ବ୍ରହ୍ମପୁର : ନିରାଶ୍ରୟ ୨ ଭାଇଙ୍କୁ ଭୋକ ମୁହଁକୁ ଠେଲିଦେଲା କରୋନା

ବ୍ରହ୍ମପୁର : ନିରାଶ୍ରୟ ୨ ଭାଇଙ୍କୁ ଭୋକ ମୁହଁକୁ ଠେଲିଦେଲା କରୋନା

ବ୍ରହ୍ମପୁର : ‘ବାପା ମାଆଙ୍କୁ ଆମଠାରୁ ଭଗବାନ ଛଡ଼ାଇନେଲେ। ଏଭଳି ଦୁଃଖଦ ଘଡ଼ିରେ ମାଆଙ୍କୁ ଝୁରି ଝୁରି ଭିନ୍ନକ୍ଷମ ଭଉଣୀ ବି ଆରପାରିକୁ ଚାଲିଗଲା। ତଥାପି ଦଇବ ସହିଲାନି। ଫାଇଲିନ୍‌ ମହାବାତ୍ୟାରେ ଘର ମାଟିରେ ମିଶିଗଲା। ଏହାପରେ ଆମେ ଯେମିତି ବେସାହାରା ପାଲଟିଯାଇଛୁ। ଆମ ପାଇଁ ଆହା ପଦେ କହିବାକୁ କେହି ନାହାନ୍ତି। ନୂଆ ବସ୍‌ଷ୍ଟାଣ୍ଡ୍‌ରେ ବସ୍ ସଫା କଲେ ଦୁଇ ପଇସା ମିଳୁଥିଲା। ‌‌ଦୁଇଓଳା ଦୁଇମୁଠା ଖାଇବା ଯୋଗାଡ଼ ହେଉଥିଲା। ଆଉ ସେତକ ବି ଏବେ କରୋନା କଟକଣା ଆମଠୁ ଛଡ଼ାଇନେଲା। ଭୋକ ମୁହଁକୁ ଠେଲି ଦେଇଛି। ପରର ହାତଟେକା ଭାତ ମୁଠାଏକୁ ଏବେ ଚାହିଁ ରହିବାକୁ ପଡୁଛି। ଭଗବାନ ଆଉ କେତେ ଦଣ୍ଡ ଆମକୁ ଦେବେ କେଜାଣି।’ ଦୁଇ ଭାଇ ଆର୍.ଶ୍ରୀନୁ ପଟ୍ଟନାୟକ(୩୨) ଏବ˚ ଆର୍.ଶ୍ୟାମ ପଟ୍ଟନାୟକ (୩୦) ଲୁହ ଛଳଛଳ ଆଖିରେ ଏହା କହିଛନ୍ତି।

ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ୍ କାଳୀମନ୍ଦିର ଅଞ୍ଚଳର ଦୁଇ ଭାଇ ଶ୍ରୀନୁ ଓ ଶ୍ୟାମ। ଏ ଦୁହେଁ ତେଲୁଗୁ କରଣ ସମ୍ପ୍ରଦାୟର। ଦୁଇ ଭାଇ ପିଲା ଥିଲାବେଳେ ବାପା.ଆର୍.ପିନାକ ପଟ୍ଟନାୟକ ଦୁଃସାଧୢ ରୋଗରେ ପଡ଼ି ଆରପାରିକୁ ଚାଲିଗଲେ। ମାଆ ବିଭିନ୍ନ ସ୍ଥାନରେ କାମ କରି ଦୁଇ ପୁଅ ଓ ଝିଅଙ୍କ ପ୍ରତିପୋଷଣ କରୁଥିଲେ। ବଡ଼ ହେବା ପରେ ଶ୍ରୀନୁ ଓ ଶ୍ୟାମ ମଜୁରି ଖଟି ମାଆ କାନ୍ତା ଓ ଭିନ୍ନକ୍ଷମ ଭଉଣୀ ବିଜୟଲକ୍ଷ୍ମୀଙ୍କ ଭରଣପୋଷଣ କରୁଥିଲେ। ସୁଖଦୁଃଖରେ ଚାଲିଥିଲା ତାଙ୍କ ସଂସାର। ରୋଗରେ ପୀଡ଼ିତା ମାଆ କାନ୍ତା ୨୦୧୨ରେ ଆଖି ବୁଜିଲେ। ଭିନ୍ନକ୍ଷମ ଯୁବତୀ ଭଉଣୀକୁ ନେଇ କିଭଳି ଚଳିବେ, ଏହା ଭାବି ଭାବି ଦୁଇ ଭାଇ ବି ଭାଙ୍ଗିପଡ଼ିଲେ। କାଳୀ ମନ୍ଦିର ନିକଟରେ ସରକାରୀ ଜାଗାରେ ଚାଳଛପର ଘର ଖଣ୍ତିଏ କରି ରହୁଥିଲେ। ହେଲେ ୨୦୧୩ ଅକ୍ଟୋବର ଫାଇଲିନ୍‌ ସେମାନଙ୍କଠାରୁ ସେହି ଘରକୁ ଖଣ୍ଡିକ ବି ଉଡ଼ାଇନେଲା। ଶେଷରେ ଉପାୟଶୂନ୍ୟ ହୋଇ ଦୁଇ ଭାଇ ମିଶି ଭଉଣୀ ବିଜୟଲକ୍ଷ୍ମୀଙ୍କୁ ନେଇ ଏକ ଅନାଥ ଆଶ୍ରମରେ ଛାଡ଼ିଥିଲେ। ଶ୍ରୀନୁ ଓ ଶ୍ୟାମଙ୍କ ପାଇଁ ସାହାଭରସା ପାଲଟିଗଲା ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ୍। ଦିନତମାମ୍‌ ଦୁଇ ଭାଇ ବସ୍ ସଫେଇ କାର୍ଯ୍ୟ କରନ୍ତି। ସେଥିରେ ଯାହା ରୋଜଗାର ଦୁଇ ଓଳା ଦୁଇ ମୁଠା ପେଟକୁ ଦାନା ଯୋଗାଡ଼ କରନ୍ତି। ଆଉ ନୂଆ ବସ୍‌ଷ୍ଟାଣ୍ତ୍‌ ଛାତ ତଳେ ରାତି କଟେ। ନୂଆ ବସ୍‌ଷ୍ଟାଣ୍ତ୍‌ ନିକଟରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାତ୍ରିଆଶ୍ରୟସ୍ଥଳ ନିର୍ମାଣ ପରେ ଗତ ୭ମାସ ହେଲା ଏହି ଦୁଇ ଭାଇ ଏବେ ସେଠାକାର ଅନ୍ତେବାସୀ ପାଲଟିଛନ୍ତି। ଆଶ୍ରୟ ସ୍ଥଳରେ ରାତିରେ ବିଶ୍ରାମ ନେଇ ସକାଳ ହେଲେ ଦୁଇ ଭାଇ ନୂଆ ବସ୍‌ଷ୍ଟାଣ୍ତ୍‌ କର୍ମଭୂମିକୁ ବାହାରି ପଡ଼ିଥାନ୍ତି।

ସମୟଚକ୍ରରେ ସେମାନଙ୍କଠାରୁ ସବୁ କିଛି ଚାଲି ଯାଇଥିବା ବେଳେ ଏବେ କରୋନା କଟକଣା ଯୋଗୁଁ ବସ୍‌ ଚଳାଚଳ ବନ୍ଦ। କରୋନା କଟକଣା ତାଙ୍କ ମୁହଁରୁ ଆହାର ଛଡ଼ାଇ ନେଇଛି। ଗତ ମାର୍ଚ୍ଚ ୧୫ତାରିଖରୁ କରୋନାକୁ ନେଇ ଗଞ୍ଜାମ ଜିଲ୍ଲାରେ କଟକଣା ଲାଗିଛି। ୨୨ତାରିଖ ଲକ୍‌ଡାଉନ୍‌ଠାରୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଦୁଇ ଭାଇ ଜୀବିକା ହରାଇ ପେଟକୁ ଦୁଇ ମୁଠା ଆହାର ଯୋଗାଡ଼ ଲାଗି ବିକଳ୍ପ ପନ୍ଥା ପାଉନାହାନ୍ତି। କରୋନା ଲାଗି ରାତ୍ରିଆଶ୍ରୟସ୍ଥଳ ୨୪ଘଣ୍ଟିଆ ଆଶ୍ରୟ ସ୍ଥଳ ପାଲଟିଛି। ୪୪ଜଣ ଅନ୍ତେବାସୀ ରହୁଥିବା ବେଳେ ଗତ କିଛିଦିନ ହେଲା ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଛି। ଏହା ଖାଇ ଜୀବନ କାଟୁଛନ୍ତି ଦୁଇ ଭାଇ। ସରକାର ବାସହୀନ ଓ ଭୂମିହୀନଙ୍କୁ ଜମି ଓ ଘର ଯୋଗାଇ ଦେଉଛନ୍ତି। ହେଲେ ଆମ ଭଳି ନିରାଶ୍ରୟ ଉପରେ ଏଯାଏ ସରକାରଙ୍କ ଦୃଷ୍ଟି ପଡ଼ି ନାହିଁ। ସରକାରଙ୍କ ପକ୍ଷରୁ ଘର ଖଣ୍ତିଏ ଓ ଟଙ୍କିକିଆ ଚାଉଳ ମିଳିଲେ ଜୀବନ ଧାରଣରେ ବିଶେଷ ସମସ୍ୟା ରହନ୍ତା ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe