ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ଓଏଏସ୍ ଅଫିସରଙ୍କ ପତ୍ତା ମିଳୁନି

ନୋଟିସ୍ ଜାରି କଲା ପୁଲିସ, ପୁଲିସ କବ୍‌ଜାରେ ମଧ୍ୟସ୍ଥି ବ୍ରହ୍ମାନନ୍ଦ

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ଓଏଏସ୍ ଅଫିସରଙ୍କ ପତ୍ତା ମିଳୁନି

DNA India

ଭୁବନେଶ୍ୱର/ଚଣ୍ଡିଖୋଲ : ଓଏଏସ୍ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ତନାଘନା ଚଳାଇଛି ଯାଜପୁର ପୁଲିସ। ନାବାଳିକାଙ୍କୁ ଘରେ କାମ କରାଇବା ଆଇନଗତ ଅପରାଧ ହୋଇଥିବା ବେଳେ ପ୍ରମୋଦଙ୍କୁ ଜେରା କରିବା ଲାଗି ଯାଜପୁର ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗତ ୪ଦିନ ହେଲା ଖୋଜୁଛି। ତାଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ଥିବା ବେଳେ ସେ ଘରେ ନ ଥିବା ଜଣେ ଅଧିକାରୀ କହିଛନ୍ତି। ଥାନାରେ ହାଜର ହେବା ଲାଗି ତାଙ୍କ ଘରେ ନୋଟିସ୍ ଜାରି କରିଛି ପୁଲିସ। ହାଜର ହୋଇ ନିଜର ପକ୍ଷ ରଖିବା ଲାଗି ନୋଟିସରେ କୁହାଯାଇଛି। ତେବେ ପ୍ରମୋଦ ଏବେ କେଉଁଠି ଆତ୍ମଗୋପନ କରିଛନ୍ତି? ତାଙ୍କୁ ସତରେ ପୁଲିସ ପାଉନି ନା କିଛି ଚାପ ରହିଛି? ଏଭଳି ସମ୍ବେଦନଶୀଳ ମାମଲାରେ ପ୍ରମୋଦ କାହିଁକି ପୁଲିସକୁ ସହଯୋଗ କରୁ ନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗତକାଲି ତାଙ୍କୁ ବିଏମ୍‌ସି ଉତ୍ତର ଜୋନର ଜୋନାଲ୍ ଡେପୁଟି କମିସନର ପଦବିରୁ ବଦଳି କରାଯାଇ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି।

ଅନ୍ୟପକ୍ଷରେ ନାବାଳିକାଙ୍କୁ ଆଣି କାମରେ ରଖିଥିବା ମାହାଙ୍ଗା କୁସୁପୁର ଅଞ୍ଚଳର ମଧ୍ୟସ୍ଥ ବ୍ରହ୍ମାନନ୍ଦ ଜେନାକୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଜଣେ ସମ୍ପର୍କୀୟଙ୍କ ଘରୁ ଉଠାଇ ନେଇଛି। ଆଜି ଦିନତମାମ୍ ବ୍ରହ୍ମାନନ୍ଦକୁ ଥାନାରେ ଜେରା କରାଯାଇଛି। କେମିତି, କେଉଁ ପରିସ୍ଥିତିରେ ନାବାଳିକାକୁ ଆଣି କାମ ପାଇଁ ଯୋଗାଇଥିଲା? ଏଥିପାଇଁ ସେ କେତେ ଟଙ୍କା ପାଇଥିଲା? ଓଏଏସ୍ ଅଫିସରଙ୍କ ସହ ତାର ସିଧାସଳଖ ସମ୍ପର୍କ ଥିଲା ନା ଆଉ କାହା ଜରିଆରେ ସେ ଏହି କାମ କରିଥିଲା? ଏଥିରେ କେତେ ଟଙ୍କାର କାରବାର ହୋଇଛି? କେବଳ ଏହି ଓଏଏସ୍ ଅଫିସର ନା ଆଉ କାହା ଘରେ ନାବାଳିକା ଯୋଗାଇଛି? ଏହି ସବୁ ଦିଗକୁ ଆଧାର କରି ଖୋଳତାଡ଼ ଚଳାଇଛି ପୁଲିସ। ବ୍ରହ୍ମାନନ୍ଦ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ପୁଲିସ ଆଇନଗତ ତର୍ଜମା ଚଳାଇଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଘଟିଥିବା ଏହି ଘଟଣା ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଅନ୍ୟପକ୍ଷରେ ଦୁଷ୍କର୍ମ ଘଟଣା ମିଥ୍ୟା ବୋଲି କହିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବ୍ରହ୍ମାନନ୍ଦ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe