ThePrint
ବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ପ୍ରାୟ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ନିଜର ବିଚକ୍ଷଣ ପ୍ରତିଭା, ସାଂଗଠନିକ ଦକ୍ଷତା ଏବଂ ଅନନ୍ୟ ସେବାପରାୟଣତା ବଳରେ ଓଡ଼ିଶା ଏବଂ ଜାତୀୟ ରାଜନୀତିକୁ ବହୁଭାବରେ ପ୍ରଭାବିତ କରିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା, କେନ୍ଦ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଜଣେ ଦୂରଦ୍ରଷ୍ଟା ଓ ଯୁଗଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ଏ ଜାତି ନିକଟରେ ଯେତିକି ସ୍ମରଣୀୟ ହୋଇ ରହିବେ, ତା’ଠାରୁ ଅଧିକ ସ୍ମରଣୀୟ ହେବେ ତାଙ୍କର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଓ ସମ୍ପ୍ରସାରଣ ପ୍ରତି ରହିଥିବା ଅଭୂତପୂର୍ବ ସଙ୍କଳ୍ପବଦ୍ଧତା ପାଇଁ।
ମୌଳିକ ରଚନା ଓ ପାଲା ପରିବେଷଣ ମାଧ୍ୟମରେ ସାରସ୍ୱତ ସଂସାରକୁ ସମୃଦ୍ଧ କରିଥିବା ଐତିହାସିକ ଖୋର୍ଦ୍ଧାର ମାଟିରେ ତଥା ଭାରତୀୟ କାବ୍ୟ ପରମ୍ପରାର ସର୍ବପ୍ରଥମ ମହାମାନ୍ୟ ବାଲ୍ମୀକିକୃତ ରାମାୟଣର ମହାନାୟକ ମର୍ଯ୍ୟାଦାପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଚରାଭୂମି ରାମେଶ୍ୱରଠାରେ ବିଶିଷ୍ଟ ସାରସ୍ୱତ ସାଧକ ଗୋକୁଳାନନ୍ଦ ପଟ୍ଟନାୟକଙ୍କର ଔରସରୁ ଜନ୍ମଗ୍ରହଣ କରିଥିଲେ ଏକମାତ୍ର ପୁତ୍ରସନ୍ତାନ ଜାନକୀବଲ୍ଲଭ ପଟ୍ଟନାୟକ। କେବଳ ଉତ୍ତରାଧିକାରୀ ସୂତ୍ରରେ ନୁହେଁ, ଜଣେ ପ୍ରଜ୍ଞାଦୀପ୍ତ ଓ ପ୍ରତିଭାବନ୍ତ ସାଧକ ଭାବରେ ବିଶିଷ୍ଟ ସାହିତ୍ୟିକ ଓ ଭାଷାବିତ୍ର ଆସନରେ ସେ ଆସୀନ ହୋଇଥିଲେ। ଶତାବ୍ଦୀପୁରୁଷ ଜାନକୀବଲ୍ଲଭ ବାଲ୍ୟାବସ୍ଥାରୁ ନିଜର ସୃଜନଶୀଳତାର ପରିଚୟ ଦେଇ ରଚନା କରିଗଲେ ରାଶି ରାଶି ମୌଳିକ ଗ୍ରନ୍ଥ; ଯାହା ଚିରଦିନ ପାଇଁ ଉତ୍କଳର ବାଣୀଭଣ୍ଡାରକୁ ଋଦ୍ଧିମନ୍ତ କରୁଥିବ। କାବ୍ୟ ରଚନା, ପ୍ରବନ୍ଧ ସଂରଚନା, ବକ୍ତୃତାର ସଂଯୋଜନା ତଥା ସାଂବାଦିକ ଭାଷାଶୈଳୀର ପ୍ରବର୍ତ୍ତନା ମାଧ୍ୟମରେ ସେ ଆଗାମୀ ସୃଜନଶୀଳ ପିଢ଼ି ପାଇଁ ସ୍ଥାପନ କରିଗଲେ ଏକ ଉଜ୍ଜ୍ବଳ ଆଲୋକସ୍ତମ୍ଭ।
ଉତ୍କଳ ଜନନୀର ଜଣେ ବରପୁତ୍ର ଭାବରେ ସେ ଥିଲେ ନିଜ ମାତୃଭାଷା ଓଡ଼ିଆର ଜଣେ ସମର୍ପିତ ପୂଜାରୀ ଏବଂ ଜାଗ୍ରତ ପ୍ରହରୀ। ସ୍ୱାଧୀନତୋତ୍ତର ଭାରତବର୍ଷରେ କ୍ଷମତାଲିପ୍ସୁ ଓ ବିସ୍ତାରବାଦୀ ଇଂରେଜଶକ୍ତି ଶିକ୍ଷା, ସାହିତ୍ୟ, ପ୍ରଶାସନ ଓ ସର୍ବୋପରି ବ୍ୟାବହାରିକ ଜୀବନଶୈଳୀରେ ଇଂରେଜୀ ଭାଷାର ମହତ୍ତ୍ୱକୁ ଚିରଦିନ ପାଇଁ ଅକ୍ଷୁଣ୍ଣ ରଖି ଭାରତର ନିଜସ୍ୱ ଭାଷା, ସଂସ୍କୃତି ଓ ପରମ୍ପରାକୁ ବିପନ୍ନକରି ଆମର ସାଂସ୍କୃତିକ ସ୍ୱତନ୍ତ୍ରତାକୁ ଧୂଳିସାତ୍ କରିବାପାଇଁ ଯେଉଁ ଚକ୍ରାନ୍ତ କରିଥିଲେ; ତାହାକୁ ଜାନକୀବଲ୍ଲଭ ନିଜର ପ୍ରଜ୍ଞା ବଳରେ ଠିକ୍ ଭାବରେ ବୁଝିପାରିଥିଲେ। ତେଣୁ ଛାତ୍ରାବସ୍ଥାରୁ ମାତୃଭାଷା ଓଡ଼ିଆ ଏବଂ ମାତୃଭାଷାର ଜନନୀ ମାତାମହୀ ସଂସ୍କୃତକୁ ପୂର୍ଣ୍ଣଭାବରେ ଆୟତ୍ତକରି ରଚନା କରିଥିଲେ ଅସରନ୍ତି ସାହିତ୍ୟ।
ଓଡ଼ିଆ ସାହିତ୍ୟ ଜଗତର ଅନବଦ୍ୟ ପତ୍ରିକା ‘ପୌରୁଷ’ର ସମ୍ପାଦକ, ଗୌତମବୁଦ୍ଧ ପ୍ରଭୃତି ପୁସ୍ତକ ରଚନା ଏବଂ ‘ପ୍ରଜାତନ୍ତ୍ର’ର ଭାଷାବିନ୍ୟାସର ଉପସ୍ଥାପନା ମାଧ୍ୟମରେ ସେ ସରକାରରେ ଯୋଗଦାନ କରିବା ପୂର୍ବରୁ ବ୍ୟକ୍ତିଗତ ଭାବରେ ଅନେକ କାର୍ଯ୍ୟ କରି ଓଡ଼ିଆ ଓ ସଂସ୍କୃତ ସାହିତ୍ୟ ପ୍ରତି ନିଜର ମମତ୍ୱ ଓ ଆନୁଗତ୍ୟକୁ ପ୍ରକାଶ କରୁଥିଲେ। ଏହି ସମୟରେ ମଧ୍ୟ ଭର୍ତ୍ତୃହରିଙ୍କର ତିନିଗୋଟି ଶତକ ଯଥା- ନୀତି, ଶୃଙ୍ଗାର ଓ ବୈରାଗ୍ୟ ଶତକର ପଦ୍ୟାନୁବାଦ, ବଙ୍କିମଚନ୍ଦ୍ରଙ୍କର ଉପନ୍ୟାସର ଓଡ଼ିଆ ଅନୁବାଦ ଇତ୍ୟାଦି କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ। କିନ୍ତୁ ୧୯୮୦ ଦଶକ ପ୍ରାରମ୍ଭରୁ ସରକାରରେ ଯୋଗଦେବା ପରେ, ଭାଷା, ସାହିତ୍ୟ ଓ ସଂସ୍କୃତିକୁ କିଭଳି ପ୍ରୋତ୍ସାହନ ଦିଆଯାଏ, ତା’ର ଏକ ଅଭୂତପୂର୍ବ ଉଦାହରଣ ସେ ସୃଷ୍ଟି କରିଗଲେ। ସର୍ବପ୍ରଥମେ ସମସ୍ତ ସରକାରୀ କାର୍ଯ୍ୟ ମାତୃଭାଷା ଓଡ଼ିଆରେ ହିଁ ଚାଲିବ ବୋଲି ସରକାରର ମୁଖ୍ୟ ଭାବରେ ସେ ନିର୍ଦ୍ଦେଶ ଦେଲେ ଏବଂ ସମସ୍ତ ନଥିରେ ସେ ଓଡ଼ିଆରେ ତାଙ୍କର ନିଷ୍ପତ୍ତିକୁ ଲିପିବଦ୍ଧ କଲେ। ଓଡ଼ିଆ ଭାଷାକୁ ଅଧିକ ପରିପୁଷ୍ଟ କରିବା ଉଦ୍ଦେଶ୍ୟରେ ତଥା ଅନ୍ୟାନ୍ୟ ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରିବା ନିମନ୍ତେ ୧୯୮୧ ମସିହାରେ ପୁରୀଠାରେ ପ୍ରତିଷ୍ଠା କଲେ ଭାରତର ତୃତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ। ସ୍ୱାଧୀନ ଭାରତର ତୃତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଦେଖି ଧୀରେ ଧୀରେ ଅନ୍ୟାନ୍ୟ ରାଜ୍ୟମାନେ ତାଙ୍କ ନିଜ ନିଜ ମାତୃଭାଷାକୁ ସମୃଦ୍ଧକରିବାପାଇଁ ଗୋଟିଏ ଗୋଟିଏ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିଜ ନିଜ ରାଜ୍ୟରେ ପ୍ରତିଷ୍ଠା କରିବାକୁ ଲାଗିଲେ। ଫଳରେ ଏହି ସଂଖ୍ୟା ଆଜି ଅଠରରେ ପହଞ୍ଚିଲାଣି। ଅଠରଟି ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ମୌଳିକ ପ୍ରେରଣା ସ୍ରୋତ ଜାନକୀବାବୁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେଥିପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, ବିଶ୍ୱଭାରତୀର ଦେଶିକୋତ୍ତମ ପୁରସ୍କାର, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ପଣ୍ଡିତ ମଦନ ମୋହନ ମାଲବ୍ୟ ସାହିତ୍ୟ ଓ ଶିକ୍ଷା ପୁରସ୍କାର ଇତ୍ୟାଦି ଅନେକ ଅଳଙ୍କାରରେ ଅଳଂକୃତ ହୋଇଛନ୍ତି।
ସାଧାରଣ ଜୀବନଦର୍ଶନକୁ କେନ୍ଦ୍ରକରି ରଚିତ ‘ସିନ୍ଧୁ ଉପତ୍ୟକା’ କାବ୍ୟଟି ଜାନକୀବଲ୍ଲଭଙ୍କର ଓଡ଼ିଶାର ବାଣୀଭଣ୍ଡାର ଉଦ୍ଦେଶ୍ୟରେ ଏକ ଭକ୍ତିପୂର୍ଣ୍ଣ ପୁଷ୍ପାଞ୍ଜଳି। ଆଗାମୀ ପିଢ଼ିର ସନ୍ତାନମାନଙ୍କୁ ମହାଭାରତୀୟ ଚେତନା ଓ ଆଦର୍ଶରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ସେ ରଚନା କରିଛନ୍ତି ରାମାୟଣ, ମହାଭାରତ ଓ ଶ୍ରୀମଦ୍ଭାଗବତ। ବିଶେଷକରି ତାଙ୍କ ରଚିତ ଭାଗବତ ଗ୍ରନ୍ଥ ଏକ ଅନବଦ୍ୟ ସୃଷ୍ଟି। ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା। ହେଲେ ଏହି ମାତୃଭାଷାର ମାଆ ହେଉଛି ଭାରତବର୍ଷର ନିଜସ୍ୱ ଭାଷା ସଂସ୍କୃତ। ତେଣୁ ଜାନକୀବଲ୍ଲଭ ପଟ୍ଟନାୟକ ଭଲଭାବରେ ବୁଝିଥିଲେ ଯେ ଓଡ଼ିଆ ଭାଷାକୁ ଅଧିକ ସମୃଦ୍ଧ କରିବାପାଇଁ ଏବଂ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବା ପାଇଁ ସଂସ୍କୃତର ଅଧ୍ୟୟନ ଓ ପ୍ରଚାର ଏକାନ୍ତ ଆବଶ୍ୟକ। ସେଥିପାଇଁ ସେ ସଂସ୍କୃତରେ ଗଭୀର ବିଦ୍ୱତ୍ତା ଅର୍ଜନ କରିଥିଲେ। ଘଣ୍ଟା ଘଣ୍ଟା ଧରି ସଂସ୍କୃତରେ ଭାଷଣ ଦେବାର ଦକ୍ଷତା ତାଙ୍କର ଥିଲେ। ଓଡ଼ିଶାର ତଥା ଭାରତବର୍ଷର ସଂସ୍କୃତି, ପରମ୍ପରା ଓ ଇତିହାସର ଅଧ୍ୟୟନ, ସଂରକ୍ଷଣ ଓ ସମ୍ପ୍ରସାରଣ କରିବା ନିମନ୍ତେ ଉଭୟ ଓଡ଼ିଆ ଓ ସଂସ୍କୃତ ଭାଷାର ଯଥେଷ୍ଟ ଉପାଦେୟତା ରହିଥିବା ବିଷୟକୁ ସେ ଉପଲବ୍ଧି କରି ମୁଖ୍ୟତଃ ଏହି ଦୁଇଟି ଭାଷା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ଏହା ବ୍ୟତୀତ ହିନ୍ଦୀ, ବଙ୍ଗଳା ଓ ଇଂରେଜୀ ପ୍ରଭୃତି ଭାଷାରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଥିବାରୁ ସେ ଓଡ଼ିଆ ସାହିତ୍ୟ ଓ ଭାଷାର ମାଧୁର୍ଯ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିପାରିଥିଲେ।
ଜାନକୀବଲ୍ଲଭ ପଟ୍ଟନାୟକ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ସମ୍ପ୍ରସାରଣ କରିବା ନିମନ୍ତେ ନିଜ ସାରସ୍ୱତ ଜୀବନର ସଫଳ ଜୟଯାତ୍ରାକୁ ବାଲ୍ୟକାଳରୁ ହିଁ ଆରମ୍ଭ କରିଦେଇଥିଲେ। ଜଣେ ରାଷ୍ଟ୍ରନୀତିଜ୍ଞ ଓ ରାଜନେତା ଭାବରେ ଗୋଟିଏ ଜାତିର ସାରସ୍ୱତ ଜୟଯାତ୍ରାକୁ କିଭଳି ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ପ୍ରଦାନ କରାଯାଇପାରେ- ସେ ତା’ର ଏକ ଚିରସ୍ମରଣୀୟ ଉଦାହରଣ ହୋଇ ରହିଗଲେ।
ପୂର୍ବତନ କୁଳପତି
ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି
ମୋ: ୮୭୬୩୭୦୬୬୯୫
Follow Us