ସୋନପୁର/ତରଭା : ଧାନ ବିକ୍ରି ପାଇଁ ଜଣେ ଚାଷୀଙ୍କଠାରୁ ଲାଞ୍ଚ ନେଇ ୨ଜଣ ଭିଜିଲାନ୍ସ ହତରେ ଧରାପଡ଼ିଛନ୍ତି। ଦୁଇଜଣ ହଲେ, ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶିବତୁଲା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ କୁନା ନାଏକ ଓ ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାଏକ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ତରଭା ଥାନା ଭାଲୁବାହାଲ ଗ୍ରାମର ଜଳନ୍ଧର ଡାଙ୍ଗ ଏବଂ ତାଙ୍କ ପରିବାର ସଦସ୍ୟ ଶିବତୁଲା ପ୍ୟାକ୍ସରେ ୨୬୭ କ୍ବିଣ୍ଟାଲ ଖରିଫ ଧାନ ବିକ୍ରି କରିଥିଲେ। ତେବେ, ଶିବତୁଲା ପ୍ୟାକ୍ସ ଭାରପ୍ରାପ୍ତ ସମ୍ପାଦକ କୁନା ନାଏକ କ୍ବିଣ୍ଟାଲ ପିଛା ୩୦ ଟଙ୍କା ହିସାବରେ ୮ ହଜାର ଟଙ୍କା ଦେବାକୁ ଜଳନ୍ଧରଙ୍କୁ କହିଥିଲେ। ଏପରିକି, ଏହି ଟଙ୍କା ନଦେଲେ ଆସନ୍ତାବର୍ଷ ଜଳନ୍ଧର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମ ଧାନ ବିକ୍ରି ପାଇଁ ଏଣ୍ଟ୍ରି କରିବେ ନାହିଁ ବୋଲି ଧମକ ଦେଇଥିଲେ। ଶେଷରେ, ବାଧ୍ୟହୋଇ ଜଳନ୍ଧର ସମ୍ବଲପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ଏବଂ ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର ୮/ ତା୧୦.୩.୨୦୨୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଯୋଜନା ମୁତାବକ, ଜଳନ୍ଧର ଆଜି ଶିବିତୁଲା ପ୍ୟାକ୍ସକୁ ଯାଇ ଭାରପ୍ରାପ୍ତ ସମ୍ପାଦକ ଶ୍ରୀ ନାଏକଙ୍କୁ ୮ ହଜାର ଟଙ୍କା ନେବାକୁ କହିଥିଲେ। ତେବେ, ଶ୍ରୀନାଏକ ଏହି ଟଙ୍କା ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାଏକଙ୍କୁ ଦେବାକୁ କହିଥିଲେ। ତଦନୁଯାୟୀ ସେ ଦେବାନନ୍ଦଙ୍କୁ ଏହି ଟଙ୍କା ଦେବାପରେ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଥିଲେ ଏବଂ ଟଙ୍କା ଜବତ କରିଥିଲେ।
ଉଭୟ ଭାରାପ୍ରାପ୍ତ ପ୍ୟାକ୍ସ ସମ୍ପାଦକ ଶ୍ରୀ ନାଏକ ଏବଂ ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦଙ୍କୁ ଗିରଫ କରାଯାଇ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ବଲାଙ୍ଗୀର ଭିଜିଲାନ୍ସ ଡିଏସ୍ପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର, ଇନ୍ସପେକ୍ଟର ହୃଦାନନ୍ଦ କାଲୁ, ବିଷ୍ଣୁ ପ୍ରାସାଦ ଜାଲ, ନନ୍ଦକିଶୋର ବଗର୍ତ୍ତୀ ପ୍ରମୁଖ ସାମିଲ୍ ଥିଲେ।
Follow Us