ଋଣ ପାଇଁ ପିଲାଙ୍କୁ ନେଇ ଅଟୋରେ ଯାଉଥିଲେ ୫ ମହିଳା; ଦୁର୍ଘଟଣାରେ ୨ ଶିଶୁ ମୃତ

ଖେଳୁଥିବା ବେଳେ ପୋଖରୀରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

The Indian Express

ପାରଳାଖେମୁଣ୍ଡି: ଗାଁରୁ ସହରକୁ ଋଣ ଆଣିବାକୁ ମହିଳାମାନେ ଅଟୋରେ ଯାଉଥିଲେ। ସାଙ୍ଗରେ ସେମାନଙ୍କ ଛୋଟ ପିଲାଙ୍କୁ ମଧ୍ୟ ଧରିଥିଲେ। ଆଜି ପୂର୍ବାହ୍ଣ ସାଢ଼େ ଏଗାରଟା ବେଳେ ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ୍‌ ପାଟିକୋଟା ଗ୍ରାମ ଛକ ଠାରେ ସେମାନଙ୍କ ଅଟୋ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହେଲା। ଏଥିରେ ଥିବା ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଶିଶୁ ହେଲେ ନୂଆଗଡ଼ ବ୍ଲକ୍‌ ଭ୍ରମରପୁର ଗାଁର ରବୀନ୍ଦ୍ର ମଣ୍ଡଳ ନାଏକଙ୍କ ପୁଅ ମାହି ନାଏକ(୪) ଏବଂ ସୁକାନ୍ତ ପାଲଙ୍କ ଝିଅ ଗୋଲାପୀରାଣୀ ପାଲ(୮)। ଅନ୍ୟ ୫ ଶିଶୁଙ୍କ ସମେତ ଦୁଇ ମହିଳାଙ୍କ ମିଶାଇ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ, ସୁକାନ୍ତ ପାଲଙ୍କ ଝିଅ ପ୍ରୀତି(୨) ଓ ପୁଅ ଶୋଭନ(୩), ସୁନୀତା ମାଝୀ(୩୦) ଓ ତାଙ୍କ ଝିଅ ଦୀପାଞ୍ଜଳି ମାଝୀ(୨), ପାଣି ସିଂ(୨୪), ସୁନୀତାରାଣୀ ପାଣି(୫) ଏବଂ ମୃତ ମାହିର ଭଉଣୀ ଚିକି(୧)। ସେମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି‌ ବୋଲି ଗୁରାଣ୍ଡି ଥାନାଧିକାରୀ ରବୀନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ଭ୍ରମରପୁର ଗାଁର ୫ଜଣ ମହିଳା ନିଜ ପିଲାମାନଙ୍କୁ ନେଇ ଏକ ଅଟୋ(ଏପି-୩୦ଟିଏ-୦୮୬୦ରେ ଋଣ ନେବା ପାଇଁ ପାରଳାଖେମୁଣ୍ଡି ଆସୁଥିଲେ। ପାଟିକୋଟା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଅଟୋ (ଏପି-୩୦ଟିବି-୧୪୬୨) ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଭ୍ରମରପୁର ଗାଁରୁ ଆସୁଥିବା ଅଟୋର ଆରୋହୀମାନେ ଆହତ ହୋଇଥିଲେ। ଖବର ପାଇ ଗୁରାଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ  ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ଜଣେ ଅଟୋ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଜଣେ ଅଟକ ରହିଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe