ଆଦିବାସୀବହୁଳ ଗାଁ ତୁର୍କା, ମାଟ୍ରିକ୍ ପାସ୍‌ କଲେ ପ୍ରଥମ ଛାତ୍ର

Advertisment
ଆଦିବାସୀବହୁଳ ଗାଁ ତୁର୍କା, ମାଟ୍ରିକ୍ ପାସ୍‌ କଲେ ପ୍ରଥମ ଛାତ୍ର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଜାରେଙ୍ଗପଟା ଗାଁ ବସତି ସ୍ଥାପନ କରିବାର ୧୦୦ ବର୍ଷ ପରେ ପ୍ରଥମ କରି ଜଣେ ଛାତ୍ର ମାଟ୍ରିକ୍ ପାସ୍ କରିଥିଲେ। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ତେବେ ସେହି ଲାଞ୍ଜିଗଡ଼ ବ୍ଲକର ଆଉ ଏକ ଗାଁର ଜଣେ ଛାତ୍ର ପ୍ରଥମ ଥର ମାଟ୍ରିକ୍ ପାସ୍ କରିଥିବା ଜଣାପଡ଼ିଛି। ଛାତ୍ର ଜଣକ ଲାଞ୍ଜି ପଞ୍ଚାୟତ ଆଦିବାସୀବହୁଳ ତୁର୍କା ଗାଁର ହୋଇଥିବା ବେଳେ ଗାଁ ବସତି ସ୍ଥାପନ କରିବାର ୧୦୦ ବର୍ଷ ପରେ କୁଣ୍ଡୁ ମାଝୀଙ୍କ ପୁଅ ନବୀନ ମାଝୀ ପ୍ରଥମ କରି ମାଟ୍ରିକ୍ ପାସ୍ କରିଛନ୍ତି। ଏହାକୁ ନେଇ ଗାଁରେ ଖୁସିରଲହରି ଖେଳିଯାଇଛି।

ନବୀନ ଚଳିତ ମାଟ୍ରିକ ପରୀକ୍ଷାରେ ୩୫୨ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ନବୀନ ଆଗକୁ କଲେଜରେ ପାଠପଢ଼ିବାକୁ ମଧ୍ୟ ଇଚ୍ଛା କରିଛନ୍ତି। ଏନେଇ ବେଶ୍‌ ଆନନ୍ଦ ପ୍ରକାଶ କରିଥିବାବେଳେ ଗାଁରେ ମଧ୍ୟ ଖୁସି ଲହରି ଖେଳିଯାଇଛି। ପ୍ରକାଶଥାଉ କି, ଲାଞ୍ଜି ପଞ୍ଚାୟତ ଯୁବା ଗାଁ ଛକରୁ ଜଙ୍ଗଲିଆ ରାସ୍ତାରେ ୩ଟି ପାହାଡ଼, ନାଳ, ଝରଣା ଡେଇଁ ଗଲେ ତୁର୍କା ଗାଁ ପଡ଼ିଥାଏ। ଗାଁରୁ ୮ କିମି ଦୂର ଯୁବା ଗାଁରେ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ ତୁର୍କା ଗାଁର ଜଣେ ବି ଝିଅ ସ୍କୁଲରେ ପାଠ ପଢ଼ୁନଥିବା ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଜଣାପଡ଼ିଥିଲା। ଏହି ଖବର ଜାନୁଆରି ୨୮ ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।

ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜାନୁଆରି ୩୦ ତାରିଖ ଭଟାଙ୍ଗପଦର କ୍ଲଷ୍ଟର ସଂଯୋଜକ ଭାରତ ଭୂଷଣ ସାହୁ କିଛି ଶିକ୍ଷକଙ୍କୁ ସାଥୀରେ ନେଇ ତୁର୍କା ଗାଁରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ତୁର୍କା ଗାଁର ଜଣେ ମଧ୍ୟ ଝିଅ ସ୍କୁଲରେ ପାଠ ପଢ଼ିନଥିବା ପ୍ରକାଶ କରିଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଘଟଣା ଉପରେ  ଗୁରୁତର ଦେବା ସହ ଗାଁରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲା। ପରେ ଗାଁର ୪ ଜଣ ଝିଅ ପଦ୍ମା ମାଝୀ, ଦମୟନ୍ତୀ ମାଝୀ, ଜନତି ମାଝୀ ଓ ଗୀତା ମାଝୀଙ୍କ ନାଁ ଭଟାଙ୍ଗପଦର ଆବାସିକ ବିଦ୍ୟାଳୟରେ ଲେଖା ଯାଇଥିଲା। ଗାଁର ଝିଅମାନେ ସ୍କୁଲ୍ ଯାଉଥିବା ଦେଖି ଗ୍ରାମବାସୀ ଖୁସି ପ୍ରକାଶ କରିଥିବା ବେଳେ ନବୀନଙ୍କ ସଫଳତା ପରେ କଲେଜ୍ ପଢୁଆ ପିଲାଙ୍କ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe