ରାସ୍ତା ନିର୍ମାଣ ନାଁରେ ଆଦିବାସୀଙ୍କ ଜମି ଜବରଦଖଲ, ଆରକେଡି ସଂସ୍ଥା ନାମରେ ଏତଲା

Advertisment
ରାସ୍ତା ନିର୍ମାଣ ନାଁରେ ଆଦିବାସୀଙ୍କ ଜମି ଜବରଦଖଲ, ଆରକେଡି ସଂସ୍ଥା ନାମରେ ଏତଲା

ସୁନ୍ଦରଗଡ଼/ହେମଗିର: ହେମଗିର ବ୍ଲକ ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ନାମରେ ଆରକେଡି ନାମକ ଠିକା ସଂସ୍ଥା ଛତାବରର ଜଣେ ଆଦିବାସୀ ଚାଷୀ ନୃପ କିଶାନ ସମେତ ୭ ଜଣ ଚାଷୀଙ୍କ ରାଜସ୍ବ ଜମିରୁ ବିନା ଅନୁମତି ଓ କ୍ଷତିପୂରଣରେ ବହୁ ମୂଲ୍ୟବାନ ଗଛ କାଟିନେବା ଓ ଜମିର ଜୋରଜବରଦସ୍ତ ତିଆରି କରିଥିବା ଡାଇଭର୍ସନକୁ କାମ ଶେଷ ପରେ ବି ନହଟାଇବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଚାଷ ଋତୁରେ ନିଜ ନିଜ ଜମିକୁ ପଶି ପାରୁ ନାହାନ୍ତି, ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଶେଷ କରି କୌଣସିସ୍ଥିତିରେ ଅନୁମତି ନଥାଇ ଆଦିବାସୀ ଜମିକୁ ଦଖଲକୁ ନେବା କି ସେଥିରେ କୌଣସି ନିର୍ମାଣ କରିବା ବେଆଇନ ହୋଇଥିଲେ ମଧ୍ୟ ଠିକା ସଂସ୍ଥା ଏହାକୁ ଭୃକ୍ଷେପ ନକରି ନୃପ କିଶାନଙ୍କ ଜମିରେ ଡାଇଭର୍ସନ ତିଆରି କରିବା ସହ ଗଛ କାଟି ନେଇଛି।

ଏ ନେଇ ପ୍ରଭାବିତ ଛତାବର ଗାଁର ନୃତ ସମେତ ୭ ଜଣ ଚାଷୀ ବୀରେନ୍ଦ୍ର ପଧାନ, ସୀତାରାମ ପଧାନ, ଅଶୋକ କୁମାର ପଧାନ, ପ୍ରଦୀପ ପଧାନ, ଗୋବର୍ଦ୍ଧନ ପଧାନ, ତ୍ରିନାଥ ପଧାନ, ସମ୍ପୃକ୍ତ ସଂସ୍ଥା ନାମରେ ହେମଗିର ଥାନାରେ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବାଙ୍କିବାହାଲରୁ ଟପରିଆ ଦେଇ ଛତିଶଗଡ଼କୁ ଯାଇଥିବା ଏହି ରାସ୍ତା ନିର୍ମାଣ ଦାୟିତ୍ବ ଠିକା ସଂସ୍ଥା ଆରକେଡିକୁ ଦିଆଯାଇଛି। ତେବେ ଛତାବର ଗାଁର ଚାଷ ଜମିରେ ସଂସ୍ଥା ଚାଷୀମାନଙ୍କୁ କୌଣସି ସୂଚନା ନଦେଇ ଡାଇଭର୍ସନ ତିଆରି କରିଥିବା, ବିନା ଅନୁମତି ଓ କ୍ଷତିପୂରଣ ନଦେଇ ଜମିର ମୂଲ୍ୟବାନ ମହୁଲ, ନିମ୍ବ, କେନ୍ଦୁ, ଆମ୍ବ, ଜାମୁ, ବବୁଲ, ବାଉଁଶ ଗଛ କାଟି ନେଉଥିବା ଅଭିଯୋଗ ହୋଇଛି। କଟା ଗଛର କ୍ଷତିପୂରଣ ଦେଇ ନଥିବା ବେଳେ ଚାଷ ସମୟରେ ଜମିରୁ ଡାଇଭର୍ସନକୁ ହଟାଇବାକୁ କହିଲେ ବି ଶୁଣୁ ନଥିବା, ଓଲଟା ଧମକଚମକ ଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଜମି ଅଧିଗ୍ରହଣ ହୋଇ ନଥିବା ସତ୍ତ୍ବେ ରାସ୍ତା ସୀମାରୁ ୨୦ରୁ ୩୦ ଫୁଟ୍ ଅଧିକ ଜମି ଜବରଦଖଲ କରି ନେଇଛନ୍ତି। ଡାଇଭର୍ସନ ଯୋଗୁଁ ଗାଁର ବହୁ ଜମିରେ ଚାଷ କରିବା ସମ୍ଭବ ହେବ ନାହିଁ। ତେଣୁ ତେବେ କଟାଗଛର କ୍ଷତିପୂରଣ ଓ ଜମିରୁ ଡାଇଭର୍ସନରେ ବ୍ୟବହୃତ ମାଟି ନହଟାଇଲେ ଚାଷୀମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe