ଗୁଣି ସନ୍ଦେହରେ ଡବଲ୍‌ ମର୍ଡର, ଆଈକୁ ତଣ୍ଟିଚିପି, ନାତିକୁ ପିଟିପିଟି ହତ୍ୟା

୩ ଅଟକ, ପୁଲିସ୍‌ର ପଚରାଉଚରା

ଗୁଣି ସନ୍ଦେହରେ ଡବଲ୍‌ ମର୍ଡର, ଆଈକୁ ତଣ୍ଟିଚିପି, ନାତିକୁ ପିଟିପିଟି ହତ୍ୟା

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନେକେଡ଼ାପଲି ଗ୍ରାମରେ ଘଟିଛି ଡବଲ ମର୍ଡର। ଗୁଣି ସନ୍ଦେହରେ ଦୁଇ ଜଣଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖିଛି। ମୃତ ଦୁଇ ଜଣ ‌େହଲେ, ଗ୍ରାମର ବୃଦ୍ଧା ସୁବାସୋ ମୁଣ୍ତା (୭୫) ଓ ତାଙ୍କ ସଂପର୍କୀୟ ନାତି ଚୈତନ୍ୟ ମୁଣ୍ତା (୪୦)। ପୁଲିସ୍‌ ସୂଚନା ଅନୁସାରେ, ଗ୍ରାମର ଜଣେ ବ୍ୟକ୍ତିଙ୍କ ୧୩ ବର୍ଷର ଝିଅକୁ ୩ ମାସ ହେବ ଜ୍ବର ଛାଡ଼ୁନଥିଲା। ତାଙ୍କୁ ଗୁଣି କରାଯାଇଥିବା ସେ ଆଶଙ୍କା କରୁଥିଲେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସୁବାସୋଙ୍କୁ ସନ୍ଦେହ କରୁଥିଲେ। ଗତ ରବିବାର ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କର ଦୁଇ ସହ‌ଯୋଗୀ ସୁବାସୋଙ୍କ ଘରେ ପଶି ସୁବାସୋ, ତାଙ୍କ ପୁଅ ଶଙ୍କର ଓ ବୋହୂ ସରସ୍ବତୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଭୟଭୀତ ହୋଇ ଗତକାଲି ସନ୍ଧ୍ୟାରେ ଶଙ୍କର ଓ ତାଙ୍କ ପତ୍ନୀ ସରସ୍ବତୀ ଘର ଛାଡ଼ି ଚାଲିଯାଇଥିଲେ। ଘରେ କେବଳ ସୁବାସୋ ଥିଲେ। ଦୁର୍ବୃତ୍ତମାନେ ଗତକାଲି ପୁଣି ଘରକୁ ଆସି ଆହତ ସୁବାସୋଙ୍କୁ ଚିକିତ୍ସା ପାଇଁ ଡାକ୍ତର‌ଖାନା ନେବାକୁ କହି ଡାକି ନେଇଥିଲେ। ହେଲେ ଡାକ୍ତରଖାନା ନନେଇ ଦୁର୍ବୃତ୍ତମାନେ ତାଙ୍କୁ ବାଟରେ ତଣ୍ଟିଚିପି ହତ୍ୟା କରିବା ପରେ ଘରେ ଆଣି ମୃତଦେହ ଫୋପାଡ଼ି ଦେଇଥିଲେ।

ଦୁର୍ବୃତ୍ତମାନେ ପୁଅ ଶଙ୍କର ଓ ବୋହୂ ସରସ୍ବତୀଙ୍କୁ ପାଇନଥିଲେ। ପରେ ଶଙ୍କରଙ୍କୁ ଖୋଜିବା ପାଇଁ ତାଙ୍କ ସଂପର୍କୀୟ ହୁଡ଼ିସାହିର ଚୈତନ୍ୟ ମୁଣ୍ତାଙ୍କ ଘରକୁ ଯାଇଥିଲେ। ସେଠାରେ ମଧ୍ୟ ସେମାନେ ଶଙ୍କରଙ୍କୁ ପାଇନଥିଲେ। ଦୁର୍ବୃତ୍ତମାନେ ଚୈତନ୍ୟଙ୍କୁ ଘୋଷାରି ଘୋଷାରି ସୁବାସୋଙ୍କ ଘରକୁ ଆଣିଥିଲେ। ସେଠାରେ ଏକ ଟାଙ୍ଗିଆ ବେଣ୍ଟରେ ପିଟିପଟି ହତ୍ୟା କରିଥିଲେ।ଆଜି ସକାଳେ ଖବର ପାଇ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି, ବଡ଼ବିଲ ଏସ୍‌ଡିପିଓ ଦିଲ୍ଲୀପ ଚନ୍ଦ୍ର ବାଗ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି, ଗୁଣିଗାରେଡି ସନ୍ଦେହ କରି ସୁବାସୋଙ୍କୁ ହତ୍ୟା କରାଯାଇଛି। ଚୈତନ୍ୟଙ୍କୁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ଆଗକୁ ବଢ଼ିଲେ କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ପୁଲିସ୍‌ ଶବ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚକିତ୍ସାଳୟରେ ବ୍ୟବଚ୍ଛେଦ କରିଛି। ଏନେଇ ବାମେବାରୀ ଥାନାରେ କେସ ନମ୍ବର ୧୦୩/୧୯ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe