ବୌଦ୍ଧ: ଆର୍ଟିଓ ଅଫିସ୍ ନିକଟରେ ସହଜ ଜନସେବା କେନ୍ଦ୍ର (ସିଏସ୍ସି) ଖୋଲି ଲୋକଙ୍କୁ ଲୁଟୁଥିଲେ। ଆର୍ଟିଓ ଅଫିସର ବିଭିନ୍ନ କାମ କରାଇଦେବା ବାହାନାରେ ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ବୁଧବାର ସିଏସ୍ସିରେ ପୁଲିସ ଚଢ଼ଉ କରି ମାଲିକ ତପନ ମଣ୍ଡଳ ଓ ସହଯୋଗୀ ସଞ୍ଜିତ ପଣ୍ଡାଙ୍କୁ ଅଟକ ରଖି ତଦନ୍ତ କରୁଛି। ଅଧିକ ତଦନ୍ତ ପାଇଁ ସିଏସ୍ସିକୁ ସିଲ୍ କରାଯାଇଛି।
ସୂଚନା ଅନୁସାରେ ତପନ ବୌଦ୍ଧ ଆର୍ଟିଓ ଅଫିସ ନିକଟରେ ସିଏସ୍ସି ଖୋଲି ବିଭିନ୍ନ କାମ ସହ ଆର୍ଟିଓ ଅଫିସର ଅନ୍ଲାଇନ କାମ କରୁଥିଲେ। ତାଙ୍କୁ ସଞ୍ଜିତ ସହଯୋଗ କରୁଥିଲେ। ଆର୍ଟିଓ ଅଫିସର କାମ କରାଇବା ବାହାନାରେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ଆକ୍ସନ ଆରମ୍ଭ ହୋଇଛି। ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଏସ୍ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ, ଟାଉନ ଥାନା ଆଇଆଇସି ମାଧବାନନ୍ଦ ନାୟକ ସିଏସ୍ସିରେ ଚଢ଼ଉ କରିଥିଲେ।
Follow Us