ଜଂଗଲ ନଷ୍ଟ ବନ୍ଦ ହୋଇଥିବା ବେଳେ ଏବେ ପୁଣି ବିଭାଗୀୟ ଅବହେଳା ଯୋଗୁ ଜଂଗଲ ଧ୍ବଂସ ଆରମ୍ଭ ହୋଇଯାଇଛି। ଏହି ଧାରା ଜାରି ରହିଲେ ଏକଦା ଘଞ୍ଚ ଜଂଗଲ ଥିବା ଏହି ଅଂଚଳ କିଛି ବର୍ଷ ମଧ୍ୟରେ ପଦା ହୋଇଯିବ। ଏ ସଂକ୍ରାନ୍ତରେ ପଡ଼ିଆବାହଲ ରେଂଜର ଦାୟିତ୍ବରେ ଥିବା ସଦର ରେଂଜ ଅଧିକାରୀଙ୍କୁ ପଚାରିବାରୁ ସେ ଗଛ କଟା ବିଷୟ ଜାଣିନଥିବା କହିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe