ଟ୍ରକ୍ ମାଲିକଙ୍କ ଦାଦାଗିରି: ୪ ଯୁବକଙ୍କୁ ଘରୁ ଟେକିନେଇ ନିର୍ଘାତ ମାଡ଼

Advertisment

ଘଟଣାର ଭିଡିଓ ଭାଇରାଲ୍‌; ୩ ଗିରଫ, ୧୭ ଫେରାର

ଘଟଣାର ଭିଡିଓ ଭାଇରାଲ୍‌; ୩ ଗିରଫ, ୧୭ ଫେରାର

ଟ୍ରକ୍ ମାଲିକଙ୍କ ଦାଦାଗିରି: ୪ ଯୁବକଙ୍କୁ ଘରୁ ଟେକିନେଇ ନିର୍ଘାତ ମାଡ଼

ଜଗତସିଂହପୁର : ଯିଏ ପାରିଲା ସିଏ ପିଟିଲା। ବାଡ଼ି ଓ ଲୁହା ପାଇପ୍‌ରେ ନୃଶଂସ ଭାବେ ପିଟି ଚାଲିଲେ। ୨୦ରୁ ଅଧିକ ଯୁବକ ପାରାଦୀପ ବାଉରିଆପାଳନ୍ଦାରେ ରହୁଥିବା ଘନଶ୍ୟାମ ମଲ୍ଲିକଙ୍କ ଘରେ ପଶି ସେଠାରୁ ତାଙ୍କ ପୁଅ ଓ ପୁଅର ତିନି ଜଣ ବଂଧୁଙ୍କୁ ଟେକି ଆଣି ନିର୍ଘାତ ମାଡ଼ ମାରିବାର ଭିଡିଓ ଏବେ ଭାଇରାଲ୍ ହୋଇଛି। ସେମାନଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଚାରି ଜଣ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ହେବାପରେ ପୁଲିସ ଗତକାଲି ଶ୍ରୀଧର ପ୍ରଧାନ, ସୁଶାନ୍ତ ପ୍ରଧାନ ଓ ବିନୋଦ କୁମାର ପ୍ରଧାନଙ୍କୁ ଗିରଫ କରିଛି। ମାତ୍ର, ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନେ ଏବେ ବି ଫେରାର ଅଛନ୍ତି।

ଗତ ରବିବାର ଭୋର୍ ୫ଟାରେ ବାଉରିଆ ପାଳନ୍ଦା ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ତୈଳ କମ୍ପାନିର ଟର୍ମିନାଲର କେତେଜଣ ଟ୍ରକ୍ ମାଲିକ ଓ ଡ୍ରାଇଭର ବସ୍ତି ଭିତରେ ପଶି ଚାରି ଜଣ ଯୁବକଙ୍କୁ ଘରୁ ଟେକି ନେଇ ମାଡ଼ ମାରିଥିଲେ। ମାଡ଼ ଖାଉଥିବା ଯୁବକମାନେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ୟାଙ୍କରରୁ ତେଲ ଚୋରି କରୁଥିଲେ। ଫଳରେ, ସେମାନଙ୍କୁ ଏହିଭଳି ଦଣ୍ଡ ଦିଆଯାଇଥିବା ମାଡ଼ ମାରିଥିବା ବ୍ୟକ୍ତିମାନେ କହିଛନ୍ତି। ମାତ୍ର, ୪ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ ନକରି ନିଜେ ଏଭଳି ଆଇନକୁ ହାତକୁ ନେବାପାଇଁ କିଭଳି ସାହସ କଲେ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

କିଛିଦିନ ତଳେ ମୋବାଇଲ ଫୋନ୍‌ ଚୋରି ଅଭିଯୋଗରେ ଜଣେ ଯୁବକକୁ ଟ୍ରକ୍ ଆଗରେ ବାନ୍ଧି ୧୦ କିଲୋମିଟର ଗାଡ଼ି ଚଳାଇବା ଘଟଣା ଚର୍ଚ୍ଚାକୁ ଆସିଥିଲା। ଅନ୍ୟ ଏକ ଘଟଣାରେ ଜଣଙ୍କୁ ଅପହରଣ କରି ନେଇ ଟ୍ରକ୍ ଡାଲାରେ ବାନ୍ଧି ନେଇଯାଉଥିବା ବେଳେ କେନ୍ଦ୍ରାପଡ଼ାରେ ସୁଯୋଗ ପାଇ ଉକ୍ତ ଯୁବକ ଜଣକ ଖସି ପଳାଇ ଆସିଥିଲେ। ପାରାଦୀପ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟିବା ଏବଂ ଏଥିରେ ଟ୍ରକ୍ ଚାଳକ ଓ ମାଲିକମାନଙ୍କ ସଂପୃକ୍ତି ଏବେ ପ୍ରତିକ୍ରିୟାର କାରଣ ହୋଇଛି। ପୁଲିସ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe