ବୁଡ଼ିଗଲାଣି ଟ୍ରକ ବ୍ୟବସାୟ: ଦୁର୍ଦ୍ଦିନରେ ମାଲିକ

Advertisment

ଗାଡ଼ି ଟଣା ହେଉଛି, ସୁନାଗହଣା ନିଲାମ ହେଉଛି

ଗାଡ଼ି ଟଣା ହେଉଛି, ସୁନାଗହଣା ନିଲାମ ହେଉଛି

ବୁଡ଼ିଗଲାଣି ଟ୍ରକ ବ୍ୟବସାୟ: ଦୁର୍ଦ୍ଦିନରେ ମାଲିକ

IndiaMART

ସୁକିନ୍ଦା:କ୍ରୋମାଇଟ କ୍ୟାପିଟାଲ ସୁକିନ୍ଦା ଅଞ୍ଚଳର ଟ୍ରକ ମାଲିକ ଏବେ ଘୋର ଦୁର୍ଦିନରେ। ​ପରିବହନ ଠିକାଦାର ଓ ଅଦୃଶ୍ୟ ଶକ୍ତିର ଶୋଷଣ, ଲୋଡିଂ ନମିଳିବା ଆଦି କାରଣରୁ ଶତାଧିକ ମାଲିକ ଦେବାଳିଆ ସ୍ତରକୁ ଆସିଗଲେଣି। ବାଟ ମଝି​ରୁ ଅର୍ଥ ଲଗାଣକାରୀ ସଂସ୍ଥା ଟ୍ରକକୁ ଟାଣି ନେଲାଣି ତ ବନ୍ଧା ରଖିଥିବା ସୁନାଗହଣାକୁ ବ୍ୟାଙ୍କ ନିଲାମ କରିଦେଲାଣି। ଏକଦା ଯାଜପୁର ଜିଲ୍ଲାର ହଜାରହଜାର ଲୋକଙ୍କୁ ରୋଜଗାର ଦେଉଥିବା ଟ୍ରକ ବ୍ୟବସାୟ ଏଭଳି ଚକ୍ରବ୍ୟୂହରେ ଫସି ବୁଡ଼ିଯିବାକୁ ବସିଲାଣି। କିଛି ବର୍ଷ ପୂର୍ବରୁ ସୁକିନ୍ଦା ଅଞ୍ଚଳରେ ପାଖାପାଖି ୪ ହଜାର ଟ୍ରକ (୬, ୧୦, ୧୨ ଓ ୧୪ ଚକିଆ) ଥିଲାବେଳେ ଏବେ ଏହି ସଂଖ୍ୟା ଏକହଜାରକୁ ଖସିଆସିଲାଣି। ଯଦି ଏହି ପରିସ୍ଥିତି ଜାରି ରହେ ତେବେ ଖୁବ୍‌ଶୀଘ୍ର ଟ୍ରକ ସଂଖ୍ୟା ତିନିଅଙ୍କକୁ ଖସି ଆସିବ ବୋଲି ବହୁ ମାଲିକ କହିଛନ୍ତି।

ସୁକିନ୍ଦାର ସନାତନ ଭୂୟାଁଙ୍କର କିଛିବର୍ଷ ତଳେ ୬ଟି ଟ୍ରକ ଥିଲା। ଏବେ ତାଙ୍କ ପାଖରେ ଗୋଟିଏ ଟ୍ରକ ବଞ୍ଚିଛି। କିସ୍ତି ଦେଇ ନପାରିବାରୁ ୫ଟି ଗାଡ଼ି ଟଣା ହୋଇଯାଇଛି। ଗ୍ରାମ୍ୟବ୍ୟାଙ୍କରେ ଥିବା ସୁନାଗହଣା ୭ ଲକ୍ଷ ଟଙ୍କାରେ ନିଲାମ ହୋଇଯାଇଛି। ଏବେ ଥିବା ୧୨ ଚକିଆ ଟ୍ରକଟି ଗତ ଦୁଇମାସରେ ମାତ୍ର ଗୋଟିଏ ଟ୍ରିପ୍‌ କରିଛି। ମାସକରେ କିସ୍ତି ୫୦ରୁ ୮୦ ହଜାର ପର୍ଯ୍ୟନ୍ତ ପଡୁଥିବାବେଳେ ଗୋଟିଏ ଟ୍ରିପ୍‌ରୁ ବଞ୍ଚୁଛି ମାତ୍ର ୨୦-୨୫ ହଜାର ଟଙ୍କା। ଅନ୍ୟ ଜଣେ ଟ୍ରକ ମାଲିକ ହେଉଛନ୍ତି ମାଧପୁରର ନିର୍ମଳେନ୍ଦୁ ବେଉରା। ତାଙ୍କର ଦୁଇଟି ୧୪ ଚକିଆ ଟ୍ରକ ରହିଛି। ୫ ଟା କିସ୍ତି ଦେଇପାରି ନାହାନ୍ତି। ଗୋଟିଏ କିସ୍ତି ୭୦ରୁ ୮୦ ହଜାର ଟଙ୍କା। ବାପାଙ୍କ ପେନସନ ଟଙ୍କା ଘରର ସୁନାଗହଣା ବିକି/ବନ୍ଧା ପକାଇ ସେ କିସ୍ତି ଟଙ୍କା ଦେବାକୁ ଚେଷ୍ଟା କରୁଛନ୍ତି। ଏମିତି ପରିସ୍ଥିତିରେ କେତେଦିନ ଆଉ ଟ୍ରକ ଚଳାଇ ହେବ ବୋଲି ଦୁହେଁ ପ୍ରଶ୍ନ କରିଛନ୍ତି। ଶହଶହ ମାଲିକଙ୍କ ଅବସ୍ଥା ଏମିତି ହୋଇଛି।

ସାରା ଦେଶରେ ଗଚ୍ଛିତ କ୍ରୋମାଇଟର ଶତକଡ଼ା ୯୦ଭାଗ ସୁକିନ୍ଦାର ମାଟିତଳେ ରହିଛି। ଏହାକୁ ନେଇ ଏଅଞ୍ଚଳରେ ଗଢି ଉଠିଛି ଦଶରୁ ଊର୍ଦ୍ଧ୍ବ ଶିଳ୍ପାନୁଷ୍ଠନ। ଶିଳ୍ପରେ ତ ସ୍ଥାନୀୟ ନିଯୁକ୍ତି ନଗଣ୍ୟ। ପରିବହନ ବଢ଼ିବାରୁ ବହୁ ଯୁବକ ଟ୍ରକ ବ୍ୟବସାୟରେ ପାଦ ଦେଇଥିଲେ। ଏବେ ସେମାନେ ଆଗ ବଳି ପଡ଼ିଛନ୍ତି। ମାସିକିଆ କିସ୍ତି ଦେଇ ନପାରି ପୂଳ ପୁଞ୍ଜି ସହ ଟ୍ରକଟିକୁ ହରାଇଛନ୍ତି। ଟ୍ରକ ମାଲିକଙ୍କ କହିବା ଅନୁସାରେ ରାଜ୍ୟର ଅନ୍ୟ ଅଞ୍ଚଳରେ ମାଲ୍‌ ପରିବହନ ଭଡ଼ା ସାତଦିନ ମଧ୍ୟରେ ମିଳୁଛି। ଏଠାରେ ଭଡ଼ା ପାଇଁ  ଦୁଇରୁ ତିନିମାସ ଲାଗୁଛି। ପୁଣି ପ୍ରାପ୍ତ ଭଡ଼ାର ପାଞ୍ଚରୁ ଦଶ ପ୍ରତିଶତ କମିସନ ଦଲାଲ ନେଇଯାଉଛି।

ତାଳଚେର କୋଇଲା ଖଣିରୁ ଶହେ କିଲୋମିଟର ଦୂର ପରିବହନ ଦର ଟନ ପିଛା ୧୨୫୦ ଟଙ୍କା ଥିବାବେଳେ ସୁକିନ୍ଦା କ୍ରୋମାଇଟ ଖଣିରୁ ତିନିଶହ କିଲୋମିଟର ଦୂର ପରିବହନ ଦର ଟନ ପିଛା ୨୧୦୦ ଟଙ୍କା, ଛଅଶହ  କିଲୋମିଟର ଦୂର ପରିବହନ ଦର ଟନ ପିଛା ୨୯୦୦ ଟଙ୍କା  ରହିଛି। ତାଳଚେର କୋଇଲା କ୍ଷେତ୍ରରେ ବୋଝେଇ ଓ ଖଲାସ ଖର୍ଚ୍ଚ  ପରିବହନ ଠିକାଦାର ପୈଠ କରୁଥିବାବେଳେ ସୁକିନ୍ଦା କ୍ରୋମାଇଟ ଖଣିରେ ପରିବହନ ଠିକାଦାର ବୋଝେଇ ଓ  ଖଲାସ ବାବଦକୁ ଟ୍ରକ ପିଛା ୧୨୦୦ରୁ ୧୬୦୦ ଟଙ୍କା ମାଲିକଙ୍କଠାରୁ ଆଦାୟ କରୁଛି। ମେସିନ ମାଧ୍ୟମରେ ଲୋଡ୍‌ ହେଉଥିଲେ ବି ପରିବହନ ସଂସ୍ଥା ବୋଝେଇ  ଶ୍ରମିକଙ୍କ ପ୍ରାପ୍ୟ ନାମରେ ଟନ ପିଛା ୩୫ ଟଙ୍କା ଆଦାୟ କରୁଛି। ଏ ବାବଦରେ ଟ୍ରକ ମାଲିକ ମାସକୁ ୧୦ରୁ ୧୫ ହଜାର ଟଙ୍କା ହରାଉଛନ୍ତି। ବାରମ୍ବାର ଦାବି ​ସତ୍ତ୍ବେ ପୁଲିସ ପ୍ରଶାସନ ଏହାର ସମାଧାନ କରିପାରୁ ନାହିଁ। ପରିସ୍ଥିତି ନ ସୁଧୁରିଲେ ଟ୍ରକ ବ୍ୟବସାୟରେ ଆତ୍ମହତ୍ୟା ଭଳି ଅଘଟଣ ଆଶଙ୍କାକୁ ମଧ୍ୟ ଏଡ଼ାଯାଇ ନପାରେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe