କେନ୍ଦୁଝର ମୃତ୍ତିକା ସଂରକ୍ଷଣ ବିଭାଗର ଗଛ ଲଗା ଦୁର୍ନୀତି : ବିଲ୍‌ ଜାଲିଆତି କରି ୧୪ ଲକ୍ଷ ହଡ଼ପ!

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜରିଆରେ ରୋଜଗାର ସୃଷ୍ଟି ପାଇଁ ସରକାରଙ୍କ ଯୋଜନା

IndiaMART

କେନ୍ଦୁଝର : ମୃତ୍ତିକା ସଂରକ୍ଷଣ ବିଭାଗରେ ଗଛ ଲଗା ନାମରେ ହୋଇଥିବା ବ୍ୟାପକ ଅନିୟମିତତାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ଏଥର ନକଲି ବିଲ୍‌ ସଂପର୍କରେ ସୂଚନା ମିଳିଛି। ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଓଡ଼ିଶା କଞ୍ଜୁମର କୋ-ଅପରେଟିଭ୍‌ ଫେଡେରେସନରୁ ପ୍ରାୟ ୧୪ ଲକ୍ଷ ୮ ହଜାର ୪୨୮ ଟଙ୍କାର ସାର କିଣାଯାଇଥିବା ବେଳେ ଏଥିପାଇଁ ଯେଉଁ ୧୦ଟି ବିଲ୍‌ ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟରେ ପଇଠ ହୋଇଛି ‌ସେଥିରେ ତାରିଖ ପଡ଼ିନାହିଁ। ଫଳରେ ସାର କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଜଳଜଳ ଦିଶୁଛି।

ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କେତେକ ବ୍ୟାବସାୟିକ ସଂସ୍ଥାରୁ ସାର କିଣାଯାଇଛି। ସେ ମଧ୍ୟରୁ ଏକ ସାର ଯୋଗାଣକାରୀ ସଂସ୍ଥା ହେଉଛି ଢେଙ୍କାନାଳସ୍ଥିତ ଓଡ଼ିଶା କଞ୍ଜୁମର କୋ-ଅପରେଟିଭ୍‌ ଫେଡେରେସନ।

ଏ ସଂସ୍ଥା ପ୍ରାୟ ୩୦୦ କୁଇଣ୍ଟାଲ ସାର ଯୋଗାଇ ଥିବାବେଳେ ସେ ବାବଦକୁ ଯେଉଁ ବିଲ୍‌ ପଇଠ କରିଛି ସେଥିରେ ଆଦୌ ତାରିଖ ପଡ଼ିନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଓଡ଼ିଶା କଞ୍ଜୁମର କୋ-ଅପରେଟିଭ୍‌ ଫେଡେରେସନର ବିଲ୍‌ ନମ୍ବର ୩୪୮୪ଠାରୁ ଆରମ୍ଭ କରି ୩୪୯୫ ପର୍ଯ୍ୟନ୍ତ ୧୦ଟି ବିଲ୍‌ରେ ମୋଟ ୧୪ ଲକ୍ଷ ୮ ହଜାର ୪୨୮ ଟଙ୍କାର ପଇଠ ହୋଇଛି। ୩୪୮୪ ନମ୍ବର ବିଲ୍‌ରେ ୪୯୧.୧୬ ବ୍ୟାଗ ଶ୍ୟାମଳା ଗୋଲ୍‌ଡ ‌ସାର ପାଇଁ ୨ ଲକ୍ଷ ୯୪ ହଜାର ୬୯୬ ଟଙ୍କା ବିଲ୍‌ ହୋଇଥିଲା। ଏହି ସାର ପାଟଣା ବ୍ଲକ୍‌ ପାଇଁ କିଣାଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ଏହାର ଏକ ହାତ ଲେଖା ବିଲ୍‌ ଥିବା ବେଳେ ‌ସେଥିରେ ତାରିଖ ପଡ଼ିନାହିଁ। ଦୁର୍ନୀତିକୁ ଲୁଚାଇବାକୁ ଯାଇ ଏହି ବିଲ୍‌ରେ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସଂପୃକ୍ତ ବ୍ୟାବସାୟିକ ପ୍ରତିଷ୍ଠାନର ଶାଖା ପରିଚାଳକ ଯେଉଁ ଦସ୍ତଖତ କରିଛନ୍ତି ସେମାନେ ମଧ୍ୟ ତାରିଖ ପକାଇ ନାହାନ୍ତି।

କେବଳ ଏହି ଗୋଟିଏ ନୁହେଁ ଏଭଳି ବହୁ ବିଲ୍‌ କରାଯାଇଛି। ୩୪୮୫ ନମ୍ବର ବିଲ୍‌ରେ ୩ ଲକ୍ଷ ଟଙ୍କା ପଇଠ ହୋଇଥବା ବେଳେ ୩୪୮୬ ନମ୍ବର ବିଲ୍‌ରେ ୧ ଲକ୍ଷ ୪୪ ହଜାର ୯୬୦ ଟଙ୍କା ସଂପୃକ୍ତ ସଂସ୍ଥାକୁ ପ୍ରଦାନ କରାଯାଇଛି। ‌ସେହିପରି ୩୪୮୭ ନମ୍ବର ବିଲ୍‌ରେ ଘଟଗାଁ ବ୍ଲକ୍‌କୁ ଯୋଗାଇ ଦିଆଯାଇଥିବା ୩୯୩ ବ୍ୟାଗ ଶ୍ୟାମଳା ଗୋଲ୍‌ଡ ସାର ପାଇଁ ୨ ଲକ୍ଷ ୩୫ ହଜାର ୮୩୬ ଟଙ୍କା ବିଲ୍‌ ହୋଇଥିବା ବେଳେ ୩୪୮୮ ନମ୍ବର ବିଲ୍‌ରେ ଝୁମ୍ପୁରା ବ୍ଲକ୍‌ ପାଇଁ ୯୦ ବ୍ୟାଗ ଶ୍ୟାମଳା ଗୋଲ୍‌ଡ ସାର କିଣାଯାଇ ୫୪ ହଜାର ଟଙ୍କା, କେନ୍ଦୁଝର ସଦର ବ୍ଲକ୍‌ ପାଇଁ ୩୪୮୯ ନମ୍ବର ବିଲ୍‌ରେ ୨୮୩ ବ୍ୟାଗ୍‌ ଶ୍ୟାମଳା ଗୋଲ୍‌ଡ ସାର ପାଇଁ ୧ ଲକ୍ଷ ୭୦ ହଜାର ୬୪ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ୩୪୯୦ ନମ୍ବର ବିଲ୍‌ରେ ୪୦ ବ୍ୟାଗ ସାରକୁ ୨୪ ହଜାର ଟଙ୍କା, ୩୪୯୧ ନମ୍ବର ବିଲ୍‌ରେ ୩୦ ବ୍ୟାଗ ସାରକୁ ୧୮୦୭୨ ଟଙ୍କା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ସେହିପରି ବିଲ୍‌ ନମ୍ବର ୩୪୯୩ରେ ଆନନ୍ଦପୁର ବ୍ଲକ୍‌ ପାଇଁ ୪୨ ବ୍ୟାଗ ଶ୍ୟାମଳା ଗୋଲ୍‌ଡ ସାର କିଣାଯାଇଥିଲା। ଯାହାର ମୂଲ୍ୟ ଥିଲା ୨୫,୨୦୦ ଟଙ୍କା‌। ସେହିପରି ୩୪୯୫ ନମ୍ବର ବିଲ୍‌ରେ ବାଂଶପାଳ ବ୍ଲକ୍‌ ପାଇଁ ୨୩୬ ବ୍ୟାଗ ଶ୍ୟାମଳା ଗୋଲ୍‌ଡ ସାର କିଣାଯାଇ ୧ ଲକ୍ଷ ୪୧ ହଜାର ୬୦୦ ଟଙ୍କା ବିଭାଗ ପକ୍ଷରୁ ପଇଠ କରାଯାଇଛି। ଏବେକାର କମ୍ପ୍ୟୁଟର ଯୁଗରେ ଏହି ବିଲ୍‌ଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ହାତଲେଖାରେ ପ୍ରସ୍ତୁତ କରାଯାଇଛି। ଏଥିରେ ବି ତାରିଖ ପଡ଼ିନାହିଁ।

ଯଦି କୌଣସି କାରଣରୁ ସାର ଯୋଗାଉଥିବା ସଂସ୍ଥା ଭୁଲରେ ଗୋଟିଏ ବିଲ୍‌ରେ ତାରିଖ ପକାଇନଥାଏ ତେବେ ବିଭାଗ ପାଖରେ ତାହା ଦାଖଲ ବେଳେ ଗ୍ରହଣ କରାଯିବା କଥା ନୁହେଁ। ସେହିପରି ଗୋଟିଏ ବିଲ୍‌ରେ ଭୁଲ୍‌ ହୋଇଥିଲେ ତାହାକୁ ଅନିଚ୍ଛାକୃତ ତ୍ରୁଟି ବୋଲି ବିବେଚନା କରାଯାଇଥାଏ। ମାତ୍ର ୧୦ଟି ବିଲ୍‌ରେ ତାରିଖ ପଡ଼ିନଥିବା ବେଳେ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ତାହାକୁ ପାସ୍‌ କରାଇ ଟଙ୍କା ପ୍ରଦାନ କରିଥିବାରୁ ଏଥିରେ ବଡ଼ଧରଣର କେଳେଙ୍କୋରୀ ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe