ଓଡ଼ିଶାରୁ ପଶ୍ଚିମବଙ୍ଗକୁ କଇଁଛ ଚାଲାଣ; ୮୭ କଇଁଛ ଉଦ୍ଧାର, ଜଣେ ଗିରଫ

Advertisment

ଗୋଟିକ ପିଛା ୨୫୦ରୁ ୩୦୦ରେ କ୍ରୟ

ଗୋଟିକ ପିଛା ୨୫୦ରୁ ୩୦୦ରେ କ୍ରୟ

ଓଡ଼ିଶାରୁ ପଶ୍ଚିମବଙ୍ଗକୁ କଇଁଛ ଚାଲାଣ; ୮୭ କଇଁଛ ଉଦ୍ଧାର, ଜଣେ ଗିରଫ

ଜଳେଶ୍ବର :ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥର ଚାଳନ୍ତି ବାଇପାସ୍ ନିକଟରେ ବନ ବିଭାଗ ଚଢ଼ଉ କରି ୮୭ଟି ଜିଅନ୍ତା କଇଁଛ ଜବତ କରିବା ସହ ପଶ୍ଚିମବଙ୍ଗର ଜଣେ ଚୋଚା ବେପାରୀଙ୍କୁ ଗିରଫ କରିଛି। ଗିରଫ ଯୁବକ ପଶ୍ଚିମବଙ୍ଗ ଦାନ୍ତୁନ ଥାନା କୋରିଆ ଗ୍ରାମର ପ୍ରମୋଥ ଦେଙ୍କ ପୁଅ ଦେବବ୍ରତ(୩୨) ବୋଲି ଜଣାଯାଇଛି।

publive-image

ଜଳେଶ୍ବର ରେଞ୍ଜର ଜୟଶ୍ରୀ ମୁର୍ମୁଙ୍କ ନେତୃତ୍ବରେ ବନ ବିଭାଗର ଏକ ୬ ଜଣିଆ ଟିମ ଗତକାଲି ରାତିରେ ୬୦ ନମ୍ବର ଜାତୀୟ ରାଜପଥର ଚାଳନ୍ତି ବାଇପାସ୍ ନିକଟରେ ପାଟ୍ରୋଲିଂ କରୁଥିଲେ। ରାତି ଗୋଟାଏ ୧୫ ମିନିଟରେ ଡବ୍ଲୁବି ୩୪ଡିଏକ୍ସ-୦୪୩୯ ନମ୍ବରର ଏକ ହିରୋ ସୁପର ସ୍ପ୍ଲେଣ୍ଡର ବାଇକରେ ୩ଟି ବ୍ୟାଗ ଧରି ଦେବବ୍ରତ ବାଲେଶ୍ବର ପଟୁ ଜଳେଶ୍ବର ଆଡ଼କୁ ଆସୁଥିବା ବେଳେ ବନ ବିଭାଗର ଏହି ଟିମ ସହ ସାମ୍ନାସାମ୍ନି ହୋଇଥିଲେ। ଏହିସମୟରେ ସେ ହଡ଼ବଡ଼େଇ ଯିବାରୁ ବନ ବିଭାଗ ଟିମ୍ ଦେବବ୍ରତଙ୍କୁ ପିଛା କରି ଅଟକାଇ ଥିଲେ। ଯାଞ୍ଚ ବେଳେ ତାଙ୍କ ଗାଡ଼ିରେ ଥିବା ୩ଟି ବ୍ୟାଗରୁ ୮୭ଟି ଜିଅନ୍ତା କଇଁଛ ଉଦ୍ଧାର କରାଯାଇଥିଲା। କଇଁଛଗୁଡ଼ିକୁ ରେମୁଣା ଅଞ୍ଚଳରୁ ଗୋଟିକ ପିଛା ୨୫୦ରୁ ୩୦୦ ଟଙ୍କାରେ କିଣା ଯାଇଥିବା ବେଳେ ଓ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ଦେବବ୍ରତଙ୍କୁ ଜେରା ବେଳେ ଜଣାପଡ଼ିଛି। ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଦେବବ୍ରତଙ୍କୁ ଗିରଫ କରାଯାଇଛି। କଇଁଛଗୁଡ଼ିକ ରେମୁଣାର କେଉଁ ସ୍ଥାନରୁ ଅଣାଯାଇଥିଲା ଓ ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ଜାଣିବା ପାଇଁ ତାଙ୍କୁ ଜେରା କରାଯାଉଛି।

ଉଦ୍ଧାର କଇଁଛଗୁଡ଼ିକୁ ସେମାନଙ୍କୁ ସୁହାଇବା ଭଳି କୌଣସି ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଫରେଷ୍ଟର ଭକ୍ତିଲତା ଦାସ, ଗାର୍ଡ ରଞ୍ଜିତା ଦାସଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe