୨ ଦାଦନଙ୍କ ହାତ କାଟିବା ଘଟଣା: ଶେଷ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

Advertisment
୨ ଦାଦନଙ୍କ ହାତ କାଟିବା ଘଟଣା: ଶେଷ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

Photo Credit: Representative Image

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ଦୁଇ ଦାଦନ ଶ୍ରମିକଙ୍କ ହାତ କାଟିଦେବା ଘଟଣାର ଶେଷ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌। ୨୦୧୩ ମସିହାର ଏହି ଘଟଣାରେ ଅଭିଯୁକ୍ତ ପର୍ଶୁରାମ ନାଏକକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର।

୨୦୧୩ ମସିହାରେ କଳାହାଣ୍ଡି ଜିଲ୍ଲାର କିଛି ଦାଦନଙ୍କୁ ହାଇଦ୍ରାବାଦ ଚାଲାଣ ପାଇଁ ନିଆଯାଉଥିଲା। ଏହାକୁ ଦୁଇ ଦାଦନ ନୀଳାମ୍ବର ଧଙ୍ଗଡ଼ା ମାଝୀ ଓ ଦିଆଲୁ ନିଆଲ ବିରୋଧ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଦାଦନ ଖସି ପଳେଇ ଆସିବାରେ ସକ୍ଷମ ହୋଇଥିଲେ। ତେବେ ଦାଦନ ସର୍ଦ୍ଦାର ଓ ତାର କିଛି ସହଯୋଗୀ ବିରୋଧ କରିଥିବା ଦୁଇ ଦାଦନଙ୍କୁ ଗୋଟିଏ ଘରେ ରଖି ନିର୍ଯାତନା ଦେଇଥିଲେ। ସେହି ବର୍ଷ ଡିସେମ୍ବର ୧୩ ତାରିଖରେ କଳାହାଣ୍ଡି-ବଲାଙ୍ଗୀର ସୀମାରେ ଥିବା ଏକ ଶାଗୁଆନ ଜଙ୍ଗଲରେ ଉଭୟଙ୍କ ହାତ କାଟି ଦେଇଥିଲେ।

ଏହି ଲୋମହର୍ଷକାରିଣୀ ଘଟଣା ସମଗ୍ର ଦେଶରେ ଚହଳ ପକାଇଥିଲା। ଘଟଣାରେ ଗତ ୨୦୧୬ ଡିସେମ୍ବର ୨୪ରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌, ଧର୍ମଗଡ଼ ୮ ଜଣ ଅଭିଯୁକ୍ତ ବିମଳ ରାଉତ, ମଣ୍ଟୁ ନିଆଲ, ଜୟସେନ ଠେଲା, ଅର୍ଜୁନ ଭୋଇ, ବନ ମାଝୀ, ବୈକୁଣ୍ଠ ରାଉତ, ଗଙ୍ଗାଧର ଦାସ ଓ ପରମେ ତୁଣ୍ଡିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଏହି ସମୟରେ ପର୍ଶୁରାମ ନାଏକ ନାମକ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। କିଛିଦିନ ପରେ ଜୟପାଟଣା ପୁଲିସ ପର୍ଶୁରାମକୁ ଗିରଫ କରିଥିଲା। ଆଜି ସମସ୍ତ ସାକ୍ଷ୍ୟ, ପ୍ରମାଣ, ତଥ୍ୟକୁ ଭିତ୍ତି କରି ଧର୍ମଗଡ଼ ଏଡିଜେ ଶେଷ ଅଭିଯୁକ୍ତ ପର୍ଶୁରାମକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe