Image Courtesy of India Today
ସିମୁଳିଆ : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଦଧିବାମନପୁର ଗ୍ରାମରେ ଗତ ରବିବାର ବାସିଖାଦ୍ୟ ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତ ରବିବାର ଗ୍ରାମର ଯୁଧିଷ୍ଠିର ଦାସଙ୍କ ଘରେ ବୋରିଂ ଖୋଳା ଚାଲିଥିଲା। କାମ କରୁଥିବା ଲୋକଙ୍କ ପାଇଁ ଘରେ ରୋଷେଇ ବ୍ୟବସ୍ଥା କରାଯାଇଥିଲା। ଦିନରେ ଖାଦ୍ୟ ବଳି ଯାଇଥିବାରୁ ଉକ୍ତ ଖାଦ୍ୟ ପରିବାର ଲୋକ ରାତିରେ ଖାଇଥିଲେ। ହେଲେ ସୋମବାର ସକାଳୁ ଜଣକ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେ। ପ୍ରଥମେ ସେମାନେ ସିମୁଳିଆ ଡାକ୍ତରଖାନା ଯାଇଥିବା ବେଳେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀ ଦାସ(୬୨)ଙ୍କର ମଙ୍ଗଳବାର ରାତିରେ ମୃତ୍ୟୁ ହୋଇ ଯାଇଥିଲା। ପରେ ପରିବାରର ଅନ୍ୟ ୫ଜଣ ଗୁରୁତର ଯୁଧିଷ୍ଠିର ଦାସ(୫୨), ଉମାମଣି ଦାସ(୨୪), କମଳାମଣି ଦାସ(୩୨), ପ୍ରଦୀପ କୁମାର ଦାସ(୨୨) ଓ ଜଣେ ବାଳକଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ପ୍ରଦୀପଙ୍କର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି।
ଅପରପକ୍ଷରେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛି। ଏଭଳି ଘଟଣା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।
Follow Us