ଧକ୍କାଦେଇ ଚାଲିଗଲା ଭ୍ୟାନ୍, ରାସ୍ତାରେ ଛଟପଟ‌ ହୋଇ ଜୀବନ ହାରିଲେ ଦୁଇ ଭାଇ

Advertisment

ଘଟଣାସ୍ଥଳରେ ଚାପା ଉତ୍ତେଜନା; କ୍ଷତିପୂରଣ ଦାବିରେ ରାସ୍ତାରୋକ

ଘଟଣାସ୍ଥଳରେ ଚାପା ଉତ୍ତେଜନା; କ୍ଷତିପୂରଣ ଦାବିରେ ରାସ୍ତାରୋକ

ଧକ୍କାଦେଇ ଚାଲିଗଲା ଭ୍ୟାନ୍, ରାସ୍ତାରେ ଛଟପଟ‌ ହୋଇ ଜୀବନ ହାରିଲେ ଦୁଇ ଭାଇ

ରାୟଗଡ଼ା: ଜେକେପୁର-କଲ୍ୟାଣସିଂହପୁର ରାସ୍ତାର ଗେଟିପଡା ବ୍ରିଜ୍ ନିକଟରେ ଅପରାହଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭ୍ୟାନ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ବାଇକରେ ଘରକୁ ଫେରୁଥିବା ଦୁଇ ଭାଇଙ୍କ ଜୀବନ ଅକାଳରେ ଚାଲି ଯାଇଛି। ଦୁର୍ଘଟଣା ଘଟାଇ ଭ୍ୟାନ୍ ଫେରାର୍ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ବୁଲୁ ବେନିୟା (୩୭) ଓ ମନୋଜ ବେନିୟା(୨୫) ଙ୍କ ମୃତ ଦେହ ପଡି ରହିଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ସଂପର୍କୀୟ ରାସ୍ତାରୋକ କରିଛନ୍ତି। ଫଳରେ ଜେକେପୁର-ଶିକରପାଇ ମଧ୍ୟରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଚାନ୍ଦିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି। କିନ୍ତୁ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ମୃତକଙ୍କ ପରିବାର ରୋକଠୋକ୍ ଶୁଣାଇ ଦେଇଛନ୍ତି।

ମିଳିଥିବା ସୂଚନା ମୁତବାକ, କୋଲନରା ବ୍ଲକ୍ କାର୍ଲାକଣା ପଞ୍ଚାୟତ ରାମପୁର ଗ୍ରାମର ଦୁଇ ଭାଇ  ବୁଲୁ ଓ ମନୋଜ କୌଣସି କାମରେ ରାୟଗଡ଼ା ଆସିଥିଲେ। କାମ ସାରିବା ପରେ ଅପରାହଣ୍ ୪ଟାରେ ଉଭୟେ ବାଇକ୍ (ନଂ-ଓଡି୧୮କେ-୫୫୭୨) ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଅପର ପାର୍ଶ୍ବରୁ ଦ୍ରୁତ ଗତିରେ ଆସୁଥିବା ପିକ୍ ଅପ୍ ଭ୍ୟାନ ନଂ- ଓଡି୧୮ଜି-୦୭୫୫ ବାଇକକୁ ଧକ୍କା ଦେଇଥିଲା। ପିକ୍ ଅପ୍ ଭ୍ୟାନର ଗତି ଏତେ ତୀବ୍ର ଥିଲା ଧକ୍କା ପରେ ବାଇକ୍ ଚୁରମାର ହୋଇଯିବା ସହ ବୁଲୁ, ମନୋଜ ରାସ୍ତା କଡକୁ ଫୋପାଡି ହୋଇ ପଡିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ପିକଅପ୍ ଭ୍ୟାନ୍ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ଓ ପୁଲିସ୍ ଅଙ୍ଗୁର ନିକଟରେ ଭ୍ୟାନକୁ କାବୁ କରିଥିଲେ। କୌଶଳକ୍ରମେ ଭ୍ୟାନ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ଯଶୋବନ୍ତ ହିଆଲ୍, ଏସଆଇ ଅନିରୁଦ୍ଧ ଜାଲି, ଧନୁର୍ଦ୍ଧର ସୁଗ୍ରୀ, ଏଏସଆଇ ପିତାମ୍ବର ଭତ୍ରା ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମୃତକଙ୍କ ସଂପର୍କୀୟ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ରାସ୍ତାରୋକ ହଟାଇବା ପାଇଁ ପୁଲିସ୍ ବୁଝାଶୁଝା କରୁଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ନିଜ ଜିଦରେ ଅଟଳ ରହିଛନ୍ତି। ଫଳରେ ଜେକେପୁର-ଶିକରପାଇ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ଦୁଇ ଭାଇଙ୍କ ମୃତ୍ୟୁରେ ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଘଟଣାସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ୩୨୬ ନଂ ଜାତୀୟ ରାଜପଥ ସମେତ ଏହାକୁ ସଂଯୋଗ ହୋଇଥିବା ରାଜ୍ୟ ରାଜପଥରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଦୁର୍ଘଟଣା ରୋକିବାକୁ ପୁଲିସ୍ ଓ ପରିବହନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ମଧ୍ୟ ଚାଳକଙ୍କ ବେପରୁଆ ମନୋଭାବ ଯୋଗୁ ଦୁର୍ଘଟଣାରେ ବହୁ ଜୀବନ ଅକାଳରେ ଝଡ଼ି ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe