ପଲାସାରେ ରଥଯାତ୍ରା କରନ୍ତି କଟକର ତ୍ରିପାଠୀ ପରିବାର

Advertisment

ରଥଯାତ୍ରାରେ ସାମିଲ ହୁଅନ୍ତି ୫୦ହଜାରରୁ ଅଧିକ ଓଡ଼ିଆ ଶ୍ରଦ୍ଧାଳୁ

ରଥଯାତ୍ରାରେ ସାମିଲ ହୁଅନ୍ତି ୫୦ହଜାରରୁ ଅଧିକ ଓଡ଼ିଆ ଶ୍ରଦ୍ଧାଳୁ

ପଲାସାରେ ରଥଯାତ୍ରା କରନ୍ତି କଟକର ତ୍ରିପାଠୀ ପରିବାର

କଟକ: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା ପଲାସା ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ଶ୍ରୀମନ୍ଦିର ନୀତିକାନ୍ତିକୁ ଅନୁସରଣ କରି ଚାଲେ। ଦେବସ୍ନାନ ପୂର୍ଣ୍ଣିମା, ଅଣସର ନୀତି, ନବଯୌବନ ଦର୍ଶନ ଓ ଘୋଷଯାତ୍ରା ବି ସେଠାରେ ଅନୁଷ୍ଠିତ ହୁଏ। ଏହାକୁ ଆୟୋଜନ କରନ୍ତି ଓଡ଼ିଶା ତଥା କଟକ ସହରର ପ୍ରତିଷ୍ଠିତ ତ୍ରିପାଠୀ ବ୍ରାହ୍ମଣ ପରିବାର। କରୋନା ଦୁଇ ବର୍ଷ ଛାଡି‌ଦେଲେ ୨୯ବର୍ଷ ଧରି ଏପରି ରଥଯାତ୍ରା ଚାଲିଥିବା ବେଳେ ଏଥିରେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ୫୦ ହଜାରରୁ ଅଧିକ ‌ଲୋକ ସାମିଲ ହୁଅନ୍ତି।

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମୟରେ ଓଡ଼ିଆ ଶାସନୀ ବ୍ରାହ୍ମଣ ସ୍ବର୍ଗତ କାଳୀଚରଣ ତ୍ରିପାଠୀ ଓଡ଼ିଶାରେ ମିଶିବାକୁ ଆଶା କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ତାହା ପୂରଣ ହୋଇପାରିଲା ନାହିଁ। ସେ ପଲାସାରେ ରହିଗଲେ। କେବଳ କାଳୀଚରଣଙ୍କ ପରିବାର ନୁହେଁ, ବହୁ ଓଡ଼ିଆ ପରିବାର ଆନ୍ଧ୍ରପ୍ରଦେଶର ପଲାସାରେ ରହିଗଲେ। କାଳୀଚରଣଙ୍କ ‌ଇଚ୍ଛା ଥିଲା ପଲାସାରେ ଜଗନ୍ନାଥ ମନ୍ଦିର ହେବ ଓ ସବୁ ଓଡ଼ିଆ ଜଗନ୍ନାଥଙ୍କୁ ପ୍ରତିଦିନ ଦର୍ଶନ କରିବେ। କାଳୀଚରଣଙ୍କ ଦୁଇ ପୁଅ ସ୍ବର୍ଗତ ବାସୁଦେବ ତ୍ରିପାଠୀ ଓ ସ୍ବର୍ଗତ ନିରଞ୍ଜନ ତ୍ରିପାଠୀ ୧୯୯୬ମସିହାରେ ପଲାସା ସହର ରେଳ‌ଷ୍ଟେସନ ପାଖରେ ତ୍ରିପାଠୀ ଗଳିରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ସମସ୍ତ ନୀତିକାନ୍ତି ସହ ରଥଯାତ୍ରା ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ତ୍ରିପାଠୀ ପରିବାର ଓଡ଼ିଶା ଚାଲି ଆସି କଟକ ସହରରେ ରହିଲେ। କିନ୍ତୁ ସେମାନଙ୍କ ପୈତୃକ ସଂପତ୍ତି ପଲାସାରେ ରହିଛି। ୧୯୯୬ରୁ ଦୀର୍ଘ ୨୯ ବର୍ଷ ଧରି ପଲାସା ସହରରେ ରଥଯାତ୍ରା ଆନନ୍ଦଉଲ୍ଲାସରେ ପାଳନ ହୋଇ ଆସୁଛି। ସବୁଠୁ ବଡ଼ କଥା ହେଉଛି, ଏହି ରଥଯାତ୍ରାରେ ଇଚ୍ଛାପୁରମ୍, ଚିକିଟି, ସୋମପେଟା, ମାନ୍ଦସା, ହରିପୁରମ୍, ନୂଆପଡା ଆଦି ଅଞ୍ଚଳର ଉଭୟ ତେଲୁଗୁ ଓ ଓଡ଼ିଆ ଲୋକମାନେ ସାମିଲ ହେଉଛନ୍ତି।

ଆନ୍ଧ୍ରପ୍ରଦେଶର ଅନ୍ୟ କିଛି ସ୍ଥାନରେ ରଥଯାତ୍ରା ଆୟୋଜନ ହେଉଥିଲେ ମଧ୍ୟ ପଲାସାରେ ରଥଯାତ୍ରାରେ ସର୍ବାଧିକ ଓଡ଼ିଆ ସାମିଲ ହୁଅନ୍ତି। ଏବେ ବାସୁଦେବ ତ୍ରିପାଠୀଙ୍କ ପୁଅ ତଥା କାଳୀଚରଣ ତ୍ରିପାଠୀଙ୍କ ନାତି ଚନ୍ଦନ କୁମାର ତ୍ରିପାଠୀ କଟକ ସହରର ମହତାବ ରୋଡରେ ରହୁଛନ୍ତି। କିନ୍ତୁ ସେ ପଲାସା ଜଗନ୍ନାଥ ମନ୍ଦିର ପରିଚାଳନା ସହ ସଂପୃକ୍ତ ରହିଛନ୍ତି। ଚନ୍ଦନ କୁମାର ତ୍ରିପାଠୀଙ୍କ କହିବା ଅନୁସାରେ, ପଲାସା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିରେ ଡାକ୍ତର, ରେ‌ଳ ବୋର୍ଡର ସଦସ୍ୟ, ପ୍ରଶାସକ ପ୍ରମୁଖ ସଦସ୍ୟ ଅଛନ୍ତି। ଚଳିତ ବର୍ଷ ରଥଯାତ୍ରା ପାଇଁ ସେଠାରେ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe