୨୨୬ କିମି ରାସ୍ତା ପାଇଁ ୨୦, ୬୫୬ଟି ଗଛ କାଟିଦେଲେ, କେବେ ଲାଗିବ ଦଶ ଗୁଣା ଗଛ?

Advertisment
୨୨୬ କିମି ରାସ୍ତା ପାଇଁ ୨୦, ୬୫୬ଟି ଗଛ କାଟିଦେଲେ, କେବେ ଲାଗିବ ଦଶ ଗୁଣା ଗଛ?

ବରଗଡ଼ : ଆଗକୁ ବିଶ୍ବ ପରିବେଶ ଦିବସ। ପରିବେଶ ବଞ୍ଚାଇବାକୁ ବିଭିନ୍ନ ସ୍ତରରେ ସଂକଳ୍ପ ନିଆଯିବ । ସରକାରୀ ଏବଂ ଘରୋଇ ସଂସ୍ଥା ପରିବେଶ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବେ। ହେଲେ, ବିକାଶ ପାଇଁ ପରିବେଶର ବିନାଶକୁ ସବୁବେଳେ ଅଣଦେଖା କରାଯାଉଛି। ଯାହାର ଜ୍ବଳନ୍ତ ଉଦାହରଣ ବରଗଡ଼ ଜିଲ୍ଲାରେ ବି ଦେଖିବାକୁ ମିଳୁଛି। ସୋହେଲା-ନୂଆପଡ଼ା ବିଜୁ ଏକ୍ସପ୍ରେସ ୱେ’ର ୨୨୬ କିମି ରାସ୍ତା ସଂପ୍ରସାରଣ କାମ ପାଇଁ ୨୦, ୬୫୬ଟି ଗଛ କଟାଯାଇଛି। ନିର୍ଦ୍ଧାରିତ ଗାଇଡ୍‌ଲାଇନ୍‌ ଅନୁସାରେ ଦଶଗୁଣା ଗଛ ପୋତାଯିବା ଯୋଜନା ଶୀତଳଭଣ୍ଡାରରେ ରହିଯାଇଛି।

ସୂଚନା ମୁତାବକ, ୧୦୧ କିମି ବିଶିଷ୍ଟ ଏହି ରାସ୍ତା ପାଇଁ ମୋଟ୍‌ ୧୦, ୩୨୮ଟି ଗଛ କଟିଛି। ସୋହେଲାରୁ ପଦ୍ମପୁର (ଚିରୋଲି) ୬୦ କିମି ପାଇଁ ୪,୯୯୩ଟି ଗଛ ଏବଂ ଚିରୋଲିରୁ ନୂଅାପଡ଼ା ପର୍ଯ୍ୟନ୍ତ ୬୫ କିମି ପାଇଁ ୫,୩୩୫ଟି ଗଛ କଟାଯାଇଥିବା ବନ ବିଭାଗର ରିପୋର୍ଟ କହୁଛି। ଅର୍ଥାତ୍‌ ୨୨୬ କିମି ବିଶିଷ୍ଟ ଉପରୋକ୍ତ ତିନୋଟି ରାସ୍ତା ସଂପ୍ରସାରଣ ପାଇଁ ୨୦, ୬୫୬ଟି ଗଛ କଟାଯାଇଛି। ଏହି ସଂପ୍ରସାରଣ ଦାୟିତ୍ୱ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ତୁଲାଉଛି। କଟିଥିବା ଗଛର ଦଶଗୁଣା ଗଛ ଲଗାଇବା ପାଇଁ ବିଭାଗକୁ କୁହାଯାଇଛି। କିନ୍ତୁ, କୌଣସି ସ୍ଥାନରେ ବୃକ୍ଷରୋପଣ କାମ ଅାରମ୍ଭ ହୋଇନାହିଁ। ଏତେ ସଂଖ୍ୟକ ଗଛ ଲଗାଇବା ପାଇଁ ସ୍ଥାନ ମିଳୁନଥିବା ରାସ୍ତା ଓ ଗୃହ ନିର୍ମାଣ ବିଭାଗ କହୁଛି। ଦିନ ଗଡ଼ିବା ସାଙ୍ଗକୁ ଏହି ପ୍ରସଙ୍ଗ କେବଳ ଫାଇଲ୍‌ ଭିତରେ ଚାପି ହୋଇରହିଛି। ସେହିପରି  ବରଗଡ଼-ଭେଡ଼େନ ରାସ୍ତାର ଦୋହରୀକରଣ କାମ ଶେଷ ହୋଇସାରିଛି। ପାଖାପାଖି ୨୪ କିଲୋମିଟର୍‌ ଦୂରତା ଯାଏଁ ଏହି ପ୍ରଶସ୍ତ ରାସ୍ତା କରାଯାଇଛି। ଏହି ରାସ୍ତାରେ ଥିବା ଶତାଧିକ ଗଛ ମଧ୍ୟ  କଟାଯାଇଛି। ବରଗଡ଼ରୁ ଭେଡ଼େନ ବାମ ପାର୍ଶ୍ବରେ ଅଧିକାଂଶ ଗଛ ଏହି ପ୍ରକଳ୍ପ ପାଇଁ ଟଳିଛି। କେବଳ ଦୋଷ ମେଣ୍ଟାଇବା ନୀତିରେ କିଛି ସ୍ଥାନରେ ୨/୩ଟି ଗଛ ପୋତା ଯାଇଛି। ନଚେତ ରାସ୍ତାଟି ଗୋଟିଏ ପାର୍ଶ୍ବରେ ସଂପୂର୍ଣ୍ଣ ଲଣ୍ଡା ହୋଇସାରିଛି।  ସେହିପରି ବିକାଶ ସ୍କୁଲ ଛକରୁ ହଳଦୀପାଲି ଛକ ଯାଏଁ ମଧ୍ୟ ରାସ୍ତା ପ୍ରଶସ୍ତୀକରଣ କାମ ସରିବା ଉପରେ। ଉକ୍ତ ରାସ୍ତାରେ ଥିବା ପୁରୁଣା ଗଛଗୁଡ଼ିକୁ କଟାଯାଇଛି।

ତେବେ; ଯେତିକି ଗଛ କଟିବ, ତାହାର ଦଶଗୁଣା ଗଛ କେଉଁଠି ଲାଗିବ ତାହା କେହି ଚିନ୍ତା କରୁନଥିବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ଗୋଟିଏ ହିସାବରେ ନୀତିନିୟମକୁ ଖିଲାପ କରାଯାଉଥିବା ସ୍ପଷ୍ଟ ବାରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe