ପୁଣି ଓଡ଼ିଶାକୁ ବୁଡ଼ାଇବ ଛତିଶଗଡ଼

Advertisment

ଜଳମଗ୍ନ ହେବ ୭ପଞ୍ଚାୟତର ୫୮ ଗାଁ, ଅସ୍ତ୍ରଶସ୍ତ୍ର ଧରି ଆଦିବାସୀଙ୍କ ବିରୋଧ

ଜଳମଗ୍ନ ହେବ ୭ପଞ୍ଚାୟତର ୫୮ ଗାଁ, ଅସ୍ତ୍ରଶସ୍ତ୍ର ଧରି ଆଦିବାସୀଙ୍କ ବିରୋଧ

ପୁଣି ଓଡ଼ିଶାକୁ ବୁଡ଼ାଇବ ଛତିଶଗଡ଼

ମାଲକାନଗିରି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଆଉ ଏକ ଚକ୍ରାନ୍ତ ସାମ୍‌ନାକୁ ଆସିଛି। ଓଡ଼ିଶା ସୀମାରେ ଏକ ବିଶାଳ ଡ୍ୟାମ୍‌ ନିର୍ମାଣ ପାଇଁ ଏହି ରାଜ୍ୟ ସଜବାଜ ହେଉଛି। ଏହାଦ୍ବାରା ଓଡ଼ିଶାର ୭ ପଞ୍ଚାୟତର ୫୮ଟି ଗାଁ ଜଳମଗ୍ନ ହେବାନେଇ ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଆଦିବାସୀମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଆଜି ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଛନ୍ତି।

ଓଡ଼ିଶାର କୋଲାବ ନଦୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଦେଇ ଛତିଶଗଡ଼କୁ ପ୍ରବାହିତ ହୋଇଛି। ଛତିଶଗଡ଼ରେ ନଦୀକୁ ଚକାବକା ବୋଲି ନାମ ଦିଆଯାଇଛି। ଚିରସ୍ରୋତା ନଦୀ ହୋଇଥିବାରୁ ଜଳ ଗଚ୍ଛିତ କରି ରଖିବା ସହ ବର୍ଷସାରା ବ୍ୟବହାର କରିବାକୁ ଛତିଶଗଡ଼ ସରକାର ଗୁପ୍ତ ଯୋଜନା କରିଥିଲେ। ଓଡ଼ିଶା ସୀମାରେ ତଥା ନିଜ ରାଜ୍ୟରେ ଗୁପ୍ତ ସର୍ଭେ କରାଇଥିଲେ। ଏପରିକି ପ୍ରକଳ୍ପକୁ ଅନୁମୋଦନ ଦେବାପରେ ମଧ୍ୟ ବାହାରକୁ କୌଣସି ସୂଚନା ଆସିବାକୁ ଦେଇ ନଥିଲେ। ବିଶ୍ବସ୍ତ ସୂତ୍ରରୁ ହସ୍ତଗତ ଖବର ଅନୁସାରେ, ଛତିଶଗଡ଼ ସରକାର ଏହି ଡ୍ୟାମ୍‌ର ନାମ କୋକରାଲ ବୋଲି ଦେଇଛନ୍ତି। ଓଡ଼ିଶାର କମାରପାଲୀ ପଞ୍ଚାୟତ ଓ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଡ୍ୟାମ୍‌ ନିର୍ମାଣ ହେବ। କିଛିଦିନ ତଳେ ଡ୍ୟାମ ନିର୍ମାଣ କାମ ପାଇଥିବା ଠିକାସଂସ୍ଥା କୌସ୍ତବ କମ୍ପାନି କ୍ୟାମ୍ପ୍‌ ପ୍ରତିଷ୍ଠା କରିଛି। ଯେଉଁଥିପାଇଁ ଛତିଶଗଡ଼ର ଷଡ଼୍‌ଯନ୍ତ୍ର ପଦାକୁ ଆସିଛି। ଜୋର୍‌ଦାର୍‌ ବିରୋଧ ପୂର୍ବରୁ ତରବରିଆ ଭାବେ ପ୍ରକଳ୍ପ ଶେଷ କରିବାକୁ ଛତିଶଗଡ଼ ସରକାର ଏବଂ ଠିକାସଂସ୍ଥା ପୂର୍ବ ପ୍ରସ୍ତୁତି କରିଥିବା ସୂଚନା ମିଳିଛି।

ଡ୍ୟାମ୍‌ର ଉଚ୍ଚତା ଏବଂ ଲମ୍ବା କେତେ ହେବ, ତାହାର ସଠିକ୍‌ ତଥ୍ୟ କେବଳ ଛତିଶଗଡ଼ ସରକାର ଏବଂ ଠିକା ସଂସ୍ଥା ନିକଟରେ ହିଁ ରହିଛି। ପ୍ରାଥମିକ ଆକଳନରୁ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍‌ ଅନ୍ତର୍ଗତ ମହୁପଦର, ସାଲିମି, ଟେମରୁପାଲୀ, କୋତାପାଲୀ, କିଆଙ୍ଗ, କମାରପାଲୀ ଏବଂ ମେକା ପଞ୍ଚାୟତର ପ୍ରାୟ ୫୮ଟି ଗାଁ ସଂପୂର୍ଣ୍ଣ ବୁଡ଼ିଯିବ। ହଜାର ହଜାର ଏକର ଜଙ୍ଗଲ ଜମି ସହ ଚାଷ ଜମି ଜଳମଗ୍ନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏହା ଜଣାପଡ଼ିବା ପରେ ଉପରୋକ୍ତ ଅଞ୍ଚଳର ଆଦିବାସୀ ଜୀବିକା ପ୍ରଭାବିତ ହେଉଥିବା ଶୁଣିବା ପରେ ଆଜି ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ଶୋଭାଯାତ୍ରା କରିଥିଲେ। କମାରପାଲୀଠାରେ ବୈଠକ କରି ଜୀବନ ଯିବ ପଛେ ଇଞ୍ଚେ ଜମି ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସେମାନେ ପ୍ରଦାନ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe