ଜଗତସିଂହପୁରରେ ଟ୍ରିପଲ୍‌ ମର୍ଡର: ବାପା, ମା’, ଭଉଣୀଙ୍କୁ ହତ୍ୟା

ଜଗତସିଂହପୁର ସହର ଜୟବଡ଼ ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକ ଘର ଭିତରେ ତା’ର ବାପା, ମା’ ଓ ଭଉଣୀଙ୍କ ମୁଣ୍ଡକୁ ପଥର ଓ ହେମଦସ୍ତାରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି।

ghbvfc

ଜଗତସିଂହପୁର: ଜଗତସିଂହପୁର ସହର ଜୟବଡ଼ ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକ ଘର ଭିତରେ ତା’ର ବାପା, ମା’ ଓ ଭଉଣୀଙ୍କ ମୁଣ୍ଡକୁ ପଥର ଓ ହେମଦସ୍ତାରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ଘରୁ ପଳାଇ ଯାଇ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ବୁଲୁଥିବା ବେଳେ ପୁଲିସ ତାକୁ କାବୁ କରିଛି। ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ୩ ଜଣ ହେଉଛନ୍ତି ପ୍ରଶାନ୍ତ ସେଠୀ ଓରଫ୍ କାଳିଆ(୬୫), ତାଙ୍କ ପତ୍ନୀ କନକଲତା ଓ ଝିଅ ରୋଜାଲିନ। ସାନ ପୁଅ ସୂର୍ଯ୍ୟକାନ୍ତ ସେଠୀ ଓରଫ୍ ବଣ୍ଟି ଏଭଳି କାଣ୍ଡ କରିଥିବା କୁହାଯାଉଛି। ପରିବାର ଲୋକଙ୍କ ଉପରେ କୌଣସି କାରଣରୁ ସନ୍ଦେହ କରି ବଣ୍ଟି ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। କିନ୍ତୁ ବଣ୍ଟି ଜଣେ ମାନସିକ ବିକୃତ ବୋଲି ତା’ର ବଡ଼ ଭାଇ ରମାକାନ୍ତ ପୁଲିସ ନିକଟରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ପ୍ରଶାନ୍ତ ସେଠୀଙ୍କ ପରିବାର କହିଲେ ତାଙ୍କ ପତ୍ନୀ, ତିନି ପୁଅ ଓ ଗୋଟିଏ ଝିଅ। ବଡ଼ ପୁଅ ରମାକାନ୍ତ ଓଆଇଏସ୍‌ଏଫ୍‌ରେ ଚାକିରି କରୁଥିବା ବେଳେ ଏବେ କେନ୍ଦୁଝରରେ ଅବସ୍ଥାପିତ ଅଛନ୍ତି। ସେଠାରେ ସେ ପତ୍ନୀଙ୍କ ସହ ରୁହନ୍ତି। ମଝିଆ ପୁଅ ଉମାକାନ୍ତ ବିବାହିତ। ସେ ଜଗତସିଂହପୁର ସହରରେ ଭଡ଼ାରେ ରହୁଥିଲେ। ସାନ ପୁଅ ଅଭିଯୁକ୍ତ ବଣ୍ଟି ଓ ଝିଅ ରୋଜାଲିନ ଘରେ ବାପାମା’ଙ୍କ ସହ ରହୁଥିଲେ। ରୋଜାଲିନଙ୍କ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଖୋଜା ଚାଲିଥିଲା। ବଣ୍ଟି ଅନେକ ସମୟରେ ମୋବାଇଲରେ ଅନ୍‌ଲାଇନ୍‌ ପବ୍‌ଜି ଗେମ୍ ଖେଳୁଥିବା ଅନେକ ଦେଖିଥିବା ପୁଲିସ ଆଗରେ କହିଛନ୍ତି। ଅତ୍ୟଧିକ ଗେମ୍ ଖେଳିବା ସହ ସବୁବେଳେ ମୋବାଇଲ ଫୋନ୍ ବ୍ୟବହାର କରୁଥିଲା। ଏପରିକି ରାତିରେ ମଧ୍ୟ ଶୋଉ ନ ଥିଲା। ପରିବାର ଲୋକେ ଜାତକ ଦେଖାଇବାରୁ ରାଶି ନକ୍ଷତ୍ର ଠିକ୍ ନ ଥିଲା ବୋଲି କୌଣସି ଜ୍ୟୋତିଷ କହିଥିଲେ। ତାକୁ ପରିବାର ଲୋକ ଠାକୁରାଣୀଙ୍କ ପାଖକୁ ମଧ୍ୟ କେତେ ଥର ନେଇଥିଲେ। ଗତକାଲି ମଧ୍ୟ ପରିବାର ଲୋକ ଠାକୁରାଣୀଙ୍କ ପାଖରେ ଥିବା ବାବାଙ୍କ ପାଖକୁ ଯାଇଥିଲେ। ସେଠାରୁ ପାଦୁକ ନେଇ ଘରକୁ ଫେରିଥିଲେ। ଦିନବେଳା ଏହି ପାଦୁକକୁ ବଣ୍ଟିକୁ ପିଇବାକୁ ଦେଇଥିଲେ ବୋଲି ପୁଲିସ କିଛି ଲୋକଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି। କିନ୍ତୁ ବଣ୍ଟି ଏହି ପାଦୁକ ପାଣି ପିଇବାକୁ ରାଜି ହୋଇ ନଥିଲା। ଏହାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। 

ସମସ୍ତେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲା ବଣ୍ଟି। ପ୍ରଥମେ ବାପା ପ୍ରଶାନ୍ତଙ୍କ ମୁଣ୍ଡକୁ ଏକ ଗୋଲାକାର ପଥରରେ ଛେଚି ଦେଇଥିଲା। ବାପା ତଳେ ପଡ଼ିଯିବା ସହ ଚିତ୍କାର କରିବାରୁ ମା’ କନକଲତା ଓ ଭଉଣୀ ରୋଜାଲିନଙ୍କ ନିଦ ଭାଙ୍ଗି ଯାଇଥିଲା। ଏହା ପରେ ବଣ୍ଟି ମା’ କନକଲାତଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ସେହିପରି ଭଉଣୀ ରୋଜାଲିନ ଗ୍ରିଲ୍‌ ଖୋଲି ବାହାରକୁ ଯିବା ପାଇଁ ଚେଷ୍ଟା କରୁଥିଲା ବେଳେ ବଣ୍ଟି ସେଠାରେ ତାଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ରୋଜାଲିନଙ୍କ ମୁଣ୍ଡକୁ ଛେଚି ଦେବାରୁ ସେ ସେଠାରେ ତଳେ ପଡ଼ି ଯାଇଥିଲେ। ସେଠାରୁ ତାଙ୍କୁ ଘୋଷାରି ଘୋଷାରି ବଣ୍ଟି ଘର ଭିତରକୁ ନେଇ ଯାଇଥିଲା। ଘୋଷାରିବା ସମୟରେ ରକ୍ତ ଦାଗ ମଧ୍ୟ ତଳେ ଲାଗିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ଘଟାଇବା ସମୟରେ ପରିବାର ଲୋକଙ୍କ ସହ ବଣ୍ଟିର ଧସ୍ତାଧସ୍ତି ହୋଇଥିବାର ସୂଚନା ମିଳୁଛି। ଏଭଳି ବୀଭତ୍ସ କାଣ୍ଡ ଘଟାଇବା ପରେ ବଣ୍ଟି ବାହାରକୁ ଆସି ପଡ଼ୋଶୀଙ୍କୁ ଉଠାଇ ହତ୍ୟାକାଣ୍ଡ ସମ୍ପର୍କରେ କହିଥିଲା। ଘରକୁ ଫେରି ପ୍ୟାଣ୍ଟ ଓ ସାର୍ଟ ବଦଳାଇବା ପରେ ଘରୁ ବାହାରି ଯାଇଥିଲା। ପୁଲିସ ତାକୁ ପିଛା କରି ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ଧରିଥିଲା। ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା କରାଇଛି ପୁଲିସ। ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ କରାଇଛି। ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଗୋଟିଏ ଜୁଇରେ ବାପାମା’ ଓ ଝିଅର ମୃତଦେହକୁ ସତ୍କାର କରାଯାଇଛି।

ଜଗତସିଂହପୁର ଥାନା ଆଇଆଇସି ପ୍ରଭାସ ସାହୁ ସଦଳବଳ ପହଞ୍ଚି ପୂରା ଘଟଣାର ଛାନ୍‌ଭିନ୍ କରିଛନ୍ତି। ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ପୁଲିସ ସହ ମିଶି ହତ୍ୟାକାଣ୍ଡରେ ବ୍ୟବହୃତ ପଥର, ଲୁହା ହେମଦସ୍ତା ପୁଆ, ରକ୍ତ ଜୁଡ଼ୁବୁଡ଼ୁ ପୋଷାକ, ରକ୍ତ ନମୁନା ଓ ଆଉ କିଛି ସାମଗ୍ରୀ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe