କଟକ: ତ୍ରିଶୂଳିଆ ଓ କଟକର ଜୁଡିସିଆଲ ଏକାଡେମିକୁ ସଂଯୋଗ କରୁ୍ଥିବା ନେତାଜୀ ସେତୁକୁ ଲାଗି ଏକ ନୂତନ ପୋଲ ନିର୍ମାଣ ପାଇଁ ହୋଇଥିବା ଯୋଜନାରେ ପରିବର୍ତ୍ତନ କରାଯାଇଛି। ଏଥିପାଇଁ ହୋଇଥିବା ୨୨୦ କୋଟି ଟଙ୍କାର ଟେଣ୍ଡରକୁ ବାତିଲ କରି ଦିଆଯାଇଛି। ସାନି ଟେଣ୍ଡ୍ର ଡାକିବାକୁ ନିଷ୍ପତ୍ତି ହୋଇଛି। ପୁରୁଣା ସେତୁ ଯୋଜନାକୁ ବାତିଲ କରି କାଠଯୋଡ଼ି ଉପରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି। ପୂର୍ବରୁ ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆ ପର୍ଯ୍ୟନ୍ତ ହେବ ବୋଲି ଘୋଷଣା କରାଯାଇଥିବା ବେଳେ ଏହାକୁ ଏବେ କଟକ ସହର ଭିତରକୁ ଆଣିବାର ଯୋଜନା ହୋଇଛି। ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ସଂପ୍ରସାରଣ କରିବାକୁ ଯୋଜନା କରିଥିବାରୁ ତ୍ରିଶୂଳିଆ ଦ୍ବିତୀୟ ସେତୁର ଟେଣ୍ଡର ବାତିଲ କରାଯାଇଛି ବୋଲି ଜଣେ ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା। ମାତ୍ର ସରକାର ଏବେ ଏହାକୁ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କାଠଯୋଡି ପୋଲ ଉପରେ ନିର୍ମାଣ ହେବାକୁ ଥିବା ସେତୁର ଢାଞ୍ଚାକୁ ଆକର୍ଷଣୀୟ କରାଯିବ। ୬ ଲେନ୍ର ଏହି ସେତୁ ଉପରେ ରେଳଧାରଣା ରହିବ ଏବଂ ସେଥିରେ ମେଟ୍ରୋ ଟ୍ରେନ୍ ଗଡିବ। ଏହାର ତଳକୁ ବସ୍ ତଥା ଅନ୍ୟ
ଯାନବାହନ ଚଳାଚଳର ବ୍ୟବସ୍ଥା କରାଯିବ। ଏହି ସେତୁ ପାଇଁ ଏବେ ସବିଶେଷ ପ୍ରୋଜେକ୍ଟ୍ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଉଛି। ରିପୋର୍ଟ ଆସିବା ପରେ ସରକାର ଏହାର ଟେଣ୍ଡ୍ର କରିବେ। ମେଟ୍ରୋ ପ୍ରକଳ୍ପ ଜୁଡିସିଆଲ ଏକାଡେମି, ଶିଶୁ ଭବନ, ହାଇକୋର୍ଟ, ପୁରୀଘାଟ ଦେଇ ନେତାଜୀ ବସ୍ ଟର୍ମିନାଲକୁ ଯୋଡ଼ିବ।
ସୂଚନାଯୋଗ୍ୟ ଯେ ପୂର୍ବରୁ କାଠଯୋଡି ଉପରେ ଥିବା ନେତାଜୀ ସେତୁକୁ ଲାଗି ଆଉ ଏକ ୨୦ ମିଟର ଓସାରର ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଓବିସିସି ପକ୍ଷରୁ ଟେଣ୍ଡ୍ର ମଧ୍ୟ ଡକାଯାଇଥିଲା। ଏହାକୁ ବାତିଲ କରାଯାଇଥିଲେ ବି ମେଟ୍ରୋ ପ୍ରକଳ୍ପ ଭୁବନେଶ୍ବର ବିମାନବନ୍ଦରରୁ ସିଏନ୍ବିଟି ପର୍ଯ୍ୟନ୍ତ ସଂପ୍ରସାରିତ ହେଲେ ତାହା ଅଧିକ ସ୍ବାଗତଯୋଗ୍ୟ ହେବ। ଏ ସଂପର୍କରେ ବିଧିବଦ୍ଧ ଶିଳାନ୍ୟାସ କାର୍ଯ୍ୟକ୍ରମ ୨୦୨୪ ଜାନୁଆରିରେ ହେବାର ଯୋଜନା ରହିଛି।
Follow Us