୬ ଲକ୍ଷ ଟଙ୍କାର କାଠ ସହ ଟ୍ରକ ଜବତ, ୫ ଗିରଫ

୬ ଲକ୍ଷ ଟଙ୍କାର କାଠ ସହ ଟ୍ରକ ଜବତ, ୫ ଗିରଫ

ଲାଠିକଟା: ବାଙ୍କି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହୁପଦା ନିକଟରୁ ବନବିଭାଗ କର୍ମଚାରୀମାନେ ୬ ଲକ୍ଷ ଟଙ୍କାର କାଠ ଓ ଟ୍ରକ୍ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗୁମୁଲାର ଏମ୍‌ଡି ସାହିଦ ଆନସାରୀ(୨୫) ଓ ସୌରବ ଆନସାରୀ(୨୦), ଚାଇବସାର ରଥୁ ଭଦ୍ରା(୩୫), ବିନଜରା ତାରକଡ଼(୨୦) ଓ ଚଇତୁ ତାରକଡ଼(୨୮)। ସୂଚନା ଅନୁସାରେ, ବାଙ୍କି ରେଞ୍ଜ ଅନ୍ତର୍ଗତ ମହୁପଦା  ନିକଟସ୍ଥ ଜଙ୍ଗଲ ନିକଟରେ କିଛି ସ୍ଲିପର କାଠ ଲୋଡ୍‌ହୋଇ ବାହାରକୁ ଯାଉଥିବା ସୂଚନା ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କ ନିକଟରେ ପହଞ୍ଚିଥିଲା। ତାଙ୍କ ନିର୍ଦେଶରେ ଏସିଏଫ୍‌ ଦିଲ୍ଲୀପ ସାହୁଙ୍କ ନେତୃତ୍ବରେ ବାଙ୍କି ରେଞ୍ଜର ଅଜୟ ଖେସ, ଫରେଷ୍ଟର ସୁମନ୍ତ ପରିଡ଼ା, ପ୍ରଫୁଲ୍ଲ ସ୍ୱାଇଁ, କପିଳେଶ୍ୱର ବେହେରା ତଥା ବନ କର୍ମଚାରୀମାନେ ଆଜି ଭୋର ୩ଟାରେ ମହୁପଦା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରିଥିଲେ।

ଏକ ଟ୍ରକ୍‌ରେ ପ୍ରାୟ ୧୦୦ ଖଣ୍ଡ ଶାଳକାଠର ସ୍ଲିପର ଲୋଡ୍‌ ହୋଇଥିବା ଦେଖି କାଠସହ ଟ୍ରକ୍‌କୁ ଜବତ କରିଥିଲେ। ଜବତ ଟ୍ରକ୍‌ର ନମ୍ବର ଏନ୍‌ଏଲ ୦୩ ଏଏ ୧୨୦୫। କିଛି ଚୋର ଅନ୍ଧାରର ସୁଯୋଗନେଇ ଖସି ପଳାଇଥିବା ବେଳେ ଡ୍ରାଇଭର ସହ ୫ ଜଣଙ୍କୁ ବନ କର୍ମଚାରୀମାନେ ଗିରଫ କରିଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏଗୁଡ଼ିକ ସବୁ ଝାଡ଼ଖଣ୍ଡରୁ ଅଣାଯାଇ ରାଉରକେଲାକୁ ଚାଲାଣ ହେବାର ଯୋଜନା ରହିଥିଲା। ସୂଚନାଯୋଗ୍ୟ ଯେ, ପୂର୍ବରୁ ବାଙ୍କି ବନାଞ୍ଚଳ ଅନ୍ତର୍ଗତ ଯୋଡ଼ାବନ୍ଧରେ ବନବିଭାଗର ଏକ ତନଖି ଫାଟକଥିଲା। କିନ୍ତୁ ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁ ତାକୁ ଉଠାଇ ଦିଆଗଲା। ଯାହାଫଳରେ କାଠଚୋରମାନେ ବିନାବାଧାରେ ରାଉରକେଲା ତଥା ଆଖପାଖ ଅଞ୍ଚଳକୁ  କାଠ ଚାଲାଣ  କରୁଛନ୍ତି। ଏହି କାଠଚୋରିର ମାଷ୍ଟର ମାଇଣ୍ଡ କିଏ ଏହାର ତଦନ୍ତହେବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe