କମାରଶାଳରୁ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଦୁଇ ଗିରଫ

Advertisment
କମାରଶାଳରୁ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଦୁଇ ଗିରଫ

ରାୟଗଡ଼ା: ମୁନିଗୁଡ଼ା ଥାନା ଅନ୍ତର୍ଗତ ବୁର୍ଜୁଗୁଡ଼ା ଗ୍ରାମର ଏକ କମାର ଶାଳରୁ ବେଆଇନ ଭାବେ ଗଚ୍ଛିତ ଥିବା ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ପୁଲିସ ଜବତ କରିଛି। ଏଥିସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ବୁର୍ଜୁଗୁଡ଼ା ଗ୍ରାମର ଏକ କମାର ଶାଳରେ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଗଚ୍ଛିତ ରହିଥିବା ନେଇ ଗତକାଲି ରାତିରେ ମୁନିଗୁଡ଼ା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବେଉରୀଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଏହି କମାର ଶାଳ ଉପରେ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପୁଲିସ କମାର ଶାଳରୁ ଦେଶୀ ବନ୍ଧୁକ ତିଆରି ପାଇଁ ନିର୍ମିତ ହୋଇଥିବା ଲୁହା ପାଇପ୍‌, ରୋଲ ସମେତ ହାତୁଡ଼ି, ଲୁହା ତରଳାଇବା ଚୁଲି ଭଳି ବିଭିନ୍ନ ସାମଗ୍ରୀ ଜବତ କରିଥିଲା।

publive-image

ଏହାପରେ ବେଆଇନ ଭାବେ ଏହି ସାମଗ୍ରୀ ତିଆରି କରୁଥିବା ଗୌରାଙ୍ଗ କରକରିଆ ଓ ହାତୀରାମ କୁଲୋସିକାଙ୍କୁ ପୁଲିସ ଗିରଫ କରି ଥାନାକୁ ନେଇ ପଚରା ଉଚରା କରିଥିଲା।  ଏନେଇ ଆର୍ମସ୍‌ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଏହି ଚଢ଼ଉ ସମୟରେ ଥାନା ଅଧିକାରୀ ଶ୍ରୀ ବେଉରୀଙ୍କ ସମେତ ଏସ୍ଆଇ ଅଶୋକ କୁମାର ବିଶୋଇ, ହାବିଲଦାର ଶ୍ରୀନିବାସ ଦଳେଇ, କନେଷ୍ଟବଳ ନିରଞ୍ଜନ ଦାସ ଓ ରବୀନ୍ଦ୍ର ବିଡ଼ିକା ପ୍ରମୁଖ ଉପସ୍ଥିତ ଥିଲେ। ଏହି କମାର ଶାଳରେ କାହିଁକି ଦେଶୀ ବନ୍ଧୁକର ବ୍ୟବହୃତ ସାମଗ୍ରୀ ତିଆରି ହେଉଥିଲା। ଏହି କାରବାରରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି ନାଁ ନାହିଁ ସେନେଇ ପୁଲିସ ଅଧିକ ତଦନ୍ତ କରୁଛି।

ବୁର୍ଜୁଗୁଡ଼ା ଅଞ୍ଚଳ ନିୟମଗିରି ପାହାଡ଼ ପାଦ ଦେଶରେ ଥିବା ବେଳେ ଏହି ପାହାଡ଼ ଭିତରେ ନକ୍ସଲ ମାନେ ଚଳପ୍ରଚଳ କରିଥାନ୍ତି। ରାସ୍ତାଘାଟ ନିର୍ମାଣକୁ ବିରୋଧ କରି ଗତ ଦିନରେ ବୁର୍ଜୁଗୁଡ଼ାର ନିକଟସ୍ଥ କିଛି ଗାଁରେ ନକ୍ସଲ ନାଁରେ ପୋଷ୍ଟର ଲାଗିଥିଲା। ତେଣୁ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe