ଯକ୍ଷ୍ମା ଚିହ୍ନଟ ପାଇଁ ସବୁ ବ୍ଲକ୍‌ରେ ଟ୍ରୁନାଟ୍‌ ମେସିନ୍

Advertisment

ଯକ୍ଷ୍ମା କାର୍ଯ୍ୟକ୍ରମ ପାଇଁ ୫୬୫ ମଡେଲ ସିଏଚ୍‌ସି-ଏଚ୍‌ଡବ୍ଲୁସି ପ୍ରତିଷ୍ଠା ଲକ୍ଷ୍ୟ

ଯକ୍ଷ୍ମା କାର୍ଯ୍ୟକ୍ରମ ପାଇଁ ୫୬୫ ମଡେଲ ସିଏଚ୍‌ସି-ଏଚ୍‌ଡବ୍ଲୁସି ପ୍ରତିଷ୍ଠା ଲକ୍ଷ୍ୟ

ଯକ୍ଷ୍ମା ନିରାକରଣରେ ଓଡ଼ିଶା ଦେଶରେ ଦ୍ବିତୀୟ

News Vibes of India

ଭୁବନେଶ୍ବର: ରାଜ୍ୟରେ ଯକ୍ଷ୍ମା ଚିହ୍ନଟ ପାଇଁ ସବୁ ବ୍ଲକ୍‌ରେ ଟ୍ରୁନାଟ୍‌ ମେସିନ୍ ଲଗାଯିବ। ଏବେ ୧୯୦ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା ରହିଛି। ଆସନ୍ତା ୩/୪ମାସ‌ ଭିତରେ ସବୁ ବ୍ଲକ୍‌ରେ ଏହା ଉପଲବ୍ଧ ହେବ। ଯାହାଫଳରେ ପ୍ରାଥମିକ ପର୍ଯ୍ୟାୟରେ ଯକ୍ଷ୍ମାର ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଚିହ୍ନଟ କରିବା ସହଜ ହେବ। ଜାତୀୟ ସ୍ବାସ୍ଥ୍ୟ ମିସନ୍‌(ଏନ୍‌ଏଚ୍‌ଏମ୍‌) ଜରିଆରେ ରାଜ୍ୟ ଔଷଧ ନିଗମ ଏହି ମେସିନ୍‌କୁ କ୍ରୟ କରିବ। ଆସନ୍ତା ୨୪ ତାରିଖ ହେଉଛି ବିଶ୍ବ ଯକ୍ଷ୍ମା ଦିବସ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ରୋଗର ସଂପୂର୍ଣ୍ଣ ନିରାକରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟ କରୁଛି। ଆଶାକର୍ମୀ ଓ ପୁରୁଷ ପ୍ରାଥମିକ ସ୍ବାସ୍ଥ୍ୟକର୍ମୀ (ଏମ୍‌ପିଏଚ୍‌ଡବ୍ଲୁ)ମାନେ ଘରକୁ ଘର ଯାଇ ଯକ୍ଷ୍ମା ରୋଗର ଲକ୍ଷଣ ଥିବା ବ୍ୟକ୍ତି ଓ ଅନ୍ୟ ରୋଗରେ ପୀଡ଼ିତ ଥାଇ ଯକ୍ଷ୍ମାର ଅଧିକ ସମ୍ଭାବନା ଥିବା ରୋଗୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ରୋଗ ନିରପୂଣରେ ସହଯୋଗ କରୁଛନ୍ତି। ରାଜ୍ୟରେ ୫୬୫ଟି ମଡେଲ ହେଲ୍‌ଥ ଏଣ୍ଡ ୱେଲନେସ କେନ୍ଦ୍ର ବା ଏଚ୍‌ଡବ୍ଲୁସିକୁ ଯକ୍ଷ୍ମା ଡାଏଗ୍ନୋଷ୍ଟିକ କେନ୍ଦ୍ରରେ ପରିଣତ କରାଯିବ। ‌ଏହାସହ ନିକ୍ଷୟ ପୋଷଣ ଯୋଜନା(ଏନ୍‌ପିୱାଇ) ଅଧୀନରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କୁ ମାସିକ ୫ଶହ ଟଙ୍କା ଭତ୍ତା ଚିକିତ୍ସା ଅବଧିରେ ସମାପ୍ତ ପର୍ଯ୍ୟନ୍ତ ତାଙ୍କ ବ୍ୟାଙ୍କ ଖାତା ଜରିଆରେ ପ୍ରଦାନ କରାଯାଉଛି। ରାଜ୍ୟରେ ୧୬୩୫ ନିକ୍ଷୟ ମିତ୍ର ପଞ୍ଜିକୃତ ହୋଇଛନ୍ତି। ୨୬,୧୯୮ଜଣ ଇଚ୍ଛୁକ ଯକ୍ଷ୍ମା ‌ରୋଗୀଙ୍କ ମଧ୍ୟରୁ ୨୩,୬୮୫ଜଣ ରୋଗୀଙ୍କୁ ପୋଷଣ ସମ୍ବନ୍ଧୀୟ ସହାୟତା ପ୍ରାପ୍ତ ହେବାର ନିଶ୍ଚିତ କରାଯାଇଛି।

ରାଜ୍ୟରେ ଏବେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ବୃଦ୍ଧି ପାଇଛି। ୨୦୨୦ ମସିହାରେ ୪୫,୬୯୯, ୨୦୨୧ରେ ୫୨,୫୧୩ ଓ ୨୦୨୨ରେ ୬୦,୪୧୪ଜଣ ଚିହ୍ନଟ ହୋଇଛନ୍ତି। ଏଥିରେ ରୋଗୀଙ୍କ ଚିକିତ୍ସା ହାର ୯୦ ପ୍ରତିଶତ ରହିଛି। ଯକ୍ଷ୍ମା ରୋଗର ବିସ୍ତାରକୁ ରୋକିବା ପାଇଁ ଟିବି ପ୍ରିଭେଣ୍ଟିଭ୍ ଟ୍ରିଟମେଣ୍ଟ ଜରିଆରେ ଜୀବାଣୁ ଚିହ୍ନିତ ଫୁସଫୁସ, ଯକ୍ଷ୍ମା ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କୁ କେମୋପ୍ରୋଫାଇଲିକ୍ସିସ୍ ଚିକିତ୍ସା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ୬ବର୍ଷରୁ କମ୍ ପିଲାଙ୍କୁ ଏହି ଚିକିତ୍ସା ଦିଆଯାଉଥିବା ବେଳେ ଏବେ ବୟସ୍କମାନଙ୍କୁ ମଧ୍ୟ ଏହି ଚିକିତ୍ସା ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର, ଡା.ପ୍ରଶାନ୍ତ ହୋତା, ଯୁଗ୍ମ ନିର୍ଦେଶକ ଡା.ଅର୍ଘ୍ୟ ପ୍ରଧାନ, ରିଚ୍‌ର ସଂଯୋଜକ ଲକ୍ଷ୍ମୀଧର ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe