ବାଣୀବିହାରରେ ଗୋଷ୍ଠୀ ସଂଘର୍ଷ: ୧୦ରୁ ଊର୍ଧ୍ବ ଛାତ୍ର ଆହତ, ୨୦ରୁ ଅଧିକ ଗାଡ଼ି ଚୂରମାର୍‌

ଗତକାଲି ରାତିରେ କମେଣ୍ଟମରାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳକୁ ନେଇ ଆଜି ବାଣୀବିହାରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷର ୧୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି ଏବଂ ୨୦ରୁ ଅଧିକ ଗାଡ଼ି ଭଙ୍ଗାରୁଜା ହୋଇଛି।

hfhfvbb

ଭୁବନେଶ୍ବର: ଗତକାଲି ରାତିରେ କମେଣ୍ଟମରାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳକୁ ନେଇ ଆଜି ବାଣୀବିହାରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷର ୧୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି ଏବଂ ୨୦ରୁ ଅଧିକ ଗାଡ଼ି ଭଙ୍ଗାରୁଜା ହୋଇଛି। ଗଣ୍ଡଗୋଳ ଥମିଥିଲେ ହେଁ ବିଶ୍ବବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗି ରହିଛି। ଗଣ୍ଡଗୋଳ ନିୟନ୍ତ୍ରଣ କରିବାକୁ ପୁଲିସ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି। ପୁଲିସ ଉଭୟ ପକ୍ଷର ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି।

ସୋମବାର ବିଳମ୍ବିତ ରାତି ପାଖାପାଖି ୧ଟା ସମୟରେ ଗୋଟିଏ ଗୋଷ୍ଠୀର ଛାତ୍ର ହଷ୍ଟେଲ୍‌କୁ ଫେରୁଥିବା ବେଳେ ଅନ୍ୟ ଗୋଷ୍ଠୀର ଛାତ୍ରମାନେ ହଷ୍ଟେଲ୍‌ ନିକଟରେ ସେମାନଙ୍କ ସହଯୋଗୀଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀ ପରସ୍ପରକୁ କମେଣ୍ଟ ମାରିଥିଲେ। ଏହାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ କଥା କଟାକଟି ହେଲା ଏବଂ ଶେଷରେ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। କିନ୍ତୁ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସହିଦନଗର ଥାନା ପୁଲିସ ପହଞ୍ଚି ଯାଇଥିଲା। ପୁଲିସ ବୁଝାସୁଝା କରିବା ପରେ ଦୁଇ ଗୋଷ୍ଠୀ ଫେରିଯାଇଥିଲେ। ଆଜି ପୂର୍ବାହ୍‌ଣ ୧୧ଟାରେ ଭୀମ ଆର୍ମି ମୁଖ୍ୟ ତଥା ସାଂସଦ ଚନ୍ଦ୍ରଶେଖର ଆଜାଦ୍‌ ବାଣୀବିହାର ଦୀକ୍ଷାନ୍ତ ଭବନରେ ସଭା କରୁଥିଲେ। ସଭା ଚାଲିଥିବା ବେଳେ ଶତାଧିକ ଛାତ୍ର ସେଠାରେ ପହଞ୍ଚି ରାତିରେ କମେଣ୍ଟ କରିଥିବା ଛାତ୍ର ଗୋଷ୍ଠୀକୁ ଖୋଜିଥିଲେ। ଫଳରେ ସେଠାରେ ପୁଣି ଉଭୟ ଗୋଷ୍ଠୀର ଛାତ୍ର ମୁହାଁମୁହିଁ ହୋଇଥିଲେ। ପୁଲିସ ଉପସ୍ଥିତିରେ ଧକ୍କା ମରାମରି ‌ହୋଇଥିଲେ।

ଏହାପରେ ଗୋଟିଏ ଗୋଷ୍ଠୀ ସେଠାରୁ ଚାଲିଯାଇ ମୁଖ୍ୟ ଫାଟକରେ ଧାରଣା ଦେଇଥିଲେ। ବିଶ୍ବବିଦ୍ୟାଳୟ ପରିସରରେ ରାଜନୈତିକ ସଭା ସମିତିକୁ ଅନୁମତି ଦିଆଯାଉଥିବା ପ୍ରସଙ୍ଗକୁ ନେଇ ସେମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ। ଏତିକିବେଳେ ସାଂସଦ ଶ୍ରୀ ଆଜାଦ୍‌ଙ୍କୁ ନେଇ ସମର୍ଥକମାନେ ଚାଲିଚାଲି ଶୋଭାଯାତ୍ରାରେ ଆସିଥିଲେ। ଶୋଭାଯାତ୍ରା ମୁଖ୍ୟ ଫାଟକ ଆଡ଼କୁ ଆସୁଥିବା ସମୟରେ ଧାରଣାରେ ବସିଥିବା ଛାତ୍ରମାନେ ବିରୋଧ କରିଥିଲେ। ଶିକ୍ଷାନୁଷ୍ଠାନ ପରିସରରେ ରାଜନୈତିକ ଶୋଭାଯାତ୍ରାକୁ ବିରୋଧ କରି ସେମାନେ ନାରାବାଜି କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପୁଣି ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା ଏବଂ ସଙ୍ଗେସଙ୍ଗେ ଭୟଙ୍କର ରୂପ ନେଇଥିଲା। ପିଟାପିଟିରେ ୧୦ରୁ ଅଧିକ ଛାତ୍ର ଆହତ ହୋଇଥିଲେ।  ଗଣ୍ଡଗୋଳକାରୀମାନେ ସେଠାରେ ଥିବା ବାଇକ୍‌, ବସ୍‌ ଓ କାର୍‌କୁ ବାଡ଼େଇ ଚୂର୍‌ମାର କରିଦେଇଥିଲେ। ଉପସ୍ଥିତ ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିପାରି ନଥିଲା। ପାଖାପାଖି ଘଣ୍ଟାଏ ପରେ ଗଣ୍ଡଗୋଳ ଥମି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe