କନ୍ଧମାଳ: ହଳଦୀ ପରେ ଷ୍ଟ୍ରବେରି: ଦୈନିକ ୧ କ୍ବିଣ୍ଟାଲ ଉତ୍ପାଦିତ ହେଉଛି

Advertisment
କନ୍ଧମାଳ: ହଳଦୀ ପରେ ଷ୍ଟ୍ରବେରି: ଦୈନିକ ୧ କ୍ବିଣ୍ଟାଲ ଉତ୍ପାଦିତ ହେଉଛି

ଫୁଲବାଣୀ: କନ୍ଧମାଳ ହଳଦୀକୁ ମିଳିଛି ଜିଆଇ ମାନ୍ୟତା। ହଳଦୀ ପରେ ଏବେ ‘କନ୍ଧମାଳ ଷ୍ଟ୍ରବେରି’ର ଚାହିଦା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜିଲ୍ଲାର ୬ଟି ବ୍ଲକର ୩୦ ଏକର ଜମିରେ ଏହି ଚାଷ କରାଯାଇଛି। ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଷ୍ଟ୍ରବେରି ଚାଷ ବର୍ତ୍ତମାନ ଆଶାତୀତ ସଫଳ ହୋଇଛି। ଏଠାରୁ ଅମଳ ହେଉଥିବା ଷ୍ଟ୍ରବେରି ଉନ୍ନତମାନର ବୋଲି ଉଦ୍ୟାନ ବିଭାଗ ସୂଚନା ଦେଇଛି। ଗତବର୍ଷ ମାତ୍ର ୧୫ ଏକର ଜମିରେ ଏହି ଚାଷ ହୋଇଥିବା ବେଳେ ଚଳିତବର୍ଷ ୩୦ ଏକର ଜମିରେ ଚାଷ ହୋଇଛି। ରିଲାଏନ୍‌ସ ଫ୍ରେସ୍‌ କନ୍ଧମାଳର ଷ୍ଟ୍ରବେରୀ କିଣିବାକୁ କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ଚୁକ୍ତିନାମା ସ୍ବାକ୍ଷର କରିଛି। ଚାଷୀଙ୍କଠାରୁ ଷ୍ଟ୍ରବେରି କିଣି ରିଲାଏନ୍‌ସ ଫ୍ରେଶ୍‌ ବିକ୍ରି କରିବା ଆରମ୍ଭ କରିଛି। ଗତକାଲି ରିଲାଏନ୍‌ସ ଫ୍ରେସ୍‌ ୧ କ୍ବିଣ୍ଟାଲ ଷ୍ଟ୍ରବେରି କିଣିଛି ବୋଲି ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ରମାକାନ୍ତ ଗିରି ସୂଚନା ଦେଇଛନ୍ତି। ଜିଲ୍ଲା ଗସ୍ତ ଅବସରରେ ରାଜ୍ୟପାଳ ରଘୁବର ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ମିଣିଆ ଗ୍ରାମରେ ଏହି ଫସଲକୁ ପରିଦର୍ଶନ ବେଳେ ଚାଷୀଙ୍କଠାରୁ ସିଧାସଳଖ ୭୦ କିଲୋ ଷ୍ଟ୍ରବେରି କିଣିଥିଲେ।

ନିକଟରେ ଭୁବନେଶ୍ବର ଜନତା ମୈଦାନରେ ଅନୁଷ୍ଠିତ ‘କୃଷି ଓଡ଼ିଶା ପ୍ରଦର୍ଶନୀ’ରେ ୧ କ୍ବିଣ୍ଟାଲ୍‌ ଷ୍ଟ୍ରବେରି ବିକ୍ରି ହୋଇଥିଲା। ଗୋପାଳପୁର ବେଳାଭୂମି ମହୋତ୍ସବରେ ୨ କ୍ବିଣ୍ଟାଲ ବିକ୍ରି ହୋଇଛି ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ଗିରି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଚାଲିଥିବା ଆଦିବାସୀ ମେଳାରେ ମଧ୍ୟ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ବେଶ୍‌ ଭିଡ଼ ମଧ୍ୟ ଜମୁଛି। ଷ୍ଟ୍ରବେରି ଚାଷ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିଛି ବୋଲି ଉକ୍ତ ଷ୍ଟଲ୍‌ରେ ଥିବା ବିଜୟଲକ୍ଷ୍ମୀ ପ୍ରଧାନ ଓ ପୁଷ୍ପାବତୀ ପ୍ରଧାନ ପ୍ରକାଶ କରିଛନ୍ତି। ଚଳିତବର୍ଷ ଫୁଲବାଣୀ ବ୍ଲକର ମିଣିଆ, ଘୁ.ଉଦୟଗିରି, ବାଲିଗୁଡ଼ା, ଦାରିଙ୍ଗିବାଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ଷ୍ଟ୍ରବେରୀ ଚାଷ କରାଯାଇଛି। ଜିଲ୍ଲା ପ୍ରଶାସନ ଏହି ଷ୍ଟ୍ରବେରିର ନାମ ‘କନ୍ଧମାଳ ଷ୍ଟ୍ରବେରି’ ରଖିଛି। ଫୁଲବାଣୀ ବ୍ଲକ୍‌ ମିଣିଆ ପଞ୍ଚାୟତର ଜ୍ରାକିପଡ଼ା ଗ୍ରାମରେ ପ୍ରାୟ ୨ ଏକର ଜମିରେ ଆଲିଗକି ମହିଳା ସ୍ବୟଂ ସହାୟିକା ଦଳ ଦ୍ବାରା ୩୮ ହଜାର ଗଛ ଲଗା ଯାଇଥିଲା। ଗ୍ରାମରୁ ଦୈନିକ ୫ରୁ ୭ କିଲୋ ଷ୍ଟ୍ରବେରି ଅମଳ ‌ହୋଇ ପାରୁଛି ଓ କିଲୋ ପିଛା ୫୦୦ ଟଙ୍କାରେ ବିକ୍ରି କରାଯାଉଛି ବୋଲି ମହିଳା ଚାଷୀ ମାମୁନି କହଁର କହିଛନ୍ତି। ପନିପରିବା ଚାଷ ତୁଳନାରେ ଷ୍ଟ୍ରବେରି ଅଧିକ ଲାଭଦାୟକ ବୋଲି ମହିଳା ଚାଷୀ ନୀରାବତୀ କହଁର କହିଛନ୍ତି। ଜିଲ୍ଲାରେ ଏବେ ଦୈନିକ ୧ କ୍ବିଣ୍ଟାଲ ପର୍ଯ୍ୟନ୍ତ ଷ୍ଟବେରି ଅମଳ ହୋଇପାରୁଛି ବୋଲି ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe