ପ୍ରକୃତ ଶିକ୍ଷା ଦାୟିତ୍ୱବାନ ନାଗରିକଙ୍କୁ ଗଠନ କରେ: ରା‌ଜ୍ୟପାଳ

ଶିକ୍ଷା କେବଳ ଜ୍ଞାନ ଆହରଣ ପାଇଁ ନୁହେଁ। ବରଂ ଏହା ବୁଦ୍ଧି, ସାଧୁତା ଓ କଳ୍ପନାକୁ ବିକଶିତ କରିବାକୁ ଉଦ୍ଦିଷ୍ଟ। ପ୍ରକୃତ ଶିକ୍ଷା ଦାୟିତ୍ୱବାନ ଓ କରୁଣାଶୀଳ ନାଗରିକଙ୍କୁ ଗଠନ କରିଥାଏ। ତେଣୁ ଛାତ୍ରଛାତ୍ରୀ ଶିକ୍ଷାର ଉପଯୋଗ କରନ୍ତୁ।

fsfsfssxcxc

ଖଣ୍ଡଗିରି: ଶିକ୍ଷା କେବଳ ଜ୍ଞାନ ଆହରଣ ପାଇଁ ନୁହେଁ। ବରଂ ଏହା ବୁଦ୍ଧି, ସାଧୁତା ଓ କଳ୍ପନାକୁ ବିକଶିତ କରିବାକୁ ଉଦ୍ଦିଷ୍ଟ। ପ୍ରକୃତ ଶିକ୍ଷା ଦାୟିତ୍ୱବାନ ଓ କରୁଣାଶୀଳ ନାଗରିକଙ୍କୁ ଗଠନ କରିଥାଏ। ତେଣୁ ଛାତ୍ରଛାତ୍ରୀ ଶିକ୍ଷାର ଉପଯୋଗ କରନ୍ତୁ। ଦେଶର ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବାକୁ ଅର୍ଥପୂର୍ଣ୍ଣ ନବସୃଜନ ଓ ସ୍ଥାୟୀ ସମାଧାନ କରିବାକୁ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର)ର ଚତୁର୍ଥ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି ଆହ୍ୱାନ ଦେଇଛନ୍ତି।

ଇଞ୍ଜିନିୟରିଂ, ଯୋଜନା, ସ୍ଥାପତ୍ୟ, ପରିଚାଳନା ଓ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ଓୟୁଟିଆରର ପଦକ୍ଷେପକୁ ପ୍ରଶଂସା କରି ରାଜ୍ୟପାଳ କହିଲେ ଏହା ବିଶ୍ୱବିଦ୍ୟାଳୟର ସାମଗ୍ରିକ ଶିକ୍ଷା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ମାତ୍ର ୪ ବର୍ଷ ମଧ୍ୟରେ ଓୟୁଟିଆର ଜ୍ଞାନ ଓ ନବସୃଜନର ଏକ ସ୍ପନ୍ଦନଶୀଳ କେନ୍ଦ୍ରରେ ପରିଣତ ହୋଇଛି। କମ୍‌ ସମୟ ମଧ୍ୟରେ ଓୟୁଟିଆର ସୃଜନଶୀଳତା ଓ ଉତ୍କର୍ଷତାର କେନ୍ଦ୍ର ପାଲଟି ଯୁବବର୍ଗଙ୍କୁ ନବସୃଜନକାରୀ, ରାଷ୍ଟ୍ର ନିର୍ମାତା ହେବାକୁ ପ୍ରୋତ୍ସାହିତ କରିପାରିଛି। ଏଠାକାର କୃତ୍ରିମ ବୁଦ୍ଧିମତ୍ତା, ରୋବୋଟିକ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଭଳି ନୂତନ ପାଠ୍ୟକ୍ରମ ପ୍ରଚଳନ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍‌ ଫଳପ୍ରଦ ହେବ। ଭାରତର ସେମିକଣ୍ଡକ୍ଟର ବିପ୍ଳବରେ ଓଡ଼ିଶାର ଉତ୍ସାହଜନକ ଭୂମିକା ରହିଛି। ଦେଶର ପ୍ରଥମ ବାଣିଜ୍ୟିକ କମ୍ପାଉଣ୍ଡ୍‌ ସେମିକଣ୍ଡକ୍ଟର ଫ୍ୟାବ୍ରିକେସନ୍ ସୁବିଧା ଓ ରାଜ୍ୟରେ ପ୍ରତିଷ୍ଠିତ ହେବାକୁ ଥିବା ଉନ୍ନତ ପ୍ୟାକେଜିଂ ୟୁନିଟ୍ ବିଷୟ ଉପରେ ମଧ୍ୟ ରାଜ୍ୟପାଳ ଆଲୋକପାତ କରିଥିଲେ। ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଫ୍ୟାବଲେସ୍ ନୀତି ଅଧୀନରେ ଓଡ଼ିଶାକୁ ଏକ ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କେନ୍ଦ୍ର ଭାବରେ ବିକଶିତ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିବା ସହ ରୂପାନ୍ତରଣ ପ୍ରକ୍ରିୟାରେ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

ଓୟୁଟିଆରର ଚତୁର୍ଥ ପ୍ରତିଷ୍ଠା ଦିବସ

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ କହିଲେ, ୧୦୦ ଏକର ପରିମିତ କ୍ୟାମ୍ପସରେ ଏବେ ୧୫ଟି ବିଭାଗରେ ୬ହଜାରରୁ ଅଧିକ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ, ପରିଚାଳନା ଅଧ୍ୟୟନ, ମୌଳିକ ବିଜ୍ଞାନ ଓ ମାନବିକତାର ବିଭିନ୍ନ ଶାଖାରେ ସ୍ନାତକ, ସ୍ନାତକୋତ୍ତର ଏବଂ ଗବେଷଣା କାର୍ଯ୍ୟକ୍ରମରେ ଭାଗନେଇଛନ୍ତି। ବିଶ୍ୱବିଦ୍ୟାଳୟ ଏହାର ଅଧ୍ୟାପକ ସମ୍ପ୍ରଦାୟ ପାଇଁ ବହୁତ ଗର୍ବିତ, ଯେଉଁଥିରେ ଜାତୀୟ ପ୍ରତିଷ୍ଠାନର ପରିଦର୍ଶକ ଅଧ୍ୟାପକ, ପ୍ରତିଷ୍ଠିତ ବିଦେଶୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର, ଅଗ୍ରଣୀ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରର ଅଭ୍ୟାସ କରୁଥିବା ପ୍ରଫେସର ଅଛନ୍ତି। ପୁରାତନ ଛାତ୍ରଙ୍କ ସହିତ ବିଶ୍ୱବିଦ୍ୟାଳୟର ଉତ୍କର୍ଷତାର ଐତିହ୍ୟ ବୃତ୍ତିଗତ ଓ ଶିକ୍ଷାକ୍ଷେତ୍ରରେ ପ୍ରତିଧ୍ୱନିତ ହୋଇ ରହିଛି ବୋଲି ସେ କହିଥିଲେ। ଉତ୍ସବରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଡିନ୍(ଶିକ୍ଷାଗତ ବ୍ୟାପାର) ପ୍ରଫେସର ଅଚ୍ୟୁତନନ୍ଦ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ କୁଳସଚିବ ଆଶିଷ କୁମାର ଜେନା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟର ଡିଜିଟାଲ ମାନୁଫାକ୍‌ଚରିଂ ଉତ୍କର୍ଷ କେନ୍ଦ୍ରକୁ ରାଜ୍ୟପାଳ ଉଦ୍‌ଘାଟନ କରିବା ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe