ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍, ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ବାଦାମବାଡି ଥାନା ଅନ୍ତର୍ଗତ ଅଞ୍ଚଳର ରାକେଶ କୁମାର ମହାନ୍ତି (୩୮)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୫ ହଜାର ଟଙ୍କା ‌ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ପୋକ୍‌ସୋ ଆଇନର ଧାରା ୬ ସହିତ ଆଇପିସିର ଦଫା ୩୬୩ ଓ ୩୬୬ରେ ରାକେଶକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ଟଙ୍କ‌ା ନ ଦେଲେ ଆସାମୀକୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଅଦାଲତ କହିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ନେଇ ୨୦୧୫, ଫେବ୍ରୁଆରି ୫ରେ କଟକ ମହିଳା ଥାନାରେ ଅଭିଯୋଗ ହୋଇଥିଲା। ପୀଡିତାଙ୍କ ପରିବାର ତରଫରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଥିଲା ଯେ ବିବାହର ମିଛ ପ୍ରତିଶ୍ରୁତି ଦେଇ ପୀଡିତାଙ୍କୁ ପୁରୀ ନିଆଯାଇଥିଲା। ସେଠା‌ରେ ପୀଡିତାଙ୍କ ସହିତ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା। ଏ ନେଇ ପୀଡିତା ପରିବାର ସଦସ୍ୟଙ୍କ ନିକଟରେ କହିଥିଲେ। ପୀଡିତାଙ୍କ ପରିବାରର ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲା ବିଚାରାଧୀନ ଥିବା ବେଳେ ଅଭିଯୁକ୍ତ ସର୍ତ୍ତମୂଳକ ଜାମିନରେ ଛାଡିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ୧୪ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe