ଆଦିବାସୀଙ୍କୁ ଆକ୍ରମଣ ଓ ଗୃହ ଦାହ ଘଟଣା: ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ

ଆଜି ସରିବ ଓଏଚ୍‌ଆର୍‌ସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲର ଗୋତାମୁଣ୍ଡା ପାଖରେ ରହୁଥିବା ନିରୀହ ଆଦିବାସୀଙ୍କୁ ଆକ୍ରମଣ ଓ ଗୃହଦାହ ଘଟଣାରେ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଛି। ଏ ନେଇ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା କମିସନଙ୍କ ନିକଟରେ ପିଟିସନ ଦାଖଲ କରିଛନ୍ତି।

ତାଙ୍କ ଅଭିଯୋଗ ମୁତାବକ, ଗତ ୨୦ ବର୍ଷ ଧରି ୪୦ ଆଦିବାସୀ ପରିବାର ବସବାସ କରୁଛନ୍ତି। ପଡ଼ିଆ ଜମିରେ ଚାଷ କରିବା ସହ ଜଙ୍ଗଲ ଜାତ ପଦାର୍ଥ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ବାହାର ଗ୍ରାମର କେ‌ତେକ ଲୋକ ବିଭିନ୍ନ ଯାତ୍ରା କାର୍ଯ୍ୟକ୍ରମ ନାମରେ ଜବରଦସ୍ତ ଚାନ୍ଦା ଆଦାୟ କରିବା ସହ ଗତ ଜୁନ୍‌ ୩୦ ତାରିଖରେ ସେମାନଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କ ଘରେ ନିଆଁ ଲଗାଇ ଦେବା ସହ ଛେଳି ମେଣ୍ଢା ଓ କୁକୁଡ଼ା ନେଇ ଯାଇଛନ୍ତି। ଆକ୍ରମଣରେ ମହିଳା ଓ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ଜୀବନ ବଞ୍ଚାଇବା ପାଇଁ ସେମାନେ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ଆତ୍ମଗୋପନ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଜଣେ ଦଳୀୟ ନେତା ହେମନ୍ତ ମାଝୀ ଏହି ଆକ୍ରମଣକାରୀଙ୍କ ନେତୃତ୍ବ ନେଇଛନ୍ତି ବୋଲି ପୀଡ଼ିତମାନେ କହିଛନ୍ତି। ଜଙ୍ଗଲରେ ବସବାସ ପାଇଁ ଜଙ୍ଗଲ ବିଭାଗ ଆପତ୍ତି ଉଠାଇଥିଲେ ମଧ୍ୟ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ କୌଣସି ବିଧିବଦ୍ଧ ଆଦେଶ ହୋଇ ନାହିଁ। ଏଭଳି ସ୍ଥିତିରେ ନିରୀହ ଆଦିବାସୀଙ୍କ ଉପରେ ଆକ୍ରମଣ ଓ ସେମାନଙ୍କ ସମ୍ପତି ଲୁଟ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ସାମନ୍ତରା କହିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କମିସନଙ୍କୁ ସମ୍ପୃକ୍ତ ପିଟିସନରେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe