ନକଲି ସୁନା ବିକ୍ରି ଅଭିଯୋଗରେ ଦୁଇ ଗିରଫ: ଟଙ୍କା, ସୁନା ଜବତ

Advertisment
ନକଲି ସୁନା ବିକ୍ରି ଅଭିଯୋଗରେ ଦୁଇ ଗିରଫ: ଟଙ୍କା, ସୁନା ଜବତ

ଚଣ୍ଡିଖୋଲ: ଅସଲି ସୁନା କହି ଜଣେ ମହିଳାଙ୍କୁ ନକଲି ସୁନା ବିକ୍ରି କରିଥିବା ଦୁଇ ଠକଙ୍କୁ ବଡ଼ଚଣା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ନଗଦ ୬୨ହଜାର ଟଙ୍କା ସହିତ ୫ଗ୍ରାମ ନକଲି ସୁନା ବିସ୍କୁଟ ଓ ସୁନା ଜବତ କରିଛି। ସୂଚନା ମୁତାବକ ଭଦ୍ରକ ଜିଲ୍ଲା ତଥା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରେଣ୍ଟିବେତଗାଁ ଗ୍ରାମର ରମେଶ ଚନ୍ଦ୍ର ଦାସ (୫୫) ଓ ସେହି ଗ୍ରାମର ପପୁ ଦାସ (୨୨)  ବଡ଼ଚଣା ଥାନା ତଥା ଚଣ୍ଡିଖୋଲ ଫାଣ୍ଡି ଅନ୍ତର୍ଗତ କୁନ୍ଦଳ ଗ୍ରାମକୁ ସୁନା ବିକ୍ରି କରିବାକୁ ଆସିଥିଲେ। ଏହି ଗ୍ରାମର ଭାଗ୍ୟଧର ଦଳେଇ ଘରେ ନଥିବା ବେଳେ ତାଙ୍କ ପତ୍ନୀ ରଞ୍ଜୁଲତାଙ୍କୁ ଅସଲି ସୁନା କହି ନକଲି ସୁନା ଦେଖାଇଥିଲେ।

ରଞ୍ଜୁଲତା ଏକ ଲକ୍ଷ ଟଙ୍କା ଦେଇ ସେମାନଙ୍କ ଠାରୁ କିଛି ସୁନା ରଖିଥିଲେ। ପରେ ଟଙ୍କା ଧରି ଦୁଇ ଠକ ଫେରାର ହୋଇଯାଇଥିଲେ। ଭାଗ୍ୟଧର ଘରକୁ ଆସିବା ପରେ ରଞ୍ଜୁଲତା ସ୍ୱାମୀଙ୍କୁ ସବୁ କଥା କହି ସୁନାତକ ଦେଖାଇଥିଲେ। ଭାଗ୍ୟଧର ସୁନାତକ ନେଇ ନିକଟସ୍ଥ ସୁନା ଦୋକାନରେ ପରୀକ୍ଷା କରିବା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା। ଏନେଇ ରଞ୍ଜୁଲତା ଗତ ୧୯ତାରିଖରେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ।

ଥାନା କେସ ନମ୍ବର ୩୨୦/୨୪ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ଏହାର ତଦନ୍ତ ଭାର ଏସଆଇ ଲକ୍ଷ୍ମୀପ୍ରିୟା ମୁଦୁଲିଙ୍କୁ ଦେଇଥିଲେ। ତେବେ ଠକ ରମେଶ ଚନ୍ଦ୍ର ଦାସ ଗତକିଛି ମାସ ପୂର୍ବେ ବଡ଼ଚଣା ଥାନା ଅଞ୍ଚଳରେ ନକଲି ସୁନା କାରବାର କରି ଗିରଫ ହେବା ସହିତ କୋର୍ଟଚାଲାଣ ହୋଇଥିଲା। ପରେ ସେ ଜାମିନରେ ଆସିଥିଲା। ତା’ ଉପରେ ସନ୍ଦେହ କରି ଥାନାଧିକାରୀ ଶ୍ରୀ ପାତ୍ର ଏକ ପୁଲିସ ଟିମ୍‌ ଭଦ୍ରକ ଜିଲ୍ଲାର ଆରେଣ୍ଟିବେତଗାଁକୁ ପଠାଇଥିଲେ।

ରମେଶଙ୍କ ଘର ଉପରେ ଏହି ଟିମ୍‌ ଚଢ଼ଉ କରିବା ସହିତ ରମେଶ ଓ ପପୁଙ୍କୁ ଥାନାକୁ ଆଣିଥିଲେ। କୁନ୍ଦଳ ଗ୍ରାମର ଠକେଇ ଘଟଣା ସମ୍ପର୍କରେ ଉଭୟଙ୍କୁ ପଚରାଉଚରା କରିବାରୁ ସେମାନେ ପୁଲିସ ଆଗରେ ରଞ୍ଜୁଲତାଙ୍କୁ ନକଲି ସୁନା ଦେଇ ଠକିଥିବା ମାନି ଯାଇଥିଲେ। ଆଜି ଦୁଇ ଅଭିଯୁକ୍ତ ରମେଶ ଓ ପପୁକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe