ବହୁଚର୍ଚ୍ଚିତ ଟୁଟୁଆ ହତ୍ୟା ମାମଲାର ରାୟ ଆଜି

ଦଳବଦଳ ଆଇନ ପ୍ରସଙ୍ଗ : ସଦସ୍ୟ ଅଯୋଗ୍ୟତାର ନିର୍ଣ୍ଣୟ ଓ ବାଚସ୍ପତି

livemint.com

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଧୀନରେ ଘଟିଥିବା ବହୁଚର୍ଚିତ ଟୁଟୁଆ ଓରଫ ପ୍ରଶାନ୍ତ ପ୍ରଧାନ ହତ୍ୟାକାଣ୍ଡର ରାୟ ଆସନ୍ତାକାଲି (ଶୁକ୍ରବାର) ପ୍ରକାଶ ପାଇବ। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏହି ରାୟ ଶୁଣାଇବେ।

ସୂଚନାଯୋଗ୍ୟ ଯେ ୨୦୧୦ ଜୁଲାଇ ୬ ତାରିଖରେ ବାଲିପାଟଣା ଥାନା ଅଧୀନ ଭୈରୀପୁରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ନିମାପଡ଼ା କନକପୁର ଅଞ୍ଚଳର ଟୁଟୁଆଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଥି‌ଲେ ଦୁର୍ବୃତ୍ତ। ତାଙ୍କୁ ଖଣ୍ଡଖଣ୍ଡ କରି ହାଣିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଟୁଟୁଆଙ୍କ ମାଂସକୁ ଅଖାରେ ଭର୍ତି କରି ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ ଚୁପଚାପ୍‌ ଗାଁରେ ସେମିତି ବୁଲାବୁଲି କରିଥିଲେ। ଏତିକିବେଳେ ଟୁଟୁଆଙ୍କ ପରିବାରଲୋକ ନିମାପଡ଼ା ଥାନାରେ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ। ତେବେ ସେହି ମାସ ୯ ତାରିଖରେ ପୋଖରୀ ଭିତରୁ ଟୁଟୁଆଙ୍କ ଗଳିତ ଶବକୁ ଜବତ କରିଥିଲା ପୁଲିସ। ପରିବାରଲୋକଙ୍କ ଅଭିଯୋଗ ପରେ ବାଲିପାଟଣା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା।

ମାମଲାରୁ ଜଣାପଡ଼ିଥିଲା ଯେ ଟୁଟୁଆ ଶ୍ରମିକ ସୁପରଭାଇଜର୍‌ ଭାବେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିଲେ। ତାଙ୍କ ସହଯୋଗୀ ଭାବେ କାମ କରୁଥିବା ରୋହିତ ପ୍ରଧାନ ସୁପରଭାଇଜର ହେବାକୁ ଚେଷ୍ଟା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଟୁଟୁଆଙ୍କୁ ରାସ୍ତାରୁ ହଟାଇ ସେ ସୁପରଭାଇଜର୍‌ ହେବାକୁ ଯୋଜନା କରିଥିଲା। ଘଟଣା ଦିନ ରୋହିତ କୌଶଳକ୍ରମେ ଟୁଟୁଆଙ୍କୁ ବାଲିପାଟଣା ଭୌରୀପୁରଠାରେ ଥିବା ନିଜ ଭଉଣୀ ଘରକୁ ଡକାଇଥିଲା। ସେଠାରେ ଭୋଜିଭାତ କରିବା ସହ ଯୋଜନାବଦ୍ଧ ଭାବେ ଟୁଟୁଆଙ୍କୁ ପ୍ରଚୁର ମଦ ପିଆଇଥିଲେ। ଏହା ପରେ ରୋହିତ ଓ ତାର ସାଙ୍ଗସାଥୀ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା ବାଲିପାଟଣା ପୁଲିସ୍‌ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ରୋହିତ ପ୍ରଧାନ, ସେଖ୍ ସହବତ, ପ୍ରଦୀପ ନାୟକ, ବିପିନି ବେହେରା, ସଦାଶିବ ପ୍ରଧାନ ଓ ରୋହିତଙ୍କ ସମ୍ପର୍କୀୟ ମହିଳା ମନୋରମା ନାୟକଙ୍କୁ ଗିରଫ କରିବା ସହ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା। ପରେ ଏହି ମାମଲାର ଶୁଣାଣି ଏଡିଜେ କୋର୍ଟରେ ଆରମ୍ଭ ହୋଇଥିଲା। ଶୁଣାଣି ବେଳେ ୨୨ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଛି। ୨୩ଟି କାଗଜପତ୍ର ଓ ଦସ୍ତାବିଜ ମଧ୍ୟ କୋର୍ଟଙ୍କ ହସ୍ତଗତ ହୋଇଛି। ତେବେ ଆସନ୍ତାକାଲି ମାନ୍ୟବର ବିଚାରପତି କ’ଣ ରାୟ ଦେଉଛନ୍ତି, ତାକୁ ଅପେକ୍ଷା କରିଛନ୍ତି ମାମଲା ପରିଚାଳନା କରୁଥିବା ଆଇନଜୀବୀ, ତଦନ୍ତକାରୀ ଅଫିସର ଓ ପ୍ରଶାନ୍ତଙ୍କ ପରିବାରଲୋକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe