ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ଟ୍ରକ୍‌ ସହିତ ଜଳିଗଲା ବାଇକ୍‌, ଜଣେ ଗୁରୁତର

Advertisment
ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ଟ୍ରକ୍‌ ସହିତ ଜଳିଗଲା ବାଇକ୍‌, ଜଣେ ଗୁରୁତର

ଭଦ୍ରକ: ମଦ୍ୟପ ଡ଼୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ। ଟ୍ରକ୍‌ ସହିତ ବାଇକ ଜଳିଗଲା। ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ଗଣିଜାଙ୍ଗ ସେଠୀସାହି ଛକରେ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ ଯୋଗୁ ଜଣେ ଗୁରୁତର ହେବା ସହିତ ହାଇୱା ଟ୍ରକ୍‌ ସଂପୂର୍ଣ୍ଣ ଜଳିଯାଇଛି।

ଆଜି ପ୍ରାୟ ସନ୍ଧ୍ୟା ୫ଟା ସମୟରେ ମଦ୍ୟପ ଡ଼୍ରାଇଭର ଚଳାଉଥିବା ହାଇୱା ଟ୍ରକ (ଓଡି ୨୨ ୱାଇ ୮୦୬୬) ବରପଦା ମେଡ଼ିକାଲ ଛକ ନିକଟରେ ଥିବା ଦୋକାନ ଉପରେ ଚଢ଼ିଯାଇଥିଲା। ଫଳରେ ଦୋକାନରେ ବସିଥିବା ରାମକୃଷ୍ଣପୁର ପଞ୍ଚାୟତ ନଇପାରିଗଢିଆ ଗ୍ରାମର ଦାଶରଥି ପରିଡା ( ୫୦)କୁ ଧକ୍କା ଦେଇଥିଲା। ଡ୍ରାଇଭର ହୋସରେ ନଥିବାରୁ ଦୁର୍ଘଟଣା‌ ପରେ ଗାଡ଼ି ଅଟକାଇବା ବଦଳରେ ଦୋକାନ ସମ୍ମୁଖରେ ଥିବା ଏକ ବାଇକ୍‌ ଓ ସାଇକେଲକୁ ଟାଣିନେଇ ଦ୍ରୁତବେଗରେ ଚାଲିଯାଇଥିଲେ। କିଛି ବାଟ ଯିବା ପରେ ଗଣିଜାଙ୍ଗ ସେଠୀସାହି ଛକ ନିକଟରେ ହଇୱାରେ ନିଆଁ ଲାଗି ଯାଇଥିଲା। ଏଥିସହ ବାଇକରେ ମଧ୍ୟ ନିଆଁ ଧରି ଯାଇଥିଲା। ସ୍ଥାନୀୟ ଲୋକେ ଡ଼୍ରାଇଭରକୁ କାବୁ କରି ପୁଲିସ ଜିମା ଦେଇଥିବା ସୂଚନା ମିଳିଛି ।

ଦୁର୍ଘଟଣାର ଶିକାର ହୋଇଥିବା ଦାଶରଥୀ ପରିଡ଼ାଙ୍କର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା, ମାତ୍ର ଆମ୍ବଲାନ୍ସ ନମିଳିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ସମ୍ଭବ ହୋଇନଥିଲା। ସେ ବରପଦା ମେଡ଼ିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡ଼ିଛି। ଏହି ଘଟଣାରେ ଗଣିଜାଙ୍ଗ ନିକଟରେ ରାଜ୍ୟ ରାଜପଥର ଉଭୟ ପାର୍ଶ୍ଵରେ ରାସ୍ତା ଜାମ ହେବା ସହିତ ଏକ ମାଲ ବୋଝେଇ ଅଟୋ ମଧ୍ୟ ଓଲଟି ପଡ଼ିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe