ଗୋରୁ ଗାଡ଼ି ଅଟକାଇବାରୁ ଗୁଳିମାଡ଼, ୨ ଗୋସୁରକ୍ଷା କର୍ମୀ ଗୁରୁତର ଆହତ

Advertisment
ଗୋରୁ ଗାଡ଼ି ଅଟକାଇବାରୁ ଗୁଳିମାଡ଼, ୨ ଗୋସୁରକ୍ଷା କର୍ମୀ ଗୁରୁତର ଆହତ

ଯଶିପୁର : ଗୋଚାଲାଣକୁ ବିରୋଧ କରିବାରୁ ରକ୍ତମୁଖା ମାଫିଆ ଶନିବାର ଭୋର୍‌ ସମୟରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଞ୍ଚଳରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ କଟକସ୍ଥିତ ଏକ ସଙ୍ଗଠନର ୨ ଜଣ ଗୋସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ପିଆର୍‌ଏମ୍‌)ରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟା ସୁଦ୍ଧା ଏହି ମାମଲାରେ ମୋଟ୍ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ ବୋଲେରୋ, ୩ଟି ସ୍କୋର୍ପିଓ ଓ ଗୋଟିଏ ଗୋରୁ ବୋଝେଇ ଟ୍ରକ୍‌କୁ ପୁଲିସ ଜବତ କରିଛି।

publive-image

ଶନିବାର ଭୋର୍‌ ପ୍ରାୟ ୩.୩୦ ସମୟରେ ଯଶିପୁର ବଜାରଠାରୁ ୭ କିମି ଦୂର ୪୯ ନଂବର ଜାତୀୟ ରାଜପଥର ବେଗୁନିଆ ଗାଁ ପାଖରେ ନିର୍ମାଣାଧୀନ ଏକ ଟୋଲ୍‌ଗେଟ୍‌ ନିକଟରେ ଏହି ଗୁଳିକାଣ୍ଡ ଘଟିଥିଲା। ସୂଚନା ମୁତାବକ, ଭୋର୍‌ ସମୟରେ ଏହି ରାସ୍ତାରେ ୫ଟି ଗୋରୁ ବୋଝେଇ ଟ୍ରକ୍‌ ଓ କଣ୍ଟେନର୍‌ ପଛକୁ ପଛ ହୋଇ ପଶ୍ଚିମବଙ୍ଗ କୋଲକାତା ଯାଉଥିଲା। ୪ଟି ଗାଡ଼ି ଗେଟ୍‌ ପାର୍‌ ହୋଇ ଯାଇଥିବା ବେଳେ ଶେଷ ଟ୍ରକ୍‌ଟି ପହଞ୍ଚିଲା ବେଳକୁ ଅଘଟଣର ସୂତ୍ରପାତ ହୋଇଥିଲା। କଟକର ‘ଦେବସେନା ନାମକ ଏକ ସଂଗଠନର ୧୪ ଜଣ କର୍ମକର୍ତ୍ତା ପୂର୍ବରୁ ୩ଟି ବୋଲେରୋରେ ଆସି ଉକ୍ତ ଟୋଲ୍‌ଗେଟ୍‌ ନିକଟରେ ଛକି ରହିଥିଲେ। ଗୋରୁ ବୋଝେଇ ଟ୍ରକ୍‌ଟି ପହଞ୍ଚିବା ପରେ ଏହାକୁ ଅଟକାଇ ସେମାନେ ଏହାର ପ୍ରତିବାଦ କରିବା ବେଳେ ଗୋରୁଗାଡ଼ିକୁ ସୁରକ୍ଷା ଦେବାକୁ ପଛରେ ଆସୁଥିବା ୨ଟି ସ୍କୋର୍ପିଓ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ସେଥିରୁ ପ୍ରାୟ ୧୫ ଜଣ ଯୁବକ ଓହ୍ଲାଇ ଦେବସେନା କର୍ମକର୍ତ୍ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ବଚସାରୁ ହାତାହାତି ପରିସ୍ଥିତି ଉପୁଜିବାରୁ ଗୋଚାଲାଣକାରୀମାନେ ବନ୍ଧୁକ ବାହାର କରି ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିରେ ଦେବସେନା ସଦସ୍ୟ କଟକ ଖପୁରିଆ ଅଞ୍ଚଳର ଦୀପକ ସାହୁ, ରାଣୀହାଟ ଅଞ୍ଚଳର ଶଶିକାନ୍ତ ବେହେରା ଆହତ ହୋଇଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ଆଖାପାଖ ଗାଁରୁ ଶତାଧିକ ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଗ୍ରାମବାସୀଙ୍କୁ ଦେଖି ଅଭିଯୁକ୍ତମାନେ ଗୋରୁଗାଡ଼ିକୁ ଛାଡ଼ି ସାଙ୍ଗରେ ଆଣିଥିବା ଗାଡ଼ିରେ ବସି ଚମ୍ପଟ୍‌ ମାରିଥିଲେ। ଅଭିଯୁକ୍ତମାନଙ୍କୁ ଧରିବା ଲାଗି କରଞ୍ଜିଆ ଏସ୍‌ଡିପିଓଙ୍କ ନେତୃତ୍ବରେ ଗଠିତ ହୋଇଥିଲା ୪ଟି ପୁଲିସ ଟିମ୍‌। ପୁଲିସ ୧୧ ଜଣ ଅଭିଯୁକ୍ତଙ୍କୁ ୪ଟି ଗାଡ଼ିରୁ ଧରିଥିଲା।

publive-image

ମୟୂରଭଞ୍ଜ ଜିଲ୍ଲାର ୫ଟି ଥାନା ଦେଇ ଦୈନିକ ପଶ୍ଚିମବଙ୍ଗକୁ ଗୋଚାଲାଣ ହେଉଥିବାବେଳେ ଏହି ସବୁ ଗାଡ଼ିଗୁଡ଼ିକରୁ ରୀତିମତ ବଟି ଆଦାୟ ହେଉଛି। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ସତ୍ତ୍ବେ ଚେତିନଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe