୯୦ ଟଙ୍କା ପାଇଁ ମାରି ପୋଖରୀକୁ ଫିଙ୍ଗି ଦେଇଥିଲେ, ଦେଢ଼ ମାସ ପରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Advertisment
ସ୍ବତନ୍ତ୍ର ପାରୋଲରେ ମୁକୁଳିବେ ଆଉ ୨୨୧ କଏଦୀ

Photo Credit: Representative Image

ସମ୍ବଲପୁର : ୯୦ ଟଙ୍କା ପାଇଁ ଯୁବକକୁ ମାରି ପୋଖରୀକୁ ଫିଙ୍ଗି ଦେଲେ। ସାମାନ୍ୟ କେଇ ଟଙ୍କା ପାଇଁ ମଣିଷ, ମଣିଷର ଜୀବନ ନେବାକୁ ପଛାଉ ନାହିଁ। ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଡିସେମ୍ବର ୫ ତାରିଖ ରାତିରେ ଧନୁପାଲି ଥାନା ସୁନାପାଲି-ଗେଙ୍ଗୁଟିପାଲି ବନ୍ଧ ନିକଟରେ ଘଟିଥିଲା। ମୃତକ ମହମ୍ମଦ ଅଫ୍‌ତର୍‌ (୩୮)କୁ ଅଭିଯୁକ୍ତମାନେ ଏକା ପାଇ ଅଟାକାଇଥିଲେ ଏବଂ ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ମନା କରିବାରୁ ଉକ୍ତ ଯୁବକକୁ ଇଟାରେ ଛେଚି ମାରିଦେଇଥିଲେ। ମାରିବା ପରେ ଅଫ୍‌ତର୍‌ଙ୍କ ପାଖରେ ଥିବା ୯୦ ଟଙ୍କାକୁ ନେଇଯାଇଥିଲେ ଏବଂ ମୃତଦେବକୁ ନେଇ ପୋଖରୀ କୂଳରେ ଫିଙ୍ଗି ଦେଲେ। ଦେଢମାସ ପରେ ଏହି ହତ୍ୟାଘଟଣାରେ ପୁଲିସ ୨ ଅଭିଯୁକ୍ତ ସୁନାପାଲି(ଦୀକ୍ଷିତପାଲି)ର ଅଜୟ ମୁଣ୍ଡା ଓ ଦଳେଇପଡ଼ାର ରାକେଶ ଖମାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଜୟ ନାଁରେ ଧନୁପାଲି ଥାନାରେ ୩ଟି ମାମଲା ରହିଥିବା ବେଳେ ସଦର ଥାନାରେ ଗୋଟିଏ ମାମଲା ରହିଛି। ସେହିପରି ରାକେଶ ନାଁରେ ସଦର ଥାନାରେ ଦୁଇଟି ମାମଲା ରହିଛି। ଏ ନେଇ ସମ୍ବଲପୁର ଏସ୍‌ପି ବି ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ହତ୍ୟା ପଛରେ ସେଭଳି କିଛି କାରଣ ନଥିଲା। ବ୍ୟକ୍ତିଗତ ଝଗଡ଼ାରୁ ଏହି ହତ୍ୟାକାଣ୍ଡ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇ ତଦନ୍ତ କରାଯାଇଥିଲା। ଶେଷରେ ହ୍ୟୁମାନ ଇଣ୍ଟେଲିଜେନ୍ସ ସହଯୋଗରେ ଖବର ପାଇ ଅଭିଯୁକ୍ତଙ୍କୁ ଗିରଫ କରରାଯାଇଥିଲା।

ମୃତ ମହମ୍ମଦ ଅଫ୍‌ତର୍‌ ନେପାଳରେ ରହି କୌଣସି ଗ୍ୟାରେଜରେ କାମ କରୁଥିଲେ। ଘଟଣାର ୧୫ ଦିନ ପୂର୍ବରୁ ସେ ଘରକୁ ଫେରିଥିଲେ। ଫେରିବା ପରେ ମଧ୍ୟ ସେ ‌ଏଠାରେ ମିସ୍ତ୍ରି ଭାବେ କାମ କରୁଥିଲେ। ଡିସେମ୍ବର ୫ ତାରିଖ(ଶନିବାର) ଅପରାହ୍ଣରେ ସେ ଘରୁ ବାହାରି ଆଉ ଫେରିନଥିବାବେଳେ ରବିବାର ସୁନାପାଲିର ଏହି ପୋଖରୀରେ ତାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଫ୍‌ତର୍‌ଙ୍କ ମୁଣ୍ଡର ବାମ ପାର୍ଶ୍ବକୁ ଇଟାରେ ଛେଚି ଦିଆଯାଇଥିଲା। ସେଠାରୁ ତାଙ୍କର ପ୍ୟାଣ୍ଟ, ମୋବାଇଲ୍‌ ଆଦି ଗାଏବ୍‌ ରହିଥିଲା। ଶବ ପୋଖରୀ କୂଳରେ ପଡ଼ିଥିବା ସମୟରେ ସେଠାରୁ ପ୍ରାୟ ୧୫୦ ମିଟର ଦୂରତାରେ ରାସ୍ତା ଉପରେ ରକ୍ତପଡ଼ିବା ସହ ଇଟା ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳ ପାଖରେ ମଦ ପାଉଚ୍‌ ଓ କୋରେକ୍ସ ବୋତଲ ପଡ଼ିଥିଲା। ରାତି ୧୧ଟା ସମୟରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ସେଠାରେ ପାଟିତୁଣ୍ଡ ମଧ୍ୟ କରୁଥିଲେ। ସେହି ସମୟରେ ଅଫ୍‌ତରଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିବେ ବୋଲି ସ୍ଥାନୀୟ ଲୋକେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe