କାମରେ ଆସୁନି ନଳକୂପ, ଷ୍ଟାଣ୍ଡ ପୋଷ୍ଟ

Advertisment

ବସ୍ତିରେ ବଢ଼ିଲାଣି ପାନୀୟ ଜଳ ସଙ୍କଟ, ଇସ୍ପାତ ସହରାଞ୍ଚଳ, ଦକ୍ଷିଣ ରାଉରକେଲାରେ ଅଧିକ

ବସ୍ତିରେ ବଢ଼ିଲାଣି ପାନୀୟ ଜଳ ସଙ୍କଟ, ଇସ୍ପାତ ସହରାଞ୍ଚଳ, ଦକ୍ଷିଣ ରାଉରକେଲାରେ ଅଧିକ

କାମରେ ଆସୁନି ନଳକୂପ, ଷ୍ଟାଣ୍ଡ ପୋଷ୍ଟ

ଉରକେଲା: ସହରରେ ତାତି ବଢ଼ୁଛି। ତାତି ସାଙ୍ଗକୁ ବିଭିନ୍ନ ବସ୍ତିରେ ଦେଖାଦେଲାଣି ପାନୀୟ ଜଳ ସଙ୍କଟ। ଅଧିକାଂଶ ବସ୍ତିରେ ରାତିରେ ପାହିଲେ ପାନୀୟ ଜଳ ପାଇବାକୁ ସଂଘର୍ଷ କରୁଛନ୍ତି। ନଳକୂପ, ଷ୍ଟାଣ୍ଟପୋଷ୍ଟରେ ପାଖରେ ଲୋକଙ୍କ ଲାଇନ୍‌ ଲାଗୁଛି। ପାନୀୟ ଜଳ ନେବାକୁ ଲୋକମାନଙ୍କ ମଧ୍ୟରେ ଲାଗୁଛି ଏକପ୍ରକାର ପ୍ରତିଯୋଗିତା। ଇସ୍ପାତ ସହରାଞ୍ଚଳ ଓ ଦକ୍ଷିଣ ରାଉରକେଲା‌ର ଅଧିକାଂଶ ବସ୍ତିରେ ଏଭଳି ସ୍ଥିତି ଉପୁଜିଛି। କିଛି ବସ୍ତିବାସିନ୍ଦା ନଦୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଦକ୍ଷିଣ ରାଉରକେଲାର କିଛି ବସ୍ତିରେ ନଳକୂପ ଅଚଳ ଓ ଷ୍ଟାଣ୍ଟପୋଷ୍ଟ କାମ କରୁ ନଥିବାରୁ ବସ୍ତିବାସିନ୍ଦାଙ୍କ ଚିନ୍ତା ବଢ଼ିଯାଇଛି। ପାନୀୟ ଜଳ ସଙ୍କଟକୁ ନେଇ ବସ୍ତିବାସନ୍ତା କେତେବେଳେ ଅତିରିକ୍ତ ଜିଲ୍ଲାପାଳ ତ ଅନ୍ୟ କେତେବେଳେ ପିଏଚ୍‌ଡି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରତିଶ୍ରୁତି ମିଳୁଛି। କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥିତି ଯେମିତିକୁ ସେମିତି। ସେକ୍ଟର-୭ ଅନ୍ତର୍ଗତ ମୁଣ୍ଡାରିବସ୍ତି, ଜାମଟୋଲି, ଗଣେଶ ବସ୍ତି, ସୁବାସ ପାଣି, ସେକ୍ଟର-୨ର କବି ସମ୍ରାଟପାଲୀ, ଖରିଆବାହାଲ ବସ୍ତି, ସେକ୍ଟର-୧ର ଆଖଣ୍ଡଳମଣି ବସ୍ତିରେ ଖରାଦିନ ଆସିଲେ ଲୋକଙ୍କ ପାନୀୟ ଜଳ ଚିନ୍ତା ବଢ଼ିଯାଉଛି। କିଛି ବସ୍ତିରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍‌ ବିଛା ଯାଇଛି।

ଆଜି ପର୍ଯ୍ୟନ୍ତ ଘରକୁ ପାନୀୟ ଜଳ ଆସିନି। ସେକ୍ଟର-୧୬ର ତୁମକେଲା, ଖଡ଼ିଆପଡା, ଠେଠେନି ବସ୍ତି, ଜଗନ୍ନାଥପାଲି, ବନ୍ଧମୁଣ୍ଡାର ତିଲକାନଗର, ଉତ୍ତମନଗର, ଶୀତଳନଗର, ସେକ୍ଟର-୧୫ର ମଲ୍ଲିକ ବସ୍ତି, ଉଦିତନଗର ସମ୍ମୁଖ ଶୀତଳପଡାରେ ଅଧିକାଂଶ ନଳକୂପଗୁଡ଼ିକ କାମ କରୁ ନଥିବାରୁ ପାନୀୟ ସମସ୍ୟା ଉପୁଜିଛି। ଅନୁରୂପ ଭାବେ ଦକ୍ଷିଣ ରାଉରକେଲାର ଲେବର କଲୋନି, ଲାଲ ଟାଙ୍କି, ଟାଙ୍ଗରପାଲି, ବୁରୁଡି, କନଷ୍ଟ୍ରକ୍ସନ କଲୋନିରେ ମଧ୍ୟ ୩୦ରୁ ୪୦% ଲୋକ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

publive-image

ଇସ୍ପାତ ସହରାଞ୍ଚଳ ପ୍ରାୟ ୧୭୦ ବସ୍ତି ରହିଛି। ସେଥିମଧ୍ୟରୁ ପ୍ରାୟ ୫୦ ରୁ ୬୦ ପ୍ରତିଶତ ବସ୍ତିରେ ଏବେ ବି ପାଣି ସମସ୍ୟା ରହିଛି । କେତେକ ବସ୍ତିରେ ପାଣି ପାଇଁ ପାଇପ୍‍ ବିଛା କାର୍ଯ୍ୟ ସରିଥିଲେ ମଧ୍ୟ ମୁଖ୍ୟ ଜଳସ୍ରୋତ ସହ ସଂଯୋଗ ହୋଇନାହିଁ। ଆଉ କିଛି ବସ୍ତିରେ ଏଯାଏଁ ପାଇପ୍‍ ବିଛା କାର୍ଯ୍ୟ ହୋଇନାହିଁ। ସାଧାରଣତଃ ବସ୍ତି ବାସିନ୍ଦା ପିଇବା ପାଣି ପାଇଁ ନଳକୂପ ଉପରେ ନିର୍ଭରଶୀଳ ଓ କେତେ ସ୍ଥାନରେ ଆର୍‍.ଏସ୍‍.ପି. ପକ୍ଷରୁ ପାଣି ପାଇପ୍ ବ୍ୟବସ୍ଥା କରାଯାଇଛି । ମାତ୍ର ଗ୍ରୀଷ୍ମ ଋତୁ ଆସିଲେ ପାଣିର ଉତ୍ସ କମିବା ସହ ଅନେକ ନଳକୂପ ଅଚଳ ହୋଇପଡ଼ିଥାଏ । ନଦୀରେ ଜଳ ଉତ୍ସ ହ୍ରାସ ପାଇବା ସହ ପାଣି ପ୍ରବାହ ମଧ୍ୟ କମିଥାଏ। ତେଣୁ ଏହି ସମୟରେ ପାନୀୟ ଜଳ ସମସ୍ୟା ପ୍ରାୟ ଦେଖାଦେଇଥାଏ। ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି ସହର ସେବା ବିଭାଗ ଏଥିପ୍ରତି ଧ୍ୟାନ ନ ଦ‌େଲେ ସ୍ଥିତି ଅସମ୍ଭାଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe