ଖଣି ପାଇଁ ଗଛ ବଳି : ହଜାର ହଜାର ଗଛ କାଟିଦେଲେ, ପ୍ରଭାବିତ ହେବ ଖଣ୍ଡାଧାର ଜଳପ୍ରପାତ

Advertisment
ଖଣି ପାଇଁ ଗଛ ବଳି : ହଜାର ହଜାର ଗଛ କାଟିଦେଲେ, ପ୍ରଭାବିତ ହେବ ଖଣ୍ଡାଧାର ଜଳପ୍ରପାତ

ବାଂଶପାଳ : ଖଣି ପାଇଁ ହଜାର ହଜାର ଶାଳଗଛକୁ କାଟି ସଫା କରି ଦିଆଯାଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ତଥା ବିଜେପି (ଭୂୟାଁ ଜୁଆଙ୍ଗ ପିଢ଼) ରେଞ୍ଜ ଅନ୍ତର୍ଗତ ତଳ କାଦକଳା ପଞ୍ଚାୟତର ଉପର କାଦକଳା ଗ୍ରାମରେ କଟାଗଛ ସବୁ ବିକ୍ଷିପ୍ତ ଭାବେ ପଡ଼ିରହିଛି। ଫଳରେ, ବନ୍ୟଜନ୍ତୁ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଖଣ୍ଡାଧାର ଜଳପ୍ରପାତ ପ୍ରଭାବିତ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏହି ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚୁଥିବା ଶିରକାଖୁଟର ୨୦ରୁ ଅଧିକ ମୁଣ୍ଡା ସଂପ୍ରଦାୟର ପରିବାର ଗାଁ ଛାଡ଼ି ଚାଲି ଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଶିରକାଖୁଟଠାରେ ପ୍ରକାଶ ଇଣ୍ଡଷ୍ଟ୍ରି ଲିଃ ଖଣି ପାଇଁ ୯.୫ ହେକ୍ଟର ଜଙ୍ଗଲ ଜମିରେ ସଂରକ୍ଷିତ ଓ ଅସଂରକ୍ଷିତ ଜଙ୍ଗଲରେ ୫୭୩ଟି ଗଛ କାଟିବାକୁ ଅନୁମତି ମିଳିଛି। ଏହି ଗଛ ମଧ୍ୟରେ ଶାଳ, କୁଳୁଚି, ଅସନ, ମହୁଲ, ଚାର, ପିଆଶାଳ ଓ ବହୁ ଔଷଧୀୟ ବୃକ୍ଷ ଆଦି ରହିଛି। ଏହାବାଦ୍‌ ହଜାର ହଜାର ଗଛ କାଟି ସଫା କରିଦିଆଯାଇଛି। ଫଳରେ ଜୈବ ବିବିଧତା ନଷ୍ଟ ହେବା ସହ ହାତୀ, ଭାଲୁ, ବାଘ, କୁଟୁରା ଆଦି ବନ୍ୟଜନ୍ତୁଙ୍କ ବାସସ୍ଥଳ କ୍ଷତିଗ୍ରସ୍ତ ହୋଇଛି। ଆଦିବାସୀଙ୍କ ଜୀବନଜୀବିକା ଉପରେ ମଧ୍ୟ ଏହା ବ୍ୟାପକ ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଉପରକାଦକଳା ଗ୍ରାମର ଶିରକାଖୁଟ ଅଞ୍ଚଳଟି ପ୍ରସିଦ୍ଧ ଖଣ୍ଡାଧାର ଜଳପ୍ରପାତର ଉପର ଭାଗରେ ରହିଛି। ପାହାଡ଼ ଉପର ଭାଗରେ ଖଣି ଉତ୍ତୋଳନ ହେବା ପରେ ବ୍ଲାଷ୍ଟିଂ ହେବା ଦ୍ୱାରା ଖଣ୍ଡାଧାର ଶୁଖିଯିବାର ମଧ୍ୟ ଆଶଙ୍କା କରାଯାଉଛି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

publive-image

ଏ ସଂପର୍କରେ ପ୍ରକାଶ ଇଣ୍ଡଷ୍ଟ୍ରି ଲିମିଟେଡର ଜେନେରାଲ ମ୍ୟାନେଜର ଦେବବ୍ରତ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଅନୁମତି ମିଳିବା ପରେ ଆମେ ଗଛ କାଟିବା ଆରମ୍ଭ କରିଛୁ। ମାତ୍ର ମୁଣ୍ଡା ସଂପ୍ରଦାୟର ୨୦ ପରିବାରକୁ ବିସ୍ଥାପିତ କରାଯାଇଥିବା ସଂପର୍କରେ ସେ ମୁହଁ ଖୋଲି ନଥିଲେ। ଏ ବିଷୟରେ ବିଜେପି ରେଞ୍ଜ୍‌ର ରେଞ୍ଜର ମୁକ୍ତିକାନ୍ତ ପରିଡ଼ା କହିଥିଲେ, ପ୍ରକାଶ ଇଣ୍ଡଷ୍ଟ୍ରି ଲିମିଡେଟ ୯.୫ ହେକ୍ଟର ଜାଗାରେ ୫୭୩ ଖଣ୍ଡ ଗଛ କାଟିବାକୁ ଅନୁମତି ପାଇଛି। ଏଥିରୁ ଅଧିକ ଗଛ କାଟିଲେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe